ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ଥାୟୀ ଯୁଦ୍ଧବିରାମର ସକରାତ୍ମକ ପ୍ରଭାବ ଏବେ ବୈଶ୍ୱିକ ଶକ୍ତି ମାର୍ଗରେ ଦେଖିବାକୁ ମିଳିଛି। ୧୧ଏପ୍ରିଲ ଶନିବାର ଭାରତୀୟ ଏଲପିଜି ଟ୍ୟାଙ୍କର ‘ଜଗବିକ୍ରମ’ ସଫଳତା ପୂର୍ବକ ହର୍ମୁଜ ପାର କରିଛି। ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ପରେ ଏହି ରଣନୈତିକ ମାର୍ଗ ଦେଇ ଯାତ୍ରା କରିବାରେ ଏହା ପ୍ରଥମ ଭାରତୀୟ ଜାହାଜ ପାଲଟିଛି। ଜାହାଜ ଶୁକ୍ରବାର ରାତି ଓ ଶନିବାର ସକାଳେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ପାର କରିଛି। ଶନିବାର ମଧ୍ୟାହ୍ନରେ ଜାହାଜ ପୂର୍ବଦିଗକୁ ଗତି କରି ଓମାନ ଉପସାଗରରେ ପହଞ୍ଚିଥିବାର ସୂଚନା ଆସୁଛି।

ଏହା ଏକ ମଧ୍ୟମ ଆକାରର ଗ୍ୟାସ୍ ବାହକ ଜାହାଜ ଓ ଏଥିରେ ପାଖାପାଖି ୨୦,୦୦୦ ଟନ ଏଲପିଜି ରହିଛି। ଆମେରିକା-ଇରାନ ଯୁଦ୍ଧ ଯୋଗୁ ମାର୍ଚ୍ଚ ମାସ ପ୍ରାରମ୍ଭରୁ ଏ ପର୍ଯ୍ୟନ୍ତ ପାରସ୍ୟ ଉପସାଗରରୁ ସୁରକ୍ଷିତ ବାହାରିଥିବା ଏହା ନବମ ଭାରତୀୟ ଜାହାଜ। ହେଲେ ଏବେବି ଭାରତୀୟ ଧ୍ୱଜଧାରୀ ୧୫ ଜାହାଜ ସେହି କ୍ଷେତ୍ରରେ ଅଟକି ରହିଛନ୍ତି ଓ ଆଗକୁ ବଢିବା ପାଇଁ ସୁରକ୍ଷିତ ମାର୍ଗ ଲାଗି ଅପେକ୍ଷା କରିଛନ୍ତି। ତଥ୍ୟ ଅନୁସାରେ ପଶ୍ଚିମ ଏସିୟାରେ ଯୁଦ୍ଧ ଆରମ୍ଭ ହେବା ସମୟରେ ହର୍ମୁଜ କ୍ଷେତ୍ରରେ ମୋଟ ୨୮ଟି ଭାରତୀୟ ଜାହାଜ ଥିଲେ। ଏଥିରୁ ଏ ପର୍ଯ୍ୟନ୍ତ ମୋଟ ୧୧ଟି ଜାହାଜ ସୁରକ୍ଷିତ ବାହାରି ଆସିଛନ୍ତି।

ହର୍ମୁଜ ପ୍ରଣାଳୀ ଭାରତର ଶକ୍ତି ଆବଶ୍ୟକତା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିଜ ଆବଶ୍ୟକତାର ୮୮% ଅଶୋଧିତ ତୈଳ ଓ ୬୦% ଏଲପିଜି ଏହି ମାର୍ଗ ଦେଇ ଆଣିଥାଏ। ଯୁଦ୍ଧ ଯୋଗୁ ଏହି ମାର୍ଗ ବାଧିତ ହେବା କାରଣରୁ ଭାରତରେ ଗ୍ୟାସ୍ ଓ ଏଲପିଜିର ଘରୋଇ ଚାହିଦା ଉପରେ ଚାପ ପକାଇଛି। ହେଲେ ପରିସ୍ଥିତି ଏବେ ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି। ଜଗବିକ୍ରମ ଭଳି ଜାହାଜ ସୁରକ୍ଷିତ ଫେରିବା ପରେ ଯୋଗାଣ ଶୃଙ୍ଖଳାକୁ ପୁଣି ସ୍ୱଭାବିକ କରିବାକୁ ଉଦ୍ୟମ କରାଯାଉଛି।