ଭୁବନେଶ୍ୱର ୨୯।୧୧ : ସୀମା ପୁନର୍ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ନାହିଁ । ଓଡ଼ିଶାର ସ୍ୱାର୍ଥ ହିଁ ଦଳର ସବୁଠୁ ବଡ଼ ପ୍ରାଥମିକତା । ସଂସଦରେ ବିଲ୍‌ ଉପସ୍ଥାପିତ ନହେବା ଯାଏଁ ଦଳ କୌଣସି ନିଷ୍ପତ୍ତି ନେବ ନାହିଁ । ବିଲ୍‌ର ସମ୍ପୂର୍ଣ୍ଣ ରୂପ ସାମ୍ନାକୁ ଆସିବା ପରେ ଏହାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯିବ । ଗତଥର ବିଲ୍‌ ଯୋଗୁଁ ଓଡ଼ିଶାର ସ୍ୱାର୍ଥ କ୍ଷୁର୍ଣ୍ଣ ହେବା ଭଳି ସ୍ଥିତି ଉପୁଜିଥିଲା । ଏଥର ବିଲ୍‌ରେ ସଂଶୋଧନ ହୋଇଥିବା ଶୁଣିବାକୁ ମିଳୁଛି । ତେଣୁ ବିଲ୍‌ ଉପସ୍ଥାପନ ପରେ ହିଁ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଧ୍ରୁବ ସାହୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ ବୋଲି ଦଳ ପକ୍ଷରୁ କୁହାଯାଇଛି । ନବୀନ ପଟ୍ଟନାୟକ ସବୁବେଳେ ବିଜେଡି ଏକ ଆଞ୍ଚଳିକ ଦଳ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରୁଥିବା କଥା କହି ଆସିଛନ୍ତି । ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ମଧ୍ୟ ବିଜେଡି ନିଜର ପୂର୍ବ ଆଭିମୁଖ୍ୟ ମନେ ପକାଇଛି । ୨୦୧୮ ମସିହାରେ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ମହିଳା ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ପରେ ୨୦୨୩ରେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ସମୟରେ ବିଜେଡି ଏହାକୁ ସମର୍ଥନ କରିଥିଲା ।

ତେବେ ବିଲ୍‌ ପାରିତ ହେବାର ଦୀର୍ଘ ସମୟ ପରେ ମଧ୍ୟ ଏହା କାହିଁକି ଲାଗୁ ହୋଇନାହିଁ, ସେନେଇ ପ୍ରଶ୍ନ ଉଠାଇଛି ବିଜେଡି । ମହିଳା ସଂରକ୍ଷଣ ଲାଗୁ କରିବା ପ୍ରକ୍ରିୟାକୁ ନେଇ ଦଳ ସନ୍ଦେହ ପ୍ରକାଶ କରିବା ସହ ଏଥିରେ ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଛି । ଏହା ବିଜେଡିର ରାଜନୈତିକ ଆକ୍ଷେପ ବୋଲି ଉଲ୍ଲେଖନୀୟ । ଗତଥର ଓଡ଼ିଶାର ସ୍ୱାର୍ଥ ବିରୋଧୀ ବିଲ୍‌କୁ ସମର୍ଥନ କରାଯିବ ନାହିଁ ବୋଲି ନବୀନ ପଟ୍ଟନାୟକ ଚିଠି ଲେଖି ନିଜର ମତ ସ୍ପଷ୍ଟ କରିଥିଲେ । ଏବେ ମଧ୍ୟ ଦଳ ସେହି ଆଭିମୁଖ୍ୟରେ ଅଟଳ ରହିଛି । ଓଡ଼ିଶାର ସ୍ୱାର୍ଥ ସାଧନ ହେଉଥିଲେ ବିଜେଡିର କୌଣସି ଆପତ୍ତି ନାହିଁ । କିନ୍ତୁ ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ ହେଉଥିଲେ ଦଳ ଏହାକୁ ବିରୋଧ କରିବ ବୋଲି ସ୍ପଷ୍ଟ କରିଛି ।

Also Read:-ବିଲ୍‌ ପୂରା ଅଧ୍ୟୟନ ପରେ ନିଷ୍ପତ୍ତି ନେବ ବିଜେଡି, ରାଜ୍ୟ ସ୍ୱାର୍ଥରେ ସାଲିସ୍‌ ନାହିଁ: ମାନସ ମଙ୍ଗରାଜ

ବିଜେଡିର ଲୋକସଭାରେ କୌଣସି ସାଂସଦ ନଥିବାରୁ ଦଳର ନିଜସ୍ୱ ରାଜନୈତିକ ଲାଭ କିମ୍ବା କ୍ଷତି ଅପେକ୍ଷା ଓଡ଼ିଶାର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯିବ। ବିଲ୍‌ରେ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ୱ ଓ ସ୍ୱାର୍ଥ କିପରି ସୁରକ୍ଷିତ ରହିବ, ତାହା ହିଁ ବିଜେଡି ପାଇଁ ମୁଖ୍ୟ ପ୍ରସଙ୍ଗ । ତେଣୁ ସଂସଦରେ ବିଲ୍‌ ଉପସ୍ଥାପନ ପରେ ଏହାକୁ ତର୍ଜମା କରି ଦଳ ନିଜର ପରବର୍ତ୍ତୀ ନିଷ୍ପତ୍ତି ନେବ ।