ହାଇଦ୍ରାବାଦ: ବେଳେ ବେଳେ ବୟସ ହାରିଯାଏ , କଳା ପ୍ରତି ଥିବା ଭଲପାଇବା ବୟସକୁ ଲୁଚେଇଦିଏ । ଠିକ ସେହିଭଳି ୭୭ ବର୍ଷ ବୟସରେ ପୁଣି ଥରେ ନିଜର ଶାସ୍ତ୍ରୀୟ ନୃତ୍ୟକଳାର ଝଲକ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ର ପ୍ରଖ୍ୟାତ ଅଭିନେତ୍ରୀ ତଥା ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ହେମା ମାଳିନୀ। ନବରାତ୍ରି ଅବସରରେ ତାଙ୍କର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ର ମଞ୍ଚ ପ୍ରଦର୍ଶନ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି।

ଅକ୍ଟୋବର ୧୧ ତାରିଖରେ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ କ୍ଲାସିକ୍ କନଭେନସନ୍ ସେଣ୍ଟରରେ ଏହି ନୃତ୍ୟନାଟିକା ପରିବେଷଣ କରିଥିଲେ ହେମା । ଅଗ୍ରୱାଲ ସମାଜ, ତେଲେଙ୍ଗାନା ପକ୍ଷରୁ ଆୟୋଜିତ ‘ଅଗ୍ରା ଦାଣ୍ଡିଆ ନବରାତ୍ରି’ ଉତ୍ସବ ସହ ମହାରାଜା ଅଗ୍ରସେନ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ହେମା ମାଳିନୀ ମାତା ପାର୍ବତୀଙ୍କ ରୂପ ଧାରଣ କରିଥିଲେ। ତାଙ୍କ ସହ ଭଗବାନ ଶିବଙ୍କ ଭୂମିକାରେ ଅନ୍ୟ ଜଣେ କଳାକାର ମଞ୍ଚରେ ନଜର ଆସିଥିଲେ। ଭାରତୀୟ ପୁରାଣ ଓ ଆଧ୍ୟାତ୍ମିକ ବିଷୟବସ୍ତୁକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିବାରେ ହେମାଙ୍କ ଦୀର୍ଘଦିନର ଆଗ୍ରହ ଏହି ପ୍ରଦର୍ଶନରେ ପୁଣି ଥରେ ପ୍ରତିଫଳିତ ହୋଇଛି।

ନୃତ୍ୟ ପରିବେଷଣର କିଛି ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। ନବରାତ୍ରିର ପ୍ରଥମ ଦିନରେ ନିଜର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରିବା ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି ଥିଲା ବୋଲି ସେ ଜଣାଇଥିଲେ। ଏହି ସୁଯୋଗକୁ ସେ ଆଶୀର୍ବାଦ ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ।

ବଲିଉଡ୍ରେ ନିଜର ଅଭିନୟ ପାଇଁ ପରିଚିତ ହେମା ମାଳିନୀଙ୍କ କଳାତ୍ମକ ଯାତ୍ରାରେ ଭରତନାଟ୍ୟମ୍ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସିନେମା ପରଦା ବାହାରେ ମଧ୍ୟ ସେ ନୃତ୍ୟ ମାଧ୍ୟମରେ ଭାରତୀୟ ପରମ୍ପରା, ପୌରାଣିକ କାହାଣୀ ଓ ଭକ୍ତିଭାବକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇ ଆସୁଛନ୍ତି।

୭୭ ବର୍ଷ ବୟସରେ ମଧ୍ୟ ମଞ୍ଚ ଉପରେ ତାଙ୍କର ଉପସ୍ଥିତୀ ପ୍ରମାଣ କରୁଛି ଯେ, କଳା ପ୍ରତି ନିଷ୍ଠା ଓ ଭଲପାଇବା ସମୟ ସହ ମଳିନ ପଡ଼େ ନାହିଁ। ହେମା ମାଳିନୀଙ୍କ ‘ଦୁର୍ଗା’ ନୃତ୍ୟନାଟିକା କେବଳ ଏକ ମଞ୍ଚ ପରିବେଷଣ ନୁହେଁ, ବରଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଅବିଚଳ ସମର୍ପଣର ଆଉ ଏକ ଝଲକ।