ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ନୀତି ଓ ରଣନୀତି ସମ୍ପର୍କିତ ପରାମର୍ଶଦାତା ଜାହେଦ୍ ଉର୍ ରହମାନଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ କିଛି ସମୟ ପାଇଁ ଅଟକ ରଖାଯାଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପରେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲେ ମଧ୍ୟ, ସେ ଭାରତରେ ନ ରହି କଲୋମ୍ବୋ ଦେଇ ଢାକା ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ କିଛି ମାସ ପୂର୍ବରୁ କ୍ଷମତାସୀନ ହୋଇଥିବା BNP ସରକାରର କୌଣସି ବରିଷ୍ଠ ଅଧିକାରୀଙ୍କ ସହ ଭାରତରେ ଏଭଳି ଘଟଣା ଘଟିବା ପ୍ରଥମ ।

ବିମାନବନ୍ଦରରେ ୨.୫ ଘଣ୍ଟା ଅଟକ ରହିଲେ ଜାହେଦ୍
ବାଂଲାଦେଶୀ ଗଣମାଧ୍ୟମ 'ପ୍ରଥମ ଆଲୋ' ଏବଂ 'ଦି ଡେଲି ଷ୍ଟାର୍'ର ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଜାହେଦ୍ ଉର୍ ରହମାନ ଏକ ଅନ୍ତର୍ଜାତୀୟ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଇମିଗ୍ରେସନ କର୍ତ୍ତୃପକ୍ଷ ତାଙ୍କୁ ପ୍ରାୟ ୨.୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଢାକା ଏବଂ ନୂଆଦିଲ୍ଲୀର କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ଅଟକ ରହିବା ପରେ ଦୁଇ ଦେଶର ଉଚ୍ଚ ପଦାଧିକାରୀଙ୍କ ହସ୍ତକ୍ଷେପ ଫଳରେ ତାଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା।

ଅନୁମତି ମିଳିବା ସତ୍ତ୍ୱେ ସେ ସଙ୍ଗେ ସଙ୍ଗେ ବାଂଲାଦେଶ ଫେରିଯାଇଥିଲେ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଦ୍ୱାରା ଜୁନ୍ ୧୫ ଏବଂ ୧୬ ତାରିଖରେ ଆୟୋଜିତ 'ଇଣ୍ଡିଆନ୍ ଓସେନ୍ ରିମ୍ ଆସୋସିଏସନ' (IORA)ର ୨୮ତମ ବରିଷ୍ଠ ଅଧିକାରୀ କମିଟି ବୈଠକରେ ଯୋଗଦେବା ପାଇଁ ସେ ଭାରତ ଗସ୍ତ କରିଥିଲେ। ଏହି ଗସ୍ତ ସମ୍ପର୍କରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇକମିଶନ ଗତ ଶୁକ୍ରବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଏକ କୂଟନୈତିକ ନୋଟ୍ ମାଧ୍ୟମରେ ଆଗୁଆ ଅବଗତ କରାଇଥିଲେ। ଏପରିକି ବାଂଲାଦେଶର ହାଇକମିଶନର ଏମ୍. ରିୟାଜ ହାମିଦୁଲ୍ଲା ମଧ୍ୟ ସମ୍ପୃକ୍ତ ଭାରତୀୟ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ।

ଆଗୁଆ ସୂଚନା ଥାଇ ମଧ୍ୟ ଇମିଗ୍ରେସନ ଯାଞ୍ଚ ସମୟରେ ଜାହେଦଙ୍କୁ ଅଟକାଯାଇଥିଲା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇନଥିଲା। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ କୌଣସି କୂଟନୈତିକ ପାସପୋର୍ଟ ବିନା ଯାତ୍ରା କରିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତ ସରକାର କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।