ଓ୍ଵେଲିଂଟନ: ଓ୍ଵେଲିଂଟନର ବାସିନ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି ପ୍ରଥମ ଟେଷ୍ଟ। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୬୮ ରନ ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଛି। ତେବେ ଅଧିନାୟକ ଶୁଭମନ ଗିଲ୍ ୨ ରନରୁ ଶତକରୁ ବଞ୍ଚିତ ହୋଇଛନ୍ତି। ମାତ୍ର ତିନୋଟି ବଲ୍ ପରେ ତୃତୀୟ ଦିନର ଖେଳ ଶେଷ ହେଉଥିଲା। କିନ୍ତୁ ଜାବକ ଡଫିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ଗିଲ୍। ଆଉ ପୁଣି ଥରେ ନର୍ଭସ ନାଇଣ୍ଟିଜର ଶିକାର ହୋଇ ପାଭିଲିୟନ ଫେରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶୁଭମନ ଗିଲ୍ ତୃତୀୟ ଭାରତୀୟ ଯିଏ ନିଜର ଶତକରୁ ବଞ୍ଚିତ ହୋଇଛନ୍ତି। ଏହା ପୂର୍ବରୁ ଜୟସ୍ଵାଲ ୮୫ ରନ, ଦେବଦତ୍ତ ପାଡିକଲ ୮୦ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହି ଦୁଇ ବ୍ୟାଟରଙ୍କଠୁ ଅଧିକ ଦୁର୍ଭାଗ୍ୟଜନକ ଥିଲେ ଗିଲ୍। ସେ ଶତକରୁ ଦୁଇ ରନରୁ ବଞ୍ଚିତ ହୋଇଛନ୍ତି।

ଅଧିନାକ ଭାବେ ଶୁଭମନ ଗିଲ୍ ଟେଷ୍ଟରେ ତୃତୀୟ ଥର ନର୍ଭସ ନାଇଟିଜର ଶିକାର ହୋଇଛନ୍ତି। ଏହା ସହିତ ତାଙ୍କ ନାଁ ଧୋନି, କୋହଲିଙ୍କ ଅଲୋଡ଼ା ତାଲିକାରେ ସାମିଲ୍ ହୋଇ ଯାଇଛି। ଗିଲ୍ ୧୧ତମ ଅଧିନାୟକ ଯିଏ ନିର୍ଭସ ନାଇଟିଜରେ ଆଉଟ୍ ହୋଇଛନ୍ତି। ସର୍ବାଧିକ ଥର ଏହି ପରି ଆଉଟ୍ ହୋଇଥିବା ଅଧିନାୟକ ହେଉଛନ୍ତି ଏମଏସ ଧୋନି।  ଏହି ଓ୍ଵିକେଟ୍ କିପର ବ୍ୟାଟର ୪ ଥର ୯୦sରେ ଆଉଟ୍ ହୋଇଛନ୍ତି। ଓ୍ଵେଲିଂଟନ ଟେଷ୍ଟରେ ଗିଲ୍ ୧୪୬ ବଲରୁ ୨ ଛକା ଓ ୯ ଚୌକା ସହ ୯୮ ରନ କରି ଆଉଟ୍ ହୋଇଛନ୍ତି।

Also Read: SENA ଦେଶରେ ଇଣ୍ଡିଆନ୍‌ ଓପନରଙ୍କ ରେକର୍ଡ, ସଚିନ-ଦ୍ରାବିଡ଼-କୋହଲିଙ୍କ ଏଲିଟ୍ କ୍ଲବ୍‌ରେ କେଏଲ୍ ରାହୁଲ

କେଏଲ ରାହୁଲଙ୍କ ଦମଦାର ଶତକ

ଟେଷ୍ଟର ତୃତୀୟ ଦିନରେ କେଏଲ ରାହୁଲ ନିଜର ଶତକ ପୂରା କରିଛନ୍ତି। ସେ ୧୩୬ ରନ କରି ପାଭିଲିୟନ ଫେରିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସରେ ୯ ଚୌକା ଓ ୨ ଛକା ସାମିଲ୍। ଓ୍ଵିକେଟ୍ କିପର ଋଷଭ ପନ୍ତ ମଧ୍ୟ ଅର୍ଦ୍ଧଶତକ ହାସଲ କରି ୫୫ ରନରେ କ୍ରିଜରେ ଅଛନ୍ତି।  ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଛି। ଏହା ସହ ଟିମ୍ ଇଣ୍ଡିଆ ୧୧୮ ରନ ଅଗ୍ରଣୀ ହାସଲ କରି ମ୍ୟାଚରେ ନିଜର ସ୍ଥିତି ମଜବୁତ କରିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ  ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ହେନରି ନିକୋଲାସ ୧୭୫ ରନରେ ଅପରାଜିତ ଥିବା ବେଳେ ଗ୍ଲେନ ଫିଲିପ୍ସ ୧୧୮ ରନ କରିଥିଲେ।