ନୂଆଦିଲ୍ଲୀ: ଭାରତର ଖାଉଟି ବଜାରରେ ଏବେ ନୂଆ ପିଢ଼ିର ପତିଆରା। ବଦଳିଛି ଯୁବପିଢ଼ିର ଖର୍ଚ୍ଚ କରିବାର ତରିକା, ବଦଳିଛି ପସନ୍ଦ। ଆଉ ଏହି ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ଜେନ୍-ଜି । ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ପ୍ରାୟ ୩୭.୭ କୋଟି ଭାରତୀୟ ଏବେ ଦେଶର ବଡ଼ ସ୍ପେଣ୍ଡିଂ ଫୋର୍ସ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲେ ଜେନ୍-ଜି ଯେତିକି ଖର୍ଚ୍ଚ କରୁଛନ୍ତି ଅଧାରୁ ଅଧିକ ବାପାମାଙ୍କ ପଇସା। ନିଜେ ରୋଜଗାର କରି ଖର୍ଚ୍ଚ ଖୁବ୍ କମ। ତେବେ କେଉଁଠି ଏବଂ କେତେ ଖର୍ଚ୍ଚ କରୁଛନ୍ତି ଜେନ୍-ଜି?

ତଥ୍ୟ କହୁଛି, ଦେଶର ପ୍ରାୟ ୩୭.୭ କୋଟି ଜେନ୍-ଜି ବର୍ଷକୁ ପ୍ରାୟ ୮୬୦ ବିଲିୟନ ଡଲାର ବା ୮୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅର୍ଥାତ୍ ଦେଶର ମୋଟ ଖାଉଟି ବ୍ୟୟର ପ୍ରାୟ ୪୩ ପ୍ରତିଶତ ଭାଗ ଏହି ନୂଆ ପିଢ଼ି ଖର୍ଚ୍ଚ କରୁଛନ୍ତି। ଫୁଟୱେରଠାରୁ ଫ୍ୟାଶନ୍, ରେଷ୍ଟୁରାଣ୍ଟଠାରୁ ଟ୍ରାଭେଲ୍, ଏଣ୍ଟରଟେନମେଣ୍ଟ ଠାରୁ ଓଟିଟି, ଜେନ୍-ଜିଙ୍କ ପସନ୍ଦର ତାଲିକା ବେଶ୍ ଲମ୍ବା। ଏହି ସେଗମେଣ୍ଟଗୁଡ଼ିକରେ ହେଉଥିବା ମୋଟ ଖର୍ଚ୍ଚର ଏକ ବଡ଼ ଅଂଶ ଏହି ପିଢ଼ିର।

Also Read- ସାହାରା ଗ୍ରୁପ ଠକେଇର ଶିକାର ଲୋକଙ୍କ ପାଇଁ ଖୁସୀ ଖବର: ମିଳିବ ଫସି ରହିଥିବା ଟଙ୍କା,

ଆଉ ଆଗାମୀ ଦିନରେ ଏହି ଖର୍ଚ୍ଚ ଆହୁରି ବଢ଼ିବ। ଆକଳନ ଅନୁସାରେ, ୨୦୩୫ ସୁଦ୍ଧା ଜେନ୍-ଜିଙ୍କ ବାର୍ଷିକ ବ୍ୟୟ ୨ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ । ଅର୍ଥାତ୍ ଦେଶର ମୋଟ ଖୁଚୁରା ବ୍ୟୟର ପ୍ରାୟ ଅଧା ଭାଗ ଏହି ପିଢ଼ିର ହୋଇପାରେ। ବୋଷ୍ଟନ କନ୍ସଲ୍ଟି ଗ୍ରୁପ୍ (ବିସିଜି) ଏବଂ ସ୍ନାପ୍ ଇଙ୍କ୍ ପକ୍ଷରୁ ପ୍ରସ୍ତୁତ ଏକ ମିଳିତ ରିପୋର୍ଟ କହୁଛି ବର୍ତ୍ତମାନ ଜେନ୍-ଜିଙ୍କ ଅଧିକାଂଶ ଖର୍ଚ୍ଚ ପରିବାରର ଆୟ ଉପରେ ନିର୍ଭରଶୀଳ। କିନ୍ତୁ ଚାକିରି ଓ ଆୟ ବଢ଼ିବା ସହିତ ନିଜ ରୋଜଗାରରୁ ଖର୍ଚ୍ଚ କରିବାର ପରିମାଣ ମଧ୍ୟ ବଢ଼ୁଛି। ତେଣୁ ଆଗକୁ ଏମାନେ ନିଜ ଖର୍ଚ୍ଚରେ ଅଧିକ ବ୍ୟୟ କରିବେ।

କେବଳ ସପିଂ ନୁହେଁ, ଜେନ୍-ଜିଙ୍କ ନଜର ଏବେ ନିବେଶ ଉପରେ ମଧ୍ୟ ରହିଛି। ୟୁପିଆଇ ଓ ଡେବିଟ୍ କାର୍ଡର ବ୍ୟବହାର ସହ ଷ୍ଟକ୍ ମାର୍କେଟରେ ମଧ୍ୟ ଏହି ପିଢ଼ିର ସକ୍ରିୟତା ବଢ଼ିଛି। ଏପରିକି ଲକ୍ଜୁରୀ କାର୍ ବଜାରରେ ମଧ୍ୟ ଯୁବ ପେସାଦାର, ଟେକ୍ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ଚାହିଦା ବଢ଼ୁଛି। ତେଣୁ ସ୍ପଷ୍ଟ ଯେ ଭାରତର ଖାଉଟି ବଜାରର ଆଜି ଓ ଆସନ୍ତାକାଲି, ଉଭୟରେ ଜେନ୍-ଜିଙ୍କ ପ୍ରଭାବ ଆହୁରି ମଜବୁତ ହେବ।

ଅର୍ଥାତ୍, ଜେନ୍-ଜି କେବଳ ନୂଆ ପିଢ଼ି ନୁହଁନ୍ତି, ଭାରତୀୟ ଅର୍ଥନୀତିର ନୂଆ ସ୍ପେଣ୍ଡିଂ ପାୱାର୍ । ବଜାରର ଟ୍ରେଣ୍ଡ ହେଉ କି ବ୍ରାଣ୍ଡର ରଣନୀତି ଆଗାମୀ ଦିନରେ ଜେନ୍-ଜିଙ୍କ ପସନ୍ଦ ହିଁ ଅନେକ କ୍ଷେତ୍ରରେ ନିର୍ଣ୍ଣାୟକ ହୋଇପାରେ।