ନୂଆଦିଲ୍ଲୀ: ଭାରତ ସୋମବାର ବିଶ୍ୱବ୍ୟାଙ୍କ ଦ୍ୱାରା ଗଠିତ ସିନ୍ଧୁ ନଦୀ ଜଳ ଚୁକ୍ତି ସହ ଜଡ଼ିତ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତିକୁ ଖାରଜ କରିବା ସହ ଏହାକୁ ଏକ ଅବୈଧ ସଂସ୍ଥା ବୋଲି ଅଭିହିତ କରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଅଦାଲତର ଭାରତର ସାର୍ବଭୌମ ସହ ଜଡ଼ିତ ନିଷ୍ପତ୍ତି ନେବାର କୌଣସି ଅଧିକାର କ୍ଷେତ୍ର ନାହିଁ ଏବଂ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତି ବଳବତ୍ତର ରହିବ । ଏହି ସମୟରେ ମଧ୍ୟସ୍ଥତା ଅଦାଲତ କହିଥିଲା ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଚୁକ୍ତିକୁ ସ୍ଥଗିତ କରିବା ପାଇଁ ଭାରତ ଦେଇଥିବା ଯୁକ୍ତି ଯଥେଷ୍ଟ ନୁହେଁ ଏବଂ ଏହି ଚୁକ୍ତି ଏବେ ବି ସମ୍ପୂର୍ଣ୍ଣ ଲାଗୁ ଅଛି ।

ଅଦାଲତର ଗଠନ ଉପରେ ପ୍ରଶ୍ନ ଉଠାଇଲା ଭାରତ

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ବିଶ୍ୱବ୍ୟାଙ୍କ ଚୁକ୍ତିର ସର୍ତ୍ତାବଳୀକୁ ସ୍ପଷ୍ଟ ଉଲ୍ଲଂଘନ କରି ଏହି ତଥାକଥିତ ମଧ୍ୟସ୍ଥତା ଅଦାଲତ ଗଠନ କରିଛି । ଭାରତ ଏହି ଅଦାଲତର ନିଷ୍ପତ୍ତିକୁ ସେହିଭଳି ପ୍ରତ୍ୟାଖ୍ୟାନ କରୁଛି, ଯେପରି ପୂର୍ବରୁ ଏହି ଅବୈଧ ଭାବେ ଗଠିତ ସଂସ୍ଥାର ସମସ୍ତ ମନ୍ତବ୍ୟ ଓ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଆସିଛି । ଆଇନ ଦୃଷ୍ଟିରୁ ଏହି ଅବୈଧ ଅଦାଲତର ଅସ୍ତତ୍ୱିକୁ ଭାରତ କେବେବି ସ୍ୱୀକୃତି ଦେଇନାହିଁ ଏବଂ ଏହି ମଧ୍ୟସ୍ଥତା ସଂସ୍ଥାର ସ୍ଥାପନା ହିଁ ସିନ୍ଧୁ ନଦୀ ଜଳ ଚୁକ୍ତିର ଏକ ଗୁରୁତର ଉଲ୍ଲଂଘନ ବୋଲି କହିଆସିଛି ।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, "ଭାରତ ଏହି ସଂସ୍ଥା ଆଗରେ କେବେ ବି ପକ୍ଷ ରଖିନାହିଁ ଏବଂ ଏହାର ପୂର୍ବରୁ ଦିଆଯାଇଥିବା କୌଣସି ନିଷ୍ପତ୍ତି କିମ୍ବା ମନ୍ତବ୍ୟକୁ ଗ୍ରହଣ କରିବାକୁ ମନା କରିଛି । ଭାରତ ଏହି ଅଦାଲତ ସମ୍ମୁଖରେ ନିଜର ଉପସ୍ଥିତି ଜାହିର କରିନାହିଁ ।" ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ମଧ୍ୟସ୍ଥତା ଅଦାଲତର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଏହା ଦ୍ୱାରା ଦିଆଯାଉଥିବା କୌଣସି ନିଷ୍ପତ୍ତି ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଜଳ ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ପହଲଗାମ ଆକ୍ରମଣ ପରେ ଚୁକ୍ତି ସ୍ଥଗିତ କରିଥିଲା ଭାରତ

୨୦୨୫ ଏପ୍ରିଲ୍ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରଠାରୁ ପାକିସ୍ତାନର ନେତାମାନେ ବାରମ୍ବାର ପାଣିକୁ ସେମାନଙ୍କର ‘ରେଡ୍ ଲାଇନ୍’ (ସୀମା) ବୋଲି କହିବା ସହ ଭାରତର ଏହି ପଦକ୍ଷେପକୁ ‘ଯୁଦ୍ଧର କାର୍ଯ୍ୟାନୁଷ୍ଠାନ’ ଦର୍ଶାଇ ଫମ୍ପା ଧମକ ବି ଦେଇଆସିଛନ୍ତି ।