ନୂଆଦିଲ୍ଲୀ:  ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMK ସମର୍ଥନ ଘୋଷଣା କରିବା ପରେ ତାମିଲନାଡୁ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ TVK ପକ୍ଷରୁ ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ କଡ଼ା ସମାଲୋଚନା କରାଯାଇଛି। TVK ର ଆଇଟି ୱିଙ୍ଗ୍ ପକ୍ଷରୁ ଷ୍ଟାଲିନଙ୍କର ଏକ ଏଡିଟ୍ ହୋଇଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ସେଥିରେ ଷ୍ଟାଲିନ ଆରଏସଏସ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ସହ TVK ପକ୍ଷରୁ ‘ଷ୍ଟାଲିନ୍ ଓରଫ୍ ସାବରକର ୨.୦’ ବୋଲି ଲେଖାଯାଇଛି । ଏହା ବ୍ୟତୀତ TVK ପକ୍ଷରୁ ଆଉ ଏକ ଆନିମେଟେଡ୍ ପୋଷ୍ଟ ମଧ୍ୟ ସେୟାର କରାଯାଇଛି ।

ଆରଏସଏସ୍‌ ପୋଷାକରେ ଷ୍ଟାଲିନ୍‌ !
ଦ୍ବିତୀୟ ପୋଷ୍ଟରେ ଏମ୍.କେ. ଷ୍ଟାଲିନ୍ ଏବଂ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଆରଏସଏସ୍ ସଦସ୍ୟ ଭାବରେ ଶପଥ ନେଉଥିବାର ଦେଖିବାକୁ ମିଳିଛି । ସଂସଦରେ ସଂଶୋଧିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବାକୁ DMK ନିଷ୍ପତ୍ତି ନେବା ପରେ ଏଭଳି ପୋଷ୍ଟ ସେୟାର କରିଛି ଟିଭିକେର ଆଇଟି ଓ୍ବିଙ୍ଗ ।  DMK  ସାଂସଦ ଏ. ରାଜାଙ୍କ ସୂଚନା ଅନୁଯାୟୀ, ଏହି ନୂତନ ଆଇନରେ ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାରେ ସମାନ ଭାବେ ୫୦ ପ୍ରତିଶତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସଂସଦର ଲୋକସଭାରେ DMK ର ୨୨ ଜଣ ଏବଂ ରାଜ୍ୟସଭାରେ ୮ ଜଣ ସଦସ୍ୟ ଅଛନ୍ତି। ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି ଯେ, ସଂଶୋଧିତ ବିଲ୍ ହେଉଛି ସୀମା ପୁନଃନିର୍ଦ୍ଧାରଣ ବିରୋଧରେ ତାମିଲନାଡୁର ତିନି ବର୍ଷର ସଂଘର୍ଷର ଏକ ବଡ଼ ବିଜୟ। 

ଷ୍ଟାଲିନଙ୍କ ଅନୁଯାୟୀ, ୨୦୨୪ ମସିହାରେ ବିଧାନସଭା ପ୍ରସ୍ତାବ ମାଧ୍ୟମରେ ଦଳ ପକ୍ଷରୁ ଉଠାଯାଇଥିବା ଦୁଇଟି ପ୍ରମୁଖ ଦାବିକୁ ଏହି ବିଲ୍‌ରେ ପୂରଣ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବ ପ୍ରସ୍ତାବ ତୁଳନାରେ ଏହି ସଂଶୋଧିତ ବିଲ୍‌ରେ ସୀମା ପୁନଃନିର୍ଦ୍ଧାରଣ ପାଇଁ ସାମ୍ପ୍ରତିକ ଜନସଂଖ୍ୟା ତଥ୍ୟକୁ ଆଧାର କରାଯାଇ ନାହିଁ। ପୂର୍ବରୁ DMK ଯୁକ୍ତି ବାଢ଼ିଥିଲା ଯେ, ସାମ୍ପ୍ରତିକ ଜନସଂଖ୍ୟା ଆଧାରରେ ଆସନ ବଣ୍ଟନ ହେଲେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକୁ ଅଯଥା ଫାଇଦା ମିଳିବ। କିନ୍ତୁ ନୂଆ ପ୍ରସ୍ତାବରେ ସଂସଦୀୟ ପ୍ରତିନିଧିତ୍ୱ ନିର୍ଦ୍ଧାରଣ ପାଇଁ ୧୯୭୧ ଜନଗଣନାକୁ ଆଧାର ଭାବରେ ନିଆଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ତାମିଲନାଡୁର ଲୋକସଭା ଆସନ ବୃଦ୍ଧି ପାଇବା ସହ ସଂସଦରେ ରାଜ୍ୟର ବର୍ତ୍ତମାନର ପ୍ରତିନିଧିତ୍ୱ ଅନୁପାତ ମଧ୍ୟ ସୁରକ୍ଷିତ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ଷ୍ଟାଲିନ ।