ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ଏବଂ ଗଣତନ୍ତ୍ର ରକ୍ଷା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆନ୍ଦୋଳନ କରୁଛନ୍ତି । ବିରୋଧୀଙ୍କ ଆନ୍ଦୋଳନରେ ଦିଲ୍ଲୀ ହୁଲସ୍ତୁଲ । ଏହାରି ଭିତରେ ହିମାଚଳ ପ୍ରଦେଶର ସ୍ଥିତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର । ହିମାଚଳ ପ୍ରଦେଶର ସ୍ଥିତି ସୁଧାରିବା ଉପରେ ଧ୍ୟାନ ଦେବାକୁ ସେ କଂଗ୍ରେସ ନେତାଙ୍କୁ କହିଛନ୍ତି ।

ସୋନା ମହାପାତ୍ର କହିଛନ୍ତି, ଗଣତନ୍ତ୍ରକୁ ସୁଧାରିବା କଥା କହିବା ପୂର୍ବରୁ କଂଗ୍ରେସ ନିଜ ଶାସିତ ରାଜ୍ୟରେ ଭଲ କରି ଦେଖାଇବା ଦରକାର । ୯ ବର୍ଷ ପରେ ହିମାଚଳ ପ୍ରଦେଶ ଫେରି ପାହାଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଏବଂ ନଦୀଗୁଡ଼ିକର ଖରାପ ସ୍ଥିତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ସେ ଏକ୍ସରେ ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ହିମାଚଳ ପ୍ରଦେଶକୁ ଉତ୍ତମ ଶାସନର ଉଦାହରଣ ଭାବେ ଉପସ୍ଥାପନ କରାଯିବ ଦରକାର । ସରକାରଙ୍କୁ ନିଜ କାମରେ ଲୋକଙ୍କ ଭରସା ଜିତିବା ଦରକାର ।

ସୋନା ଲେଖିଛନ୍ତି, "ପ୍ରିୟ ରାହୁଲ ଗାନ୍ଧୀ, ଗଣତନ୍ତ୍ରକୁ ସୁଧାରିବା ପୂର୍ବରୁ ଆପଣ ହିମାଚଳ ପ୍ରଦେଶକୁ ସୁଧାରିବା କାମ କରିପାରିବେ ? ୯ ବର୍ଷ ପରେ ଏଠାକୁ ଫେରି ପାହାଡରେ ଅଳିଆ ଏବଂ ମୃତ ପ୍ରାୟ ନଦୀଗୁଡ଼ିକର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲି । କଂଗ୍ରେସ ଶାସିତ ଏହି ରାଜ୍ୟକୁ ଉନ୍ନତ ଶାସନର ଉଦାହରଣ କରନ୍ତୁ । ଜନତାଙ୍କ ଜନାଦେଶକୁ କେବଳ ଦାବି ନ କରି ଏହାକୁ ଅର୍ଜନ କର ।"

 

ସୋନା ମହାପାତ୍ରଙ୍କ ଏହି ଟିପ୍ପଣୀ ରାହୁଲ ଗାନ୍ଧୀଙ୍କ ସେହି ବୟାନର ଜବାବରେ ଆସିଛି, ଯେଉଁଥିରେ ସେ ମୁଖ୍ୟ ନିର୍ବାଚନ କମିଶନର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସଂସଦର କେନ୍ଦ୍ରୀୟ କକ୍ଷରେ ଇଣ୍ଡି ମେଣ୍ଟର ସାଂସଦଙ୍କୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ କହିଥିଲେ, ଜ୍ଞାନେଶ କୁମାର ଏବଂ ବର୍ତ୍ତମାନର ସରକାର ଯିବା ପରେ ଗଣତନ୍ତ୍ରକୁ ସୁଧାରିବାର ଆରମ୍ଭ ହେବ ।