ଓ୍ଵେଲିଂଟନ: ଓ୍ଵେଲିଂଟନର ବାସିନ ରିଜର୍ଭ ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟରଙ୍କ ରାଜୁତି। ଫଳରେ ପ୍ରଥମ ଟେଷ୍ଟରେ ବର୍ତ୍ତମାନ ଡ୍ରାଇଭିଂ ସିଟରେ ଶୁଭମନ ଗିଲଙ୍କ ଟିମ୍ ଇଣ୍ଡିଆ। କେଏଲ ରାହୁଲଙ୍କ ଶତକ ସହ ଟପ୍ ଅର୍ଡରର ସମସ୍ତ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଛି। ଋଷଭ ପନ୍ତ ୫୫ ରନ ଓ ନାଇଟ୍ ଓ୍ଵାଚମ୍ୟାନ ଅଂଶୁଲ କମ୍ବୋଜ କ୍ରିଜରେ ଅଛନ୍ତି। ସବୁଠୁ ବଡ଼ କଥା ଦିନର ଶେଷ ଓଭରରେ ହିଁ ଅଧିନାୟକ ଗିଲ୍ ଆଉଟ୍ ହେବା ସହ ଶତକରୁ ୨ ରନରେ ବଞ୍ଚିତ ହୋଇଛନ୍ତି। କେଏଲ ରାହୁଲ ୧୩୬ ରନର ଶତକୀୟ ଇନିଂସ ଖେଳିଛନ୍ତି। ଦେବଦତ୍ତ ପାଡିକଲଙ୍କ ବ୍ୟାଟର ୮୦ ରନ ଆକର୍ଷଣୀୟ ଇନିଂସ ଦେଖିବାକୁ ମିଳିଛି। ଭାରତ ଘରୋଇ ନ୍ୟୁଜିଲାଣ୍ଡଠୁ ୧୧୮ ରନରେ ଅଗ୍ରଣୀ ହାସଲ କରିଛି।

ଦ୍ଵିତୀୟ ଦିନ ଅସମାପ୍ତ ଖେଳ ୧୫୯/୧ରୁ ଭାରତ ନିଜର ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ କେଏଲ ରାହୁଲ ୫୨ ରନ ଓ ଦେବଦତ୍ତ ପାଡିକଲ ୧୬ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟର ତୃତୀୟ ଦିନରେ କିଓ୍ଵି ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଏହି କ୍ରମରେ ପାଡିକଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୫ ରନର ଯୋଡ଼ି ଭାରତର ସ୍ଥିତି ଆହୁରି ମଜବୁତ କରିଥିଲେ।

ଦଳୀୟ ସ୍କୋର ୨୯୫ରେ ପାଡିକଲ ୮୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇନିଂସକୁ ଆଗକୁ ବଢାଇଥିଲେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍। ରାହୁଲ ନିଜର ଟେଷ୍ଟ କ୍ୟାରିୟରରେ ୧୩ତମ ଶତକ ହାସଲ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୯୧ ରନ ଯୋଡ଼ିଥିଲେ। କେଏଲ ରାହୁଲ ୯ ଚୌକା ଓ ୨ ଛକା ବଳରେ ୧୩୬ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ଗିଲ୍ ଓ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୧୦୦ ରନ ଯୋଡ଼ିବା ସହ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଦିନର ଶେଷ ଓଭରରେ ଗିଲ୍ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଛି। ଗିଲ୍ ୯୮ ରନ କରି ଆଉଟ୍ ହେବା ସହ ଶତକରୁ ବଞ୍ଚିତ ହୋଇଛନ୍ତି। ଏହିପରି ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଛି।

ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ୬୨ ବଲରୁ ୫ ଚୌକା ଓ ୨ ଛକା ସହ ୫୫ ରନ କରି ଅପରାଜିତ ଅଛନ୍ତି। ତାଙ୍କ ସହ ନାଇଟ୍ ଓ୍ଵାଚମ୍ୟାନ ଅଂଶୁଲ କମ୍ବୋଜ ବ୍ୟାଟିଂ କରୁଛନ୍ତି।ଭାରତ ୧୧୮ ରନର ଅଗ୍ରଣୀ ହାସଲ କରି ସାରିଥିବା ବେଳେ ହାତରେ ଆହୁରି ୬ ଓ୍ଵିକେଟ୍ ବାକି ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଘରୋଇ ଦଳ ନିଜର ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ହେନରି ନିକୋଲାସ ୧୭୫ ରନରେ ଅପରାଜିତ ଥିବା ବେଳେ ଗ୍ଲେନ ଫିଲିପ୍ସ ୧୧୮ ରନ କରିଥିଲେ। ଭାରତ ପକ୍ଷରୁ ବୋଲିଂରେ ଯଶପ୍ରୀତ ବୁମରା ୯୨ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଆକାଶ ଦୀପ ୩ଟି, ଅଂଶୁଲ କମ୍ବୋଜ ୨ଟି ଓ୍ଵିକେଟ୍ ନେଇଥିଲେ।