ନୂଆଦିଲ୍ଲୀ: ଆଇପିଏଲ୍ ତାରକାଙ୍କୁ ନେଇ ଗଠିତ ଭାରତୀୟ ‘ଏ’ ଦଳ ତ୍ରିରାଷ୍ଟ୍ରୀୟ ସିରିଜ୍ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ପରାଜୟର ଦ୍ଵାର ଦେଶରେ ଥାଇ ବି ଶ୍ରୀଲଙ୍କାର ହାତମୁଠାରୁ ବିଜୟ ଛଡ଼ାଇ ଆଣିଛି ଭାରତୀୟ ଏ ଦଳ। ଏକଦା ଶ୍ରୀଲଙ୍କା ଦଳ ସହଜ ବିଜୟ ଆଡ଼କୁ ଗତି କରୁଥିବା ବେଳେ ଶେଷ କେଇଟି ଓଭରରେ ଭାରତୀୟ ବୋଲରମାନେ ଶାଣିତ ବୋଲିଂ କରି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ ଏବଂ ଶ୍ରୀଲଙ୍କା ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଋତୁରାଜ ଗାଏକ୍ଵାଡ଼ଙ୍କ ଶତକ ଏବଂ ଅଧିନାୟକ ତିଳକ ବର୍ମାଙ୍କ ୬୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୭୭ ରନ କରିଥିଲା। ଜବାବରେ ଅଧିନାୟକ ସାହାନ ଅରାଚିଗେଙ୍କ ୭୪ ରନ ଏବଂ ଦୁଇ ଓପନର ଉପଯୋଗୀ ବ୍ୟାଟିଂ ପରେ ବି ୪୮.୫ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଛି। ଆଉ ଭାରତ ରୋମାଞ୍ଚକର ମ୍ୟାଚକୁ ୮ ରନରେ ଜିତି ନେଇଛି।

ଶେଷ ୪ ଓଭରର ରୋମାଞ୍ଚ

୨୭୮ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ୪୬ ଓଭର ସୁଦ୍ଧା ୬ ୱିକେଟ୍ ହରାଇ ୨୫୬ ରନ୍ କରିସାରିଥିଲା। ଜିତିବା ପାଇଁ ଶେଷ ୨୪ ବଲ୍ରେ ଦଳକୁ ମାତ୍ର ୨୨ ରନ୍ ଆବଶ୍ୟକ ଥିଲା। କ୍ରିଜ୍ରେ ସେତେବେଳେ ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜରେ ଥିଲେ ଅଧିନାୟକ ସହାନ ଆରାଚିଗେ। ଭାରତ ମ୍ୟାଚ୍ ହାରିଯିବା ନେଇ ସମସ୍ତେ ଭାବି ନେଇଥିଲେ। କିନ୍ତୁ ଏହାପରେ ମ୍ୟାଚରେ ଆସିଥିଲା ଟୁଇଷ୍ଟ।

୪୭ତମ ଓଭର ବୋଲିଂ କରିବାକୁ ଆସିଥିବା ଅରଶଦ୍ ଖାନ୍ ମାତ୍ର ୫ ରନ୍ ଦେଇ ଶ୍ରୀଲଙ୍କା ଉପରେ ଚାପ ସୃଷ୍ଟି କରିଥିଲେ। ୪୮ତମ ଓଭର ଅଂଶୁଲ କାମ୍ବୋଜ ମାତ୍ର ୭ ରନ୍ ଦେବା ସହ ସେଟ୍ ବ୍ୟାଟର ତଥା ଶ୍ରୀଲଙ୍କା ଅଧିନାୟକ ଆରାଚିଗେ (୭୪ ରନ୍)ଙ୍କ ବଡ଼ ୱିକେଟ୍ ଚଟକାଇଥିଲେ। ୪୯ତମ ଓଭର ଶେଷ ୧୨ ବଲରେ ଶ୍ରୀଲଙ୍କାକୁ ୧୦ ରନ୍ ଦରକାର ଥିଲା ଏବଂ ହାତରେ ୩ଟି ୱିକେଟ୍ ବାକି ଥିଲା। ଏହି ଓଭରରେ ଅରଶଦ୍ ଖାନ୍ ଘାତକ ବୋଲିଂ କରି ଦ୍ୱିତୀୟ ବଲ୍ରେ ବିଜୟକାନ୍ତଙ୍କୁ ପାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ବଲରେ ଭାନୁଜା ସହାନ ରନ୍ ଆଉଟ୍ ହୋଇଥିଲେ ଏବଂ ଓଭରର ପଞ୍ଚମ ବଲରେ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ଭାରତକୁ ୮ ରନର ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ।

ଶ୍ରୀଲଙ୍କାକୁ ମିଳିଥିଲା ଦମଦାର ଆରମ୍ଭ

ଏହା ପୂର୍ବରୁ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳକୁ ନିରୋଶନ ଡିକ୍ୱେଲା (୪୭) ଏବଂ ଅଭିଷ୍କା ଫର୍ଣ୍ଣାଣ୍ଡୋ (୪୫) ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ି ଦୃଢ ଆରମ୍ଭ ଦେଇଥିଲେ। ଆୟୁଷ ବଦୋନୀ ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ। ଏହାପରେ ସଦୀରା ସମରବିକ୍ରମା (୪୬) ଏବଂ ସହାନ ଆରାଚିଗେ (୭୪) ଚତୁର୍ଥ ୱିକେଟ୍ ପାଇଁ ୭୮ ରନ୍ର ଭାଗିଦାରୀ କରି ଦଳକୁ ବିଜୟର ନିକଟତର କରିଥିଲେ ମଧ୍ୟ ଶେଷରେ ଟିମ୍ ଇଣ୍ଡିଆର ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ।

ଋତୁରାଜ ଗାଏକ୍ୱାଡଙ୍କ ଆକର୍ଷଣୀୟ ଶତକ

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ତିଲକ ବର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର୍ ପ୍ରଭସିମରନ୍ ସିଂ (୨) ଏବଂ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ (୧୪) ଶସ୍ତାରେ ଆଉଟ୍ ହୋଇଥିଲେ। ପ୍ରିୟାଂଶ ଆର୍ଯ୍ୟ ମଧ୍ୟ ୩୨ ରନ୍ କରି ରନ୍ ଆଉଟର ଶିକାର ହୋଇଥିଲେ। ୪୪ ରନରେ ୩ଟି ୱିକେଟ୍ ହରାଇ ଭାରତ ବିପଦରେ ଥିବା ବେଳେ ଷ୍ଟାର୍ ବ୍ୟାଟର ଋତୁରାଜ ଗାଏକ୍ୱାଡ୍ ଏବଂ ଅଧିନାୟକ ତିଲକ ବର୍ମା ମିଳିତ ଭାବେ ୧୫୦ ରନ୍ର ଏକ ଦମଦାର ପାର୍ଟନରସିପ୍ କରିଥିଲେ। ଋତୁରାଜ ୧୧୪ ବଲ୍ରେ ୩ଟି ଛକା ଓ ୬ଟି ଚୌକା ସହ ୧୦୧ ରନର ଶତକୀୟ ପାଳି ଖେଳିଥିଲେ। ଅନ୍ୟପଟେ ତିଲକ ବର୍ମା ୬୦ ରନର ଦାୟିତ୍ୱବାନ ପାଳି ଖେଳିଥିଲେ।

ଶେଷ ଆଡ଼କୁ ଆୟୁଷ ବଦୋନୀଙ୍କ ୨୪ ରନ୍ ଏବଂ ସୂର୍ଯ୍ୟାଂଶ ସେଡଗେଙ୍କ ବିସ୍ଫୋରକ ୨୬ ରନ୍ (୧୪ ବଲ୍) ସହାୟତାରେ ଭାରତ ନିର୍ଦ୍ଧାରିତ ଓଭରରେ ୨୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା। ଭାରତୀୟ ବୋଲର ଶାଣିତ ବୋଲିଂ କରି ଏହି ରନ ବଞ୍ଚାଇବାରେ ସଫଳ ହାେଇଛନ୍ତି।