ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦ ଓ ଆଭା ଏୟାରପୋର୍ଟରେ ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏହାକୁ କଦାପୀ ଗ୍ରହଣ କରାଯିବ ନାହିଁ। ନୂଆଦିଲ୍ଲୀ ସାଉଦି ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ଗୁରୁବାର ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ଗତ କିଛି ଦିନ ଧରି ରିୟାଦର ଆଭା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ଏଥିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ଆହତ ହୋଇଛନ୍ତି। ଭାରତ ଏହାକୁ ନିନ୍ଦା କରୁଛି। ସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ, ଏହି ଆକ୍ରମଣରେ ଯେଉଁମାନେ ତାଙ୍କର ପ୍ରିୟଜନଙ୍କୁ ହରାଇଲେ ସେମାନଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛୁ। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛୁ। ସାଉଦି ଆରବର ଜନତା ଏବଂ ସରକାରଙ୍କ ଆମେ ଏକ ହେଇ ଛିଡ଼ା ହେଉଛୁ।”

ଗୁରୁବାର ସକାଳେ ହୁତି ବିଦ୍ରୋହୀମାନେ ସାଉଦି ଆରବ ଉପରେ ବାଲିଷ୍ଟିକ ମିସାଇଲ ଆକ୍ରମଣ କରିଥିବା ସ୍ୱୀକାର କରିଥିଲେ। ହୁତି ମିଲିଟାରି ପ୍ରବକ୍ତା ୟାହ୍ୟା ସାରୀ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ମିସାଇଲ୍ ଆକ୍ରମଣ ଯୋଗୁଁ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପବିତ୍ର ସ୍ଥଳ ମକ୍କା ଓ ମଦିନାକୁ ଛାଡ଼ି ଦେଲେ ସାଉଦିରେ ଆକାଶ ସୀମାରେ ଅନ୍ୟ ଦେଶର ବିମାନ ଉଡାଣକୁ ସଂଗଠନ ବିରୋଧ କରିଛି। କଥା ନ ଶୁଣି ବିମାନ ଉଡାଇଲେ ପରିଣତି ଭୟାବହ ହେବ ବୋଲି ହୁତି ବିଦ୍ରୋହୀମାନେ ଚେତାବନୀ ଦେଇଛନ୍ତି।

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦିର ବିଭିନ୍ନ ସହର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ସେପଟେ ସାଉଦି ସମର୍ଥନ ୟେମେନ ସରକାର ହୁତୀ ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।

ଏପଟେ ଭାରତ ବାରମ୍ବାର ଶାନ୍ତି ଆଲୋଚନା ପାଇଁ ଆହ୍ୱାନ ଦେଇ ଆସିଛି। ଖାଲି ଏହି ଗୋଟିଏ ଆକ୍ରମଣ ନୁହେଁ ଏହା ପୂର୍ବରୁ ହର୍ମୁଜ ଓ ଲୋହିତ ସାଗରରେ ପରିବହନ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରି ଆସିଛି ଭାରତ।

ସୂଚନା ଥାଉକି ଗୁରୁବାର ସକାଳେ ସାଉଦି ଆରବର ରାଜଧାନୀ ରିୟାଦ୍ ବିମାନ ବନ୍ଦରରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛନ୍ତି। ଏହି ଘଟଣାରେ ବିମାନ ବନ୍ଦରରେ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଏଥିରେ ବିମାନ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଏକାଧିକ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଥିବା ସୂଚନା ମିଳିଛି।