ନୂଆଦିଲ୍ଲୀ: ଡାକ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ କେନ୍ଦ୍ର ସରକାର। ଚଳିତ ବର୍ଷ ପାଇଁ ପରଫର୍ମାନ୍ସ ଲିଙ୍କ୍‌ଡ ବୋନସ୍ ଦେବାକୁ ଡାକ ବିଭାଗ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁସାରେ କର୍ମଚାରୀଙ୍କୁ ୬୦ ଦିନ ଅର୍ଥାତ ଦୁଇ ମାସର ଦରମା ରାଶି ଭଳି ବୋନସ ମିଳିବ।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ବୋନସ ମିଳିବ। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଗ୍ରୁପ ସି, ନନ ଗେଜେଟ ଗ୍ରୁପ ବି ଓ ଏମ୍‌ଟିଏସ୍‌ କର୍ମଚାରୀଙ୍କୁ ଏହି ବୋନସ ମିଳିବ। ଗାଁ ଗହଳିରେ କାମ କରୁଥିବା ଡାକ ସେବକ,ଫୁଲ ଟାଇମ ଓ ଅସ୍ଥାୟୀ କାଜୁଆଲ ଲେବର୍ସଙ୍କୁ ବି ବୋନସ ଦିଆଯିବ।

ଅଧିକତମ ଦରମା ସୀମା ପ୍ରତି ମାସ ୭ ହଜାର ଟଙ୍କା ସ୍ଥିର କରାଯାଇଛି। ଯଦି କେଉଁ କର୍ମଚାରୀଙ୍କ ବେସିକ ସାଲାରି ଓ ଭତ୍ତା ମିଶାଇ ଏହା ଠାରୁ ଅଧିକ ହୁଏ ତେବେ ବି ୭ ହଜାର ହିଁ କାଲକୁଲେସନ କରାଯିବ। ଏହି ହିସାବରେ କର୍ମଚାରୀଙ୍କୁ ୧୩,୮୧୬ ବୋନସ ମିଳିବ। କେମିତି ବୋନସ ହିସାବ କରାଯିବ ଆସନ୍ତୁ ଜାଣିବା

ବୋନସ ରାଶି (ହାରାହାରି ଦରମାx ୬୦ ଦିନ) ÷ ୩୦.୪
ଏଠାରେ ୩୦.୪ ମାସକର ହାରାହାରି ଦିନ ବୋଲି କାଲକୁଲେସନ କରାଯାଇଛି।

ବୋନସ କାଲକୁଲେସନରେ ନିୟମିତ କର୍ମଚାରୀଙ୍କ ଦରମା ହିସାବ କରିବା ସମୟରେ ତାଙ୍କର ବେସିକ ପେ, ଡିଅରନେସ ଆଲାଓନ୍ସ,(ଡିଏ), ଏସବି ଆଲାଉନ୍ସ ଡେପୁଟେସନ ଆଲାଓନ୍ସ ଓ ଟ୍ରେନିଂ ଆଲାଉନ୍ସକୁ ଏକା ସାଗରେ ଯୋଡ଼ା ଯାଇ ହିସାବ କରାଯିବ।

ସେହିପରି ଗ୍ରାମୀଣ ଡାକସେବକଙ୍କୁ ମିଳୁଥିବା ଟିଆର୍‌ସିଏ ଓ ଡିଏକୁ ମିଶାଇ ପୂରା ବର୍ଷକର ହାରାହାରି ବାହାର କରାଯିବ। ଯଦି ଏହା ମାସକୁ ୭ ହଜାରରୁ ଅଧିକ ହୁଏ ତେବେ ବି ସେହି ୭ ହଜାର ହିସାବ କରାଯିବ। ତେଣୁ ଗ୍ରାମୀଣ ଡାକ ସେବକଙ୍କୁ ଅଧିକତମ ୧୩,୮୧୬ ଦରମା ମିଳିବ।

ତେବେ ଅବସର ନେଇସାରିଥିବା କର୍ମଚାରୀଙ୍କୁ ବି ବୋନସ ମିଳିବ। ଯେଉଁମାନେ ୧ ଏପ୍ରିଲ ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ଅବସର ନେଇ ସାରିଥିବେ, ଇସ୍ତଫା ଦେଇଥିବେ କିମ୍ବା ଯେଉଁମାନଙ୍କର ଅନ୍ୟ ବିଭାଗକୁ ଟ୍ରାନ୍ସଫର ହୋଇଥିବ, ସେମାନଙ୍କୁ କାମ କରିଥିବା ଦିନ ଅନୁସାରେ ବୋନସ ମିଳିବ।