ନୂଆଦିଲ୍ଲୀ: ଭାରତ ନିଜ ପରମାଣୁ ହତିଆର ନୀତିରେ ବଡ଼ ପରିବର୍ତ୍ତନ କରିଛି । ନୂଆଦିଲ୍ଲୀ ୧୨ଟି ପରମାଣୁ ହତିଆର ମୁତୟନ କରିଛି । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ନୂଆ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ଦାବି କରାଯାଇଛି । ତେବେ ଏଠି ପ୍ରଶ୍ନ, ଭାରତ କଣ ପ୍ରଥମ ଥର ପାଇଁ ପରମାଣୁ ହତିଆରର କରିଛି । ଏହା ଭାରତର ଦଶନ୍ଧି ପୁରୁଣା ନୀତିରେ ଏକ ବଡ଼ ପରିବର୍ତ୍ତନ ଅଟେ । ଆଜି ସୁଦ୍ଧା ପରମାଣୁ ହତିଆର ଓ ମିସାଇଲ୍ ସମେତ ଏହାକୁ ନିକ୍ଷେପ କରୁଥିବା ଡେଲିଭରି ସିଷ୍ଟମକୁ ଅଲଗା-ଅଲଗା ରଖା ଯାଉଥିଲା ।

ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ଥର ପାଇଁ ଭାରତ ଏହି ହତିଆରକୁ 'ଅପରେସନାଲି ଡେପ୍ଲଏଡ୍' ଭାବେ ରଖିଛି, ଅସ୍ତ୍ର ଭଣ୍ଡାର ରୂପେ ନାହିଁ । ଭୂମିଗତ ମିସାଇଲ୍ ଭଣ୍ଡାରଗୃହ ଏବଂ ନୂଆ ପରମାଣୁ ବୁଡ଼ାଜାହାଜରୁ ନିକ୍ଷେପ କରିବା ପାଇଁ ପ୍ରସ୍ତୁତ ଏହି ପରିମାଣୁ ହତିଆର ମୁତୟନ ଭାରତର ଯୁଦ୍ଧ ପ୍ରସ୍ତୁତିର ସଂକେତ ଦେଉଛି । ପରମାଣୁ ହତିଆରକୁ ନେଇ ଭାରତ ପ୍ରଥମ ପ୍ରୟୋଗ ନକରିବା ନୀତି ଆପଣାଇଛି । ଏହି କାରଣରୁ ପରମାଣୁ ହତିଆର ମୁତୟନ ସମ୍ଭବତଃ ଭାରତର ପରମାଣୁ ଶକ୍ତି ହେବା ପରେ ସବୁଠୁ ବଡ଼ ପରିବର୍ତ୍ତନ ଅଟେ ।

ସିପ୍ରି ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ୧୭୭୦ ମିସାଇଲ୍ ମୁତୟନ ରହିଛି ଏବଂ ୧୯୩୦ ପରମାଣୁ ହତିଆର ସୁରକ୍ଷିତ ରହିଛି । ରୁଷର ୧୭୯୬ ମିସାଇଲ୍ ମୁତୟନ ରହିଛି ଏବଂ ୨୬୦୪ ହତିଆର ଅସ୍ତ୍ର ଭଣ୍ଡାରରେ ରହିଛି । ବ୍ରିଟେନ ପାଖରେ ମୋଟ ୨୨୫, ଫ୍ରାନ୍ସ ପାଖରେ ୨୯୦ ଏବଂ ଚୀନ ପାଖରେ ମୁତୟନ ଏବଂ ସଂରକ୍ଷିତ ହତିଆର ସଂଖ୍ୟା ୬୨୦ ରହିଛି । ଭାରତ ୧୨ ପରମାଣୁ ହତିଆର ମୁତୟନ କରିଛି ଏବଂ ୧୭୮ ପରମାଣୁ ହତିଆର ଅସ୍ତ୍ର ଭଣ୍ଡାରରେ ସଂରକ୍ଷିତ ରଖିଛି । ପକିସ୍ତାନ କୌଣସି ଆଟମ୍ ମିସାଇଲ୍ ମୁତୟନ କରି ନାହିଁ ଏବଂ ତା’ ପାଖରେ ୧୭୦ ପରିମାଣୁ ହତିଆର ରହିଛି ।

ଭାରତ ୨୦୨୫ ମସିହାରେ ୯୨.୧ ବିଲିୟନ ଡଲାର ପ୍ରତିରକ୍ଷା ଖର୍ଚ୍ଚ ସହ ଦୁନିଆର ପଞ୍ଚମ ବୃହତ ହତିଆର କ୍ରେତା ରହିଛି । ସିପ୍ରି ରିପୋର୍ଟ ଅନୁସାରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ।