ମୁମ୍ବାଇ, ୬ / ୧୧ :- ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଛି। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି। ଏହାରି ଭିତରେ ଦୀପାବଳି ଅବସରରେ ନିଜ ପାରିବାରିକ ଜୀବନ ଓ ଗୋବିନ୍ଦାଙ୍କ ସହ ବିତାଇଥିବା ପୁରୁଣା ଦିନର ସ୍ମୃତି ବଖାଣିଛନ୍ତି ସୁନୀତା। ଏଥିସହ ସେମାନଙ୍କ ୪୦ ବର୍ଷର ବୈବାହିକ ସମ୍ପର୍କକୁ ନେଇ ମଧ୍ୟ ମନ ଖୋଲି କଥା ହୋଇଛନ୍ତି।

ପିଙ୍କଭିଲାକୁ ଦେଇଥିବା ଏକ ସାକ୍ଷାତକାରରେ ସୁନୀତା କହିଛନ୍ତି ଯେ, ପୂର୍ବରୁ ଦୀପାବଳି ସମୟରେ ଘରେ ସମସ୍ତେ ଏକାଠି ହେଉଥିଲେ। ଶାଶୂ, ପିଲାମାନେ ଏବଂ ଭଣଜାମାନଙ୍କ ଉପସ୍ଥିତିରେ ଘରେ ଉତ୍ସବର ମାହୋଲ ରହୁଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି। ଶାଶୂ ଆଉ ନାହାନ୍ତି, ପିଲାମାନେ ବଡ଼ ହୋଇଗଲେଣି ଏବଂ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଫଳରେ ପୂର୍ବଭଳି ଘରେ ଆଉ ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳୁନାହିଁ।

ସୁନୀତା କହିଛନ୍ତି, ପିଲାମାନେ ବଡ଼ ହୋଇଯିବା ପରେ ଘର ଖାଁ ଖାଁ ଲାଗୁଛି। ସେମାନଙ୍କୁ ଘରେ ରହିବାକୁ ମଧ୍ୟ କହିପାରୁନାହାନ୍ତି। ତେଣୁ ଏବେ ସେ ନିଜେ ଏକୁଟିଆ ଦୀପାବଳି ପାଳନ କରୁଛନ୍ତି। ଘରେ ଦୀପ ଜଳାଇବା ସହ ମିଠା ଖାଇ ଉତ୍ସବ ପାଳନ କରୁଛନ୍ତି। ତେବେ ତାଙ୍କୁ ଡାଇବେଟିସ ଥିବାରୁ ମିଠା କମ୍ ଖାଆନ୍ତି ବୋଲି ମଧ୍ୟ କହିଛନ୍ତି।

ବିବାହ ପରେ ପ୍ରଥମ ଦୀପାବଳିରେ କ'ଣ ଉପହାର ଦେଇଥିଲେ ଗୋବିନ୍ଦା?ସାକ୍ଷାତକାରରେ ସୁନୀତା ବିବାହ ପରେ ଶାଶୂଘରେ ପାଳନ କରିଥିବା ପ୍ରଥମ ଦୀପାବଳିର ସ୍ମୃତି ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ବିବାହ ପରେ ପ୍ରଥମ ଦୀପାବଳିରେ ତାଙ୍କ ଶାଶୂ ତାଙ୍କୁ ଏକ ଶାଢ଼ି ଓ ସୁନାର ସେଟ୍ ଉପହାର ଦେଇଥିଲେ। ଗୋବିନ୍ଦା ମଧ୍ୟ ତାଙ୍କୁ ଦୀପାବଳି ଉପହାର ଦେଇଥିଲେ। ହେଲେ ଏବେ ଗୋବିନ୍ଦା ଟିକେ କଞ୍ଜୁସ୍ ହୋଇଯାଇଛନ୍ତି ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି ସୁନୀତା। ନିଜ ପରିବାରରେ ନିଜର ଗୁରୁତ୍ୱକୁ ନେଇ ସୁନୀତା କହିଛନ୍ତି ଯେ, ସେ ଯେଉଁଠାକୁ ଗଲେ ମଧ୍ୟ ଲୋକମାନେ ତାଙ୍କୁ ଲକ୍ଷ୍ମୀ ବୋଲି କହିଥାନ୍ତି। ତାଙ୍କ ଶାଶୂ ମଧ୍ୟ ବୋହୂକୁ ଲକ୍ଷ୍ମୀ ବୋଲି ମାନୁଥିଲେ। ଗୋବିନ୍ଦା ମଧ୍ୟ ତାଙ୍କୁ ନିଜ ପାଇଁ ଲକ୍ଷ୍ମୀ ବୋଲି କହୁଥିଲେ।

ଗୋବିନ୍ଦାଙ୍କ ସହ ନିଜ ସମ୍ପର୍କକୁ ନେଇ ସୁନୀତା କହିଛନ୍ତି, ସେ ସବୁବେଳେ ନିଜ ସ୍ୱାମୀଙ୍କ ସହ ଛିଡ଼ା ହୋଇଛନ୍ତି। ସେ ସତ୍ୟର ପକ୍ଷ ନିଅନ୍ତି ଏବଂ ଯାହା ଠିକ୍ ମନେକରନ୍ତି, ତାହା ଖୋଲାଖୋଲି କହିଥାନ୍ତି। ଗୋବିନ୍ଦା ତାଙ୍କୁ ଗାଳି ଦିଅନ୍ତି ବୋଲି କହୁଥିବା ପ୍ରସଙ୍ଗରେ ସେ କହିଛନ୍ତି, ଏଥିରେ ନୂଆ କଥା କ'ଣ? କିଏ ବା ଗାଳି ଦିଏ ନାହିଁ? ସେ ଚୁପ୍ ରହି ଅଭିନୟ କରିପାରିବେ ନାହିଁ। ସେ ଯେମିତି, ସେମିତି ହିଁ କଥା କୁହନ୍ତି।

also read- ବକ୍ସ ଅଫିସରେ ରଣବୀର କପୁରଙ୍କ 'ରାମାୟଣ': ପ୍ରଥମ ଦିନର ଆୟ ଆଶାଠାରୁ ବହୁତ କମ୍ !

ତେବେ ଆଗକୁ ପୁଣି ଭଲ ଦିନ ଆସିବ ବୋଲି ଆଶାବାଦୀ ଅଛନ୍ତି ସୁନୀତା। ସମସ୍ତେ ପୁଣି ଏକାଠି ହେବେ ବୋଲି ସେ ଆଶା ରଖିଛନ୍ତି। ତାଙ୍କ କହିବା ଅନୁସାରେ, ସମୟ ଆଗରେ କାହାରି କିଛି ଚାଲେ ନାହିଁ। ଆମର ୪୦ ବର୍ଷର ବିବାହ ସମ୍ପର୍କ। ଏହା ଆଗକୁ ମଧ୍ୟ ଜାରି ରହିବ। ଆମକୁ କେହି ଅଲଗା କରିପାରିବେ ନାହିଁ। ବାକି ସବୁ ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ଭଗବାନ ଯାହା ତାଙ୍କ ପାଇଁ ଠିକ୍ ଭାବିବେ, ତାହା ହିଁ ହେବ। ସୁନୀତାଙ୍କ ଏହି ବୟାନ ପରେ ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି।