ନୂଆଦିଲ୍ଲୀ: ଯେଉଁମାନଙ୍କର ଟଙ୍କା ସାହାରା ଗ୍ରୁପ ସମବାୟ ସମିତିରେ ଫସି ରହିଥିଲା ସେମାନଙ୍କ ପାଇଁ ଖୁସୀ ଖବର। କାରଣ କେନ୍ଦ୍ର ସରକାର ପୁଣିଥରେ ସହାରା ରିଫଣ୍ଡ ପୋର୍ଟାଲ ଚାଲୁ କରିଛନ୍ତି। ଫଳରେ ପୂର୍ବରୁ ଗ୍ରୁପରେ ଫସି ରହିଥିବା ଟଙ୍କା ଜମା କରି ରିଫଣ୍ଡକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କୁ ଏକ ଆସ୍ୱସ୍ତି ମିଳିଛି। ଘଟଣାରେ ପୂର୍ବରୁ ଲମ୍ବିତ ଥିବା ପ୍ରାୟ ୨୦ ଲକ୍ଷ ଦାବିର ଯାଞ୍ଚ କରାଯିବ, ଏବଂ ଯଥାଶୀଘ୍ର ସେମାନଙ୍କର ଟଙ୍କା ଫେରସ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କୁହାଯାଉଛି।

ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରଣାଳୟ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୪୨ ଲକ୍ଷ ଜମାକାରୀଙ୍କୁ ମୋଟ ୯ ହଜାର ୨୬୭ କୋଟି ଟଙ୍କା ଫେରସ୍ତ କରାଯାଇଛି। ଏହି ଟଙ୍କା ଜମାକାରୀଙ୍କ ଆଧାର ସହ ଲିଙ୍କ୍ ଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଏବେ ପୋର୍ଟାଲ ପୁଣି ଚାଲୁ ହେବା ପରେ ଅନ୍ୟ ଯୋଗ୍ୟ ଜମାକାରୀଙ୍କ ଦାବି ଉପରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ।

ତେବେ କାହିଁକି ବନ୍ଦ ହୋଇଥିଲା ରିଫଣ୍ଡ ପ୍ରକ୍ରିୟା? ସହାରା ସମବାୟ ସମିତିଗୁଡ଼ିକରେ ଆଇଟି ବ୍ୟବସ୍ଥା, ଆବଶ୍ୟକ ଲାଇସେନ୍ସ, କମ୍ପ୍ୟୁଟର ଓ ଅନ୍ୟ ଉପକରଣର ରକ୍ଷଣାବେକ୍ଷଣ ସହ କର୍ମଚାରୀ ଅଭାବ ଭଳି ସମସ୍ୟା ଦେଖାଦେଇଥିଲା। ନଭେମ୍ବର ୨୦୨୫ରେ କିଛି ମାମଲା କାରଣରୁ ସମିତିଗୁଡ଼ିକର ପରିସର ସିଲ୍ ହୋଇଥିଲା। ଫଳରେ ଦାବି ଯାଞ୍ଚ ଓ ରିଫଣ୍ଡ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏବେ ସହଯୋଗ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଏହି ବୈଷୟିକ ଓ ପ୍ରଶାସନିକ ସମସ୍ୟାଗୁଡ଼ିକୁ ଦୂର କରାଯାଇଛି।

ସହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି, ସହାରାୟନ ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଏବଂ ଷ୍ଟାର୍ସ ମଲ୍ଟିପର୍ପୋଜ୍ କୋଅପରେଟିଭ୍ ସୋସାଇଟିର ଯୋଗ୍ୟ ଜମାକାରୀ ଏହି ରିଫଣ୍ଡ ପ୍ରକ୍ରିୟାର ଲାଭ ପାଇପାରିବେ।

ରିଫଣ୍ଡ ପାଇଁ ଦାବି ପ୍ରକ୍ରିୟାକୁ ଅନଲାଇନ୍ ଓ କାଗଜବିହୀନ ରଖାଯାଇଛି। ଆଧାର ମାଧ୍ୟମରେ ଜମାକାରୀଙ୍କ ପରିଚୟ ଯାଞ୍ଚ କରାଯାଏ। ଏହାପରେ ନାମ, ସଦସ୍ୟତା ତଥ୍ୟ, ଜମା ପ୍ରମାଣପତ୍ର ଏବଂ ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଯାଞ୍ଚ ହୁଏ। ଯାଞ୍ଚ ସମ୍ପୂର୍ଣ୍ଣ ହେଲେ ଯୋଗ୍ୟ ଜମାକାରୀଙ୍କ ଖାତାକୁ ଟଙ୍କା ପଠାଯାଏ।

ନୂଆ ଦାବି ପାଇଁ ଜମାକାରୀମାନେ କେବଳ ଅଧିକୃତ ସହାରା ରିଫଣ୍ଡ ପୋର୍ଟାଲ ବ୍ୟବହାର କରିବା ଉଚିତ। ପୂର୍ବରୁ ଦାଖଲ କରିଥିବା ଦାବିରେ ତ୍ରୁଟି ଥିଲେ, ତାକୁ ସୁଧାରି ପୁଣି ଦାବି ଦାଖଲ କରିବାର ସୁବିଧା ମଧ୍ୟ ରହିଛି। ନକଲି ୱେବସାଇଟ୍, ଏଜେଣ୍ଟ ଓ ଭ୍ରାମକ ପ୍ରତିଶ୍ରୁତିଠାରୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।