ନୂଆଦିଲ୍ଲୀ : ଭାରତ ବିଶ୍ୱରେ ଆମ୍ବ ଉତ୍ପାଦନରେ ପ୍ରଥମ। ପ୍ରତିବର୍ଷ ଦେଶରେ ପାଖାପାଖି ୨୪ ମିଲିୟନ ମେଟ୍ରିକ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ ଓ ଏହାର ଉନ୍ନତ କିସମ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ ହୋଇଥାଏ। ତେବେ ଜାପାନ ଏବେ ଭାରତୀୟ ଆମ୍ବ ଉପରେ ଅସ୍ଥାୟୀ ରୋକ ଲଗାଇ ଦେଇଛି। ଏହା ପରେ ଆଲଫାନସୋ, କେଶର, ଲଙ୍ଗଡା ଓ ବାଇଗଣ ପଲେଇ କିସମ ଆମ୍ବ ରପ୍ତାନୀକାରୀଙ୍କୁ ଝଟକା ଲାଗିଛି। ଏଥିରେ ହୁଏତ ଆପଣ ଜାଣିବାକୁ ଚାହିଁ ପାରନ୍ତି ଜାପାନୀ ଲୋକଙ୍କ ପସନ୍ଦର ଆମ୍ବ କ’ଣ? ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ।

ଜାପାନରେ ଭାରତୀୟ ଆମ୍ବ ନିଷିଦ୍ଧ
ଜାପାନର ଏହି ଆମ୍ବ କଟକଣା ସ୍ୱାଦ, କ୍ୱାଲିଟି ସମ୍ପର୍କିତ ଚିନ୍ତା ଯୋଗୁ ନୁହେଁ ବରଂ କଡ଼ା କୃଷି କ୍ୱାରେଣ୍ଟାଇନ ନିୟମ ଯୋଗୁ ଲାଗୁ ହୋଇଛି। ମାର୍ଚ୍ଚ ୨୦୨୬ରେ ଜାପାନର କ୍ୱାରେଣ୍ଟାଇନ ଅଧିକାରୀ ଭାରତରେ ଆମ୍ବର ଉପଚାର ଓ ପ୍ୟାକେଜିଂ ଫାସେଲିଟିର ନିରୀକ୍ଷଣ କରିଥିଲେ। କଥିତ ରୂପେ ଏକ୍ସପୋର୍ଟ ପୂର୍ବରୁ ଉପଯୋଗ କରାଯାଉଥିବା ଫ୍ୟୁମିଗେସନ ଓ ପରିସ୍କାର ପରିଛନ୍ନତା ପ୍ରକ୍ରିୟାରେ ଟେକ୍ନିକାଲ ତ୍ରୁଟି ଦେଖିବାକୁ ପାଇଥିଲେ। ଜାପାନ ଆମଦାନୀ ଫଳରେ ପୋକ ଓ ଫ୍ରୁଟ ଫ୍ଲାଇଜ୍ ପାଇଁ ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଛି। ତେବେ ନିରୀକ୍ଷଣ ପରେ ଜାପାନ୨୫ ମାର୍ଚ୍ଚ ୨୦୨୬ ପରେ ଜାରି କରାଯାଉଥିବା ପ୍ରମାଣପତ୍ର ସହିତ ଆମ୍ବ କନସାଇନମେଣ୍ଟକୁ ସ୍ୱୀକାର କରିବା ବନ୍ଦ କରିଦେଇଛି।

ଜାପାନରେ ଆମ୍ବର କେଉଁ କିସମ ସବୁଠୁ ପ୍ରସିଦ୍ଧ?
ଜାପାନରେ ଲୋକେ ସବୁଠୁ ଅଧିକ ଖାଉଥିବା ଆମ୍ବ କିସମ ହେଉଛି ‘ଇରୱିନ୍’। ଏହାକୁ ଜାପାନରେ ଲୋକେ ‘ଆପଲ ମ୍ୟାଙ୍ଗୋ’ ନାମରେ ଜାଣନ୍ତି। ଭାରତରେ ଆମ୍ବକୁ ଏକ ଋତୁକାଳୀନ ଫଳ ମନେ କରାଯାଏ। ହେଲେ ଜାପାନରେ ଆମ୍ବ ଏକ ବିଳାଶିତା ସାମଗ୍ରୀ ଓ ଲୋକେ ଏହାକୁ ଉପହାର ରୂପେ କ୍ରୟ କରିଥାନ୍ତି। ଇରୱିନ କିସମର ଆମ୍ବ ଚାଷ ମୁଖ୍ୟତଃ ଜାପାନର ଓକିନୱା ଓ ମିୟାଜାକୀ ପ୍ରାନ୍ତରେ ଚାଷୀ ଗ୍ରୀନ ହାଉସରେ ନିୟନ୍ତ୍ରିତ ପରିବେଶରେ ଅମଳ କରନ୍ତି। ଏହି ଆମ୍ବ ତାର ଗଭୀର ଲାଲ ରଙ୍ଗ, ଆକାର ଓ ମିଠା ସ୍ୱାଦ ପାଇଁ ଜଣାଯାଏ।

ଜାପାନରେ କେଉଁ ଇମ୍ପୋର୍ଟେଡ ଆମ୍ବର ଚାହିଦା ବେଶି
ଘରୋଇ ଭାବେ ଜାପାନ ଲଗଜରୀ ଆମ୍ବ ଉତ୍ପାଦନ କରିବା ସତ୍ତ୍ୱେ ବିଦେଶରୁ ମଧ୍ୟ ଆମଦାନୀ କରିଥାଏ। କଟକଣା ଲାଗିବା ପୂର୍ବରୁ ଭାରତୀୟ ଆମ୍ବ ସେହି ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରୀୟ ଥିଲା ଯେଉଁମାନେ ବିଦେଶୀ ଇମ୍ପୋର୍ଟେଡ କ୍ୱାଲିଟି ଉପରେ ଭରସା କରନ୍ତି। ଭାରତ ବ୍ୟତୀତ  ଥାଇଲ୍ୟାଣ୍ଡ, ମେକ୍ସିକୋ ଓ ଫିଲପାଇନ୍ସ ଆଦି ଦେଶରୁ ଜାପାନଆମ୍ବ ଆମଦାନୀ କରିଥାଏ।