ଭୁବନେଶ୍ୱର ୨୧।୧୧ : ବାତ୍ୟା ଚାଲିଗଲା, ଏବେ କ୍ଷୟକ୍ଷତିର ହିସାବ। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ। କେଉଁଠି ଫସଲ ନଷ୍ଟ ହୋଇଛି, କେଉଁଠି ଧାନ ଓଦା ହୋଇଛି, କେଉଁ ଅଞ୍ଚଳରେ ଘରଦ୍ୱାର ଓ ଅନ୍ୟ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ତାହାର ତଥ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବା ସହ ଚାଷୀଙ୍କ ଉପରେ ରହିବ ସରକାରଙ୍କ ବିଶେଷ ନଜର। କାରଣ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଚାଷ ଜମି ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବା ସହ ଅମଳ ହୋଇଥିବା ଧାନ ମଧ୍ୟ ବର୍ଷାରେ ଓଦା ହୋଇଛି। ଏହାକୁ ନେଇ ଚିନ୍ତାରେ ଚାଷୀ। ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ଇନ୍ପୁଟ୍ ସବ୍ସିଡି ଦିଆଯିବ। ସେହିପରି ଯେଉଁ ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇଛି, ସେମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ। ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ ଯୋଗ୍ୟ ଚାଷୀଙ୍କ ଚିହ୍ନଟ ହେବ ଗୁରୁତ୍ୱପୂର୍ଣ୍ଣ।

Also Read:-ବାତ୍ୟା ପରେ ବଡ଼ ବନ୍ୟା ଆଶଙ୍କା ନାହିଁ, ରବିବାର ସୁଦ୍ଧା ହଟିବ ଜଳବନ୍ଦୀ ସମସ୍ୟା

ସେପଟେ ବାତ୍ୟା ପରେ ବନ୍ୟା ମୁକାବିଲା ନେଇ ମଧ୍ୟ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି ସରକାର। ବର୍ଷା ଓ ବନ୍ୟା ସମୟରେ ଯେପରି ଲୋକଙ୍କୁ ବାରମ୍ବାର ଜଳବନ୍ଦୀ ସମସ୍ୟାର ସାମ୍ନା କରିବାକୁ ନପଡ଼େ, ସେଥିପାଇଁ ସ୍ଥାୟୀ ପଦକ୍ଷେପ ଉପରେ ଗୁରୁତ୍ୱ ରହିବ। ଏହାସହ ବିଭିନ୍ନ ଅଞ୍ଚଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟୋଜିତ ଅଧିକାରୀମାନେ ଆସନ୍ତାକାଲିଠାରୁ ଫେରିବା ଆରମ୍ଭ କରିବେ। ପରିସ୍ଥିତି ସମୀକ୍ଷା ଏବଂ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ଏହା ଗୁରୁତ୍ୱ ରଖିବ।

ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ, କେତେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି? କେତେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି? ଓଦା ଧାନ ପାଇଁ କେଉଁ ନିୟମରେ ମିଳିବ କ୍ଷତିପୂରଣ? କ୍ଷୟକ୍ଷତି ଆକଳନ ପରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।