ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ବିବାଦ ଉପୁଜିଛି। ଏହି ଫିଲ୍ମର ଗୀତ ‘ତୁ ମିଲ ଯାଏ’ରେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ପିନ୍ଧିଥିବା ଗେରୁଆ ପରିଧାନକୁ ନେଇ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଆପତ୍ତି କରିଛନ୍ତି। ଦିଲ୍ଲୀ ଏମଏଲଏ ଫିଲ୍ମର ଅଭିନେତା ତଥା ନିର୍ମାତାଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ଦୃଶ୍ୟ ପରିବର୍ତ୍ତନ ନ କରାଗଲା ତେବେ ସେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବେ। ସେ ଫିଲ୍ମ ବହିଷ୍କାରର ଧମକ ମଧ୍ୟ ଦେଇଛନ୍ତି। ଫଳରେ ଗେରୁଆ ରଙ୍ଗକୁ ନେଇ ବଳିଉଡରେ ପୁଣି ଥରେ ବିତର୍କ ଆରମ୍ଭ ହୋଇଯାଇଛି।

ଗଣମାଧ୍ୟମ ସହ ସାକ୍ଷାତକାରରେ ନେଗୀ କହିଛନ୍ତି ଯେ ସର୍ବ ପ୍ରଥମେ ୩ ବର୍ଷ ପୂର୍ବେ ଦୀପିକାଙ୍କ ଗେରୁଆ ବକିନୀକୁ ନେଇ ହୋଇଥିବା ବିବାଦକୁ ମନେ ପକାଇଛନ୍ତି। ଫିଲ୍ମ ‘ପଠାନ’ରେ ଦୀପିକା ଏହି ବିକନୀ ପିନ୍ଧିଥିଲେ। ଏହା ପରେ ସେ ଶାହରୁଖ ଖାନଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି ଫିଲ୍ମ ର ଏହି ସିନ୍ ନ ବଦଳିଲେ ସାରା ଦେଶରେ ଏହାକୁ ବିରୋଧ କରାଯିବ। ସେ କହିଛନ୍ତି ଯେ କେହି ସନାତନୀ ସନାତନ ଧର୍ମ ବିରୋଧରେ କିଛି ବି ବରଦାସ୍ତ କରିବେନି। ଫିଲ୍ମରେ ଗେରୁଆ ରଙ୍ଗର ପୋଷାକକୁ ନେଗୀ ଧାର୍ମିକ ଭାବନାକୁ ଧକ୍କା ଲାଗିବା ଭଳି ଏକ ସୁଚିନ୍ତିତ ଉଦ୍ୟମ ବୋଲି କହିଛନ୍ତି।

ଦୀପାବଳିରେ ଆତସବାଜୀ ଓ ଇଦରେ ପଶୁ ବଳିକୁ ନେଇ ହେଉଥିବା ବିତର୍କର ତୁଳନା କରି ସେ ଲୋକଙ୍କ ପ୍ରତିକ୍ରିୟାରେ ଦେଖାଯାଉଥିବା ଅନ୍ତର ଉପରେ ସେ ପ୍ରଶ୍ନ କରିଛନ୍ତି। ବିଧାୟକ ନିକଟରେ ଅଭିନେତ୍ରୀ ଦିୟା ମିର୍ଜା ଓ ବୃହ୍ନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସ୍ (ବିଏମସି) ପ୍ରଦୂଷଣ ମୁକ୍ତ ଦୀପାବଳି କ୍ୟାମ୍ପେନ ସମ୍ପର୍କିତ ବିବାଦର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର, ଯେଉଁ ଦିଆ ମିର୍ଜା କହୁଛନ୍ତି ଦୀପାବଳିରେ ବାଣ ଫୁଟାନ୍ତୁନି ସେ ଇଦ ବେଳେ କେଉଁଠି ଥାନ୍ତି? ବିଧାୟକ କହିଛନ୍ତି ଯେ ଚଳଚିତ୍ରରେ ଏହି ଦୃଶ୍ୟ ସନାତନ ପରମ୍ପରାକୁ ବଦନାମ କରିବା ପାଇଁ ଉଦ୍ୟମର ଏକ ଅଂଶ। ଫିଲ୍ମରେ ଏପରି ପୋଷାକ ପିନ୍ଧିବା ଦୀପିକାଙ୍କ ଲାଗି ଲଜ୍ଜାଜନକ।

ବିଧାୟକ କହିଛନ୍ତି ଯେ କେଉଁଠି ନା କେଉଁଠି ଏହା ହିନ୍ଦୁ ଧର୍ମକୁ ଅପମାନିତ କରିବାର ଏକ ଷଡ଼ଯନ୍ତ୍ର। ଏମାନେ ହିନ୍ଦୁସ୍ତାନ ପାଇସାରେ ସେଲିବ୍ରିଟି ହେଉଛନ୍ତି, କେଉଁଠି ନା କେଉଁଠି ସନାତନକୁ ଅପମାନିତ କରୁଛନ୍ତି। ଏହାକୁ ଆମେ ବିରୋଧ କରୁଛୁ।