ନୂଆଦିଲ୍ଲୀ: ଭାରତରେ ଏସିଆରେ ନିଜ ଶକ୍ତି ଏବଂ ପ୍ରଭାବକୁ ପୁଣି ଥରେ ପ୍ରମାଣିତ କରିଛି । ଅଷ୍ଟ୍ରେଲିଆର ପ୍ରସିଦ୍ଧ ଥିଙ୍କ ଟ୍ୟାଙ୍କ ଲୋଇ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ୨୦୨୬ ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟରେ ଭାରତକୁ ଏସିଆର ତୃତୀୟ ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ସ୍ଥାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସିଆର ଦ୍ୱିତୀୟ ସବୁଠାରୁ ପ୍ରଭାବଶାଳୀ ନେତା ମାନ୍ୟତା ଦିଆଯାଇଛି । ଏହି ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ତାଲିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ଭାରତର କୂଟନୀତି ବୃଦ୍ଧି ପାଉଥିବା ଶକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୂଟନୀତିକ ପ୍ରଭାବ ଦୃଷ୍ଟିରୁ ଭାରତକୁ ୭୦.୩ ସ୍କୋର ମିଳିଛି । ଆଞ୍ଚଳିକ ନେତୃତ୍ୱ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥିତିରେ ମଧ୍ୟ ଉନ୍ନତି ହୋଇଛି । ପୂର୍ବ ମୂଲ୍ୟାଙ୍କନ ତୁଳନାରେ ସେ ତିନି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଲୋଇ ଇନଷ୍ଟିଚ୍ୟୁଟର ଦକ୍ଷିଣ-ପୂର୍ବ ଏସିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଏବଂ ଏସିଆ ପାୱାର ଇଣ୍ଡେକ୍ସର ପ୍ରୋଜେକ୍ଟ ଲିଡ୍ ଡକ୍ଟର ହଣ୍ଟର ମାର୍ଷ୍ଟନ କହିଛନ୍ତି ଯେ ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଏବଂ ଚୀନର ସାମଗ୍ରିକ ଶକ୍ତି ମଧ୍ୟରେ ବ୍ୟବଧାନ ଏତେ ହ୍ରାସ ପାଇଛି ।

୨୦୨୬ ରିପୋର୍ଟରେ ଭାରତର ସ୍ଥିତି

ଏସିଆ ପାୱାର ଇଣ୍ଡେକ୍ସ ୨୦୨୬, ୧୩୧ଟି ଭିନ୍ନ ଭିନ୍ନ ପାରାମିଟର ବ୍ୟବହାର କରି ୨୭ଟି ଦେଶ ଏବଂ ଅଞ୍ଚଳକୁ ଅଧ୍ୟୟନ କରିଛି । ଏହି ରିପୋର୍ଟରେ ଆଠଟି ଦିଗକୁ ନେଇ ଦେଶଗୁଡ଼ିକର ଶକ୍ତି ମୂଲ୍ୟାଙ୍କନ କରାଯାଇଛି । ଏଗୁଡ଼ିକ ହେଲା ଅର୍ଥନୈତିକ ଶକ୍ତି, ସାମରିକ କ୍ଷମତା, ଜାତୀୟ ସ୍ଥିରତା, କୂଟନୈତିକ ପ୍ରଭାବ ଏବଂ ଅନ୍ୟ ଦେଶ ସହିତ ଆର୍ଥିକ ସମ୍ପର୍କ । ୭୮.୯ ପଏଣ୍ଟ ସହିତ ଆମେରିକା ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛି । ୭୩.୬ ପଏଣ୍ଟ ସହିତ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଦୁହିଁଙ୍କୁ ସୁପରପାୱାର ବର୍ଗରେ ରେଖାଯାଇଛି । ୪୦.୫ ପଏଣ୍ଟ ସହିତ ଭାରତ ତୃତୀୟ ସ୍ଥାନରେ ଅଛି । ମେଜର ପାୱାର ବର୍ଗରେ ଏକମାତ୍ର ଦେଶ ଭାବେ ଭାରତକୁ ରଖାଯାଇଛି । ଏହା ପଛକୁ ୩୮.୬ ପଏଣ୍ଟ ସହିତ ଜାପାନ ଚତୁର୍ଥ ଏବଂ ୩୨.୨ ପଏଣ୍ଟ ସହିତ ରୁଷ ପଞ୍ଚମ ସ୍ଥାନରେ ଅଛି ।

 

ଏସିଆ ପାୱାର ସୂଚକାଙ୍କରେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆର୍ଥିକ ମଜଭୁତି, ସୈନ୍ୟ କ୍ଷମତା, କୂଟନୀତି, ସାଂସ୍କୃତିକ ପ୍ରଭାବ ଏବଂ ଭବିଷ୍ୟତର ସଂଶାଧନକୁ ଆଧାର କରି ଏହା ରାଙ୍କିଂ ଜାରି କରାଯାଇଥାଏ । ଏଥିରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ପ୍ରଭାବ ରଖୁଥିବା ଶକ୍ତିଙ୍କୁ ମଧ୍ୟ ସାମିଲ କରାଯାଏ । ରୁଷ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆମେରିକାକୁ ବି ରାଙ୍କିଙ୍ଗରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ୨୦୨୫ ଏବଂ ୨୦୨୬ରେ ଆର୍ଥିକ କ୍ଷେତ୍ରରେ ଭାରତ ଭଲ ପ୍ରଦର୍ଶନ କରିଛି ।

ଆମେରିକା ଏସିଆ ଶକ୍ତି ସୂଚକାଙ୍କରେ ଶୀର୍ଷରେ ଅଛି ଏବଂ ଏକ "ସୁପରପାୱାର" ଭାବରେ ସ୍ଥାନ ପାଇଛି। ଏହି ବର୍ଗରେ ଚୀନ୍ ରହିଛି । "ମେଜର ପାୱାର" ବର୍ଗରେ ଭାରତ ଏକମାତ୍ର ଦେଶ । ମଧ୍ୟମ ଶକ୍ତି ଦେଶମାନଙ୍କ ମଧ୍ୟରେ ଜାପାନ, ରୁଷ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ, ନ୍ୟୁଜିଲ୍ୟାଣ୍ଡ, ତାଇୱାନ, ଫିଲିପାଇନ୍ସ ଏବଂ ଶେଷରେ ପାକିସ୍ତାନ ରହିଛି । ଚତୁର୍ଥ ଶ୍ରେଣୀରେ ଥିବା ଦେଶଗୁଡ଼ିକ ମଧ୍ୟରେ ଉତ୍ତର କୋରିଆ, ବ୍ରୁନେଇ, କାମ୍ବୋଡିଆ, ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ଲାଓସ, ମଙ୍ଗୋଲିଆ, ପାପୁଆ ନ୍ୟୁ ଗିନି ଏବଂ ନେପାଳ ଅଛନ୍ତି ।