ଛତ୍ରପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l ଜିଲ୍ଲାରେ ଏଯାବତ ୧୨୦୦ରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି l ସେଥିମଧ୍ୟରୁ ପ୍ରାୟ ୬୦ ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନନ୍ତର କରାଯାଇଛି  l ପ୍ରାୟ ୪୧ ଜଣଙ୍କ ପ୍ରସବ ମଧ୍ୟ ହୋଇଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ସୂଚନା ଦେଇଛନ୍ତି  l

ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି  l ଆନ୍ଧ୍ର ଓ ପାରାଦ୍ୱୀପରୁ ଆସିଥିବା ମତ୍ସ୍ୟଜୀବୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯିବ, ଏବେ ସେମାନଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି l ସେହିପରି ଜିଲ୍ଲାରେ ଥିବା ସମସ୍ତ ବେଳାଭୂମିକୁ ଆସନ୍ତା କାଲି ଦିନ ୧୨ଟା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ରବିବାର ସୁଦ୍ଧା ୩ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚି ସାରିଛି । ସୋମବାର ଦୁଇଟି ଏନଡିଆରଏଫ୍ ଟିମ୍ ଜିଲ୍ଲାରେ ପହଞ୍ଚିବ ଏବଂ ୪ଟି ଟିମକୁ ପ୍ରସ୍ତୁତ କରି ରଖାଯାଇଛି  l ଜିଲ୍ଲାର ପାତ୍ରପୁର, ଭଞ୍ଜନଗର, ସୋରଡ଼ା, ବ୍ରହ୍ମପୁର ଓ ଛତ୍ରପୁର ଅଞ୍ଚଳରେ ଟିମ ଗୁଡିକୁ ରଖାଯିବ, ଆବଶ୍ୟକ ସ୍ଥଳେ ତାଙ୍କୁ ମୁତୟନ କରାଯିବ l ଗୋଟାଏ ଟିମ ବ୍ରହ୍ମପୁରରେ ପହଞ୍ଚି କାମ ଆରମ୍ଭ କରିସାରିଲେଣି l

​​​​​​​

ସେପଟେ ଚାଷୀଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ଅପିଲ୍ କରିଛନ୍ତି । ସେ କହିଛନ୍ତି, ଚାଷୀମାନେ ଭୟଭୀତ ହୁଅନ୍ତୁ ନାହିଁ ଯଦି କେଉଁଠି ଚାଷ ଜମିରେ କିଛି କ୍ଷୟ କ୍ଷତି ଘଟେ ତୁରନ୍ତ ସେଗୁଡିକର ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ l କଞ୍ଚା ଧାନ ଫସଲ ନ କଟିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।