ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଭାରତୀୟ ଦଳର ଦବଦବା ଜାରି ରହିଛି।ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ଏଥିରେ ଭାରତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ହେଲେ ଦ୍ଵିତୀୟ ଥିବା ନ୍ୟୁଜିଲାଣ୍ଡଠୁ ଦଳ ଯେଉଁ ୮ ପଏଣ୍ଟରେ ଆଗରେ ଥିଲା ତାହା ଏବେ ବ୍ୟବଧାନ ୫ ପଏଣ୍ଟ ରହିଛି। ଦିନିକିଆରେ ଭାରତର ରେଟିଂ ପଏଣ୍ଟ ୧୧୯ରୁ ହ୍ରାସ ପାଇ ୧୧୮ରେ ରହିଛି। ଦୁଇ ପଏଣ୍ଟ ପାଇଁ ନ୍ୟୁଜିଲାଣ୍ଡର ରେଟିଂ ପଏଣ୍ଟ ୧୧୩ରେ ପହଞ୍ଚିଛି।

ଡିଫେଣ୍ଡିଂ ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଶୀର୍ଷ ୧୦ରେ କେବଳ ଗୋଟିଏ ପରିବର୍ତ୍ତନ ଘଟିଛି। ଦକ୍ଷିଣ ଆଫ୍ରିକା(୧୦୨) ପାକିସ୍ତାନ(୯୮)କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି। ନବମ ସ୍ଥାନରେ ଥିବା ବାଂଲାଦେଶ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପଏଣ୍ଟ ବ୍ୟବଧାନ ୧୦ ରହିଛି।

Also Read: ଜୋ ରୁଟଙ୍କ ହାତରୁ ଖସିଲା ନମ୍ବର-୧ ଆସନ, ଶୀର୍ଷରେ ହ୍ୟାରୀ ବ୍ରୁକ୍; ଶୁଭମନ ଗିଲଙ୍କୁ ବଡ଼ ଫାଇଦା

ଆୟରଲାଣ୍ଡ ଜିମ୍ବାଓ୍ଵେକୁ ପଛରେ ପକାଇ ୧୧ତମ ସ୍ଥାନ ଅକ୍ତିକାର କରିଥିବା ବେଳେ ଆମେରିକା ମଧ୍ୟ ସ୍କଟଲାଣ୍ଡକୁ ଟପି ୧୩ତମ ସ୍ଥାନରେ ପହଞ୍ଚିଛି। ୟୁଏଇ କାନାଡ଼ାକୁ ପଛରେ ପକାଇ ୧୯ତମ ସ୍ଥାନରେ ରହିଛି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହୋଇଥିବା ଅପଡେଟ୍ ଅନୁସାରେ ଭାରତ କେବଳ ଦିନିକିଆ ନୁହେଁ, ବରଂ ପୁରୁଷ ଟି-୨୦ ଆନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗରେ ମଧ୍ୟ ଶୀର୍ଷରେ ରହିଛି।

ସେହିପରି ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ଦଳ ବିଶ୍ୱର ନମ୍ବର-୧ ଦଳର ମାନ୍ୟତା ପାଇଛି। ମହିଳା କ୍ରିକେଟ କଥା କହିଲେ, ଅଷ୍ଟ୍ରେଲିଆ ମହିଳା ଦଳ ଉଭୟ ଦିନିକିଆ ଏବଂ ଟି-୨୦ ଫର୍ମାଟ୍ରେ ନିଜର ଦବଦବା ଜାରି ରଖି ପ୍ରଥମ ସ୍ଥାନରେ ରହିଛି।