ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତର ପିଆଜ ବଜାର ସନ୍ତୁଳନ ବିଗାଡି ଦେଇଛି। ଅନ୍ତର୍ଜାତୀୟ ବଜାରର ଚାହିଦା ହ୍ରାସ, ସିପିଂ ମହଙ୍ଗା ହେବା ସାଙ୍ଗକୁ ଘରୋଇ ବଜାରରେ ଚାହିଦା ନ ରହିବା ପିଆଜ ମୂଲ୍ୟ ଉପରେ ଭୀଷଣ ଚାପ ସୃଷ୍ଟି କରିଛି। ପରିସ୍ଥିତି ଏପରି ହୋଇଛି ଯେ ଚାଷୀ ସେମାନଙ୍କ ଫସଲ ଅମଳର ଅଧାଦରରେ ମଧ୍ୟ ପିଆଜ ବିକିବାକୁ ବାଧ୍ୟ ହେଉଛନ୍ତି। ଯଦି ପରିସ୍ଥିତିକୁ ଆୟତ୍ତ କରାନଗଲା ତେବେ ଏହାର ପ୍ରଭାବ ଆରବର୍ଷର ଫସଲରେ ଦେଖିବାକୁ ମିଳିବ। ଦେଶର ଚାଷ ପାଟର୍ଣ୍ଣ ବିଗିଡିଯିବ। ତେବେ ସରକାର ପରିସ୍ଥିତି ସମ୍ଭାଳିବାକୁ ନାଫେଡ ଓ ଏନସିସିଏଫ ଭଳି ଏଜେନ୍ସୀଙ୍କୁ ବଜାରରୁ ପିଆଜ କିଣି ବଫର ଷ୍ଟକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱର ବଡ଼ ପିଆଜ ରପ୍ତାନୀକାରୀ ଦେଶଙ୍କ ମଧ୍ୟରେ ଭାରତ ଅନ୍ୟତମ। ଭାରତରୁ ଯେତେ ପିଆଜ ରପ୍ତାନୀ ହୋଇଥାଏ ଏହାର ଏକ ବଡ଼ ଭାଗ ଗଲ୍ଫ ଦେଶ ଯେପରି ୟୁଏଇ, ସାଉଦୀ ଆରବ, କ୍ୱେତ, ଇରାକ ଏବଂ ଓମାନ ଆଦି ଦେଶକୁ ଯାଇଥାଏ। ହେଲେ ପଶ୍ଚିମ ଏସିୟାରେ ଜାରି ସଂଘର୍ଷ ଯୋଗୁ ଏହି ସବୁ ଦେଶଙ୍କ ବାଣିଜ୍ୟିକ ଗତିବିଦ୍ଧି ପ୍ରଭାବିତ ହୋଇଛି। ଫଳରେ ପିଆଜ ରପ୍ତାନୀ ପାଖାପାଖି ୩୦% ହ୍ରାସ ହୋଇଛି। ଏଥିରେ ଗଲଫ ଦେଶମାନଙ୍କୁ ହେଉଥିବା ରପ୍ତାନୀ ୫୦-୬୦% ହ୍ରାସ ହୋଇଛି। ଏହାର ସିଧା ପ୍ରଭାବ ଏବେ ଘରୋଇ ବଜାର ଉପରେ ପଡୁଛି। ଯେଉଁ ପିଆଜ ବିଦେଶ ଯାଉଥିଲା ତାହା ଏବେ ଦେଶର ବଜାରରେ ଗ୍ରାହକଙ୍କୁ ଅପେକ୍ଷା କରି ରହୁଛି।

ଘରୋଇ ବଜାରକୁ ଅଚାନକ ପିଆଜ ଯୋଗାଣ ବଢିଯିବା ବେଳେ ଚାହିଦା କିନ୍ତୁ ନାହିଁ। ଏଣୁ ପାଇକାରୀ ଦରର ପିଆଜ ଏବେ କ୍ୱିଣ୍ଟଲ ପିଛା ୮୦୦ରୁ ୧୦୦୦ଟଙ୍କାରେ ବିକ୍ରି ହେଉଛି। ତେବେ ପିଆଜ ଉତ୍ପାଦନ ବାବଦ ବ୍ୟୟ ପ୍ରତି କ୍ୱିଣ୍ଟାଲ ୧୮୦୦ ରୁ ୨୨୦୦ ମଧ୍ୟରେ ହୋଇଛି। ଏଣୁ ଚାଷୀଙ୍କୁ ତାଙ୍କ ଫସଲର ଦର ମିଳୁ ନାହିଁ। ଫଳରେ ଚାଷୀ ହତାସ ହେଉଛନ୍ତି। ହର୍ଟିକଲଚୁରାଲ ପ୍ରଡ୍ୟୁସ ଏକ୍ସପୋର୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆର ଜାତୀୟ ଉପାଧ୍ୟକ୍ଷ ବିକାଶ ସିଂହଙ୍କ କହିବା କଥା ହେଉଛି ବଢୁଥିବା ସିପିଂ ଖର୍ଚ୍ଚ ପରିସ୍ଥିତିକୁ ଜଟିଳ କରିଛି। କିଛି ମାସ ପୂର୍ବରୁ କଣ୍ଟୈନର ଭଡ଼ା ୫୦୦ରୁ ୮୦୦ ଡଲାର ମଧ୍ୟରେ ଥିବା ବେଳେ ତାହା ଏବେ ବଢି ୬୦୦୦ରୁ ୭୫୦୦ ଡଲାର ହୋଇଯାଇଛି।

ଏଣୁ ରପ୍ତାନୀ କରିବା ଏବେ ବ୍ୟବସାୟୀଙ୍କ ଲାଗି କ୍ଷତିର ବିଷୟ ପାଲଟିଛି। ଏଣୁ ରପ୍ତାନୀକାରୀ ପଛକୁ ହଟି ଯାଇଛନ୍ତି, ଯାହାର ସିଧା ପ୍ରଭାବ ଚାଷୀଙ୍କ ଆମଦାନୀ ଉପରେ ପଡୁଛି। ଉପସାଗରୀୟ ସଂକଟ ର ପ୍ରଭାବ ଦେଶର ଘରୋଇ ଚାହିଦାକୁ ମଧ୍ୟ ପ୍ରଭାବିତ କରିଛି। ହୋଟେଲ ଓ ରେଷ୍ଟୋରାଣ୍ଚ ସେକ୍ଟରର ଧିମା କାରବାର ଓ ଏଲପିଜି ଯୋଗାଣ ଅନିୟମିତତା କାରଣରୁ ଖର୍ଚ୍ଚ କମିଛି। ଏହା ଛଡା ବାଂଲାଦେଶ ଭଳି ପାରମ୍ପରିକ କ୍ରେତା ମଧ୍ୟ ଗତ ୨ ବର୍ଷ ହେଲା ପିଆଜ ଆମଦାନୀ ହ୍ରାସ କରିଛି। ଏଣୁ ବଜାରରେ ପିଆଜ ଚାହିଦା ହ୍ରାସ ହୋଇଛି।

ହେଲେ ଏ ବର୍ଷ ଦେଶରେ ପିଆଜର ସେତେ ଭଲ ଅମଳ ହୋଇ ନାହିଁ। ଜାତୀୟ ସ୍ତରରେ ଏହି ଉତ୍ପାଦନ ହାର ୧୦ରୁ ୧୧% ପର୍ଯ୍ୟନ୍ତ କମିଛି। ଏଣୁ ଏ ବର୍ଷ ବଜାରରେ ପିଆଜ ଦର ଅଧିକ ହୋଇଥାନ୍ତା। ହେଲେ ରପ୍ତାନୀ ବନ୍ଦ ଦେଶରେ ପିଆଜ ଉପଲବ୍ଧତା ପର୍ଯ୍ୟାପ୍ତ ରହିଛି। ଏହାର ଅର୍ଥ ହେଉଛି କମ୍ ଉତ୍ପାଦନ ସତ୍ତ୍ୱେ ମୂଲ୍ୟ ଏଥି ପାଇଁ ବଢି ପାରିନି କାରଣ ଦେଶ ଭିତରେ ଅଧିକ ମାଲ ରହିଛି।