କୋଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ସଂପୂର୍ଣ୍ଣ ଭାବେ ଟିମ୍ ଇଣ୍ଡିଆ ନାମରେ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶୁବମନ ଗିଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୮୫ ଓଭରରେ ୫ ୱିକେଟ ହରାଇ ୩୦୦ ରନ୍ ସଂଗ୍ରହ କରିଛି। କ୍ରିଜରେ ଧ୍ରୁବ ଜୁରେଲ ୭ ରନ୍ ଓ ସାରାଂଶ ଜୈନ ୪ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ଦିନରେ ଚମକିଛନ୍ତି ଦେବଦତ୍ତ ପାଡିକ୍କଲ। ଏହି ଷ୍ଟାଇଲିସ ବାମହାତୀ ବ୍ୟାଟର ୧୧୭ ରନର ଶତକୀୟ ଇନିଂସ ଖେଳିଛନ୍ତି।

ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କେଏଲ ରାହୁଲ ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଯଶସ୍ଵୀ ଜୟସ୍ଵାଲ ଦମଦାର ବ୍ୟାଟିଂ କରିଥିଲେ ହେଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୫୩ ବଲରୁ ୯ ଚୌକା ସହ ୪୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଦେବଦତ୍ତ ପାଡିକଲ୍ ଏବଂ ଅଧିନାୟକ ଶୁଭମନ ଗିଲ୍ ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୧୨୦ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ।

Also Read: ବ୍ୟାନ୍ ହେବେ ଯଶସ୍ୱୀ ଜୈସୱାଲ ? ଶ୍ରୀଲଙ୍କା ଖେଳାଳିଙ୍କ ସହ ମୁହାଁମୁହିଁ ହେବା ପରେ ବଢ଼ିଲା ଅଡ଼ୁଆ

ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ପାଲଟିଥିଲେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦେବଦତ୍ତ ପାଡ଼ିକ୍କଲ। ସେ ୧୯୩ଟି ବଲର ସାମ୍ନା କରି ୧୨ଟି ଚୌକା ସହାୟତାରେ ୧୧୭ ରନର ଏକ ସୁନ୍ଦର ଶତକୀୟ ପାରି ଖେଳିଛନ୍ତି। ପୂର୍ବ ମ୍ୟାଚରେ ମଧ୍ୟ ସେ ୧୬୭ ରନର ବଡ଼ ପାରି ଖେଳିଥିଲେ। ଏହି ଶତକ ସହ ସେ ନମ୍ବର-୩ ସ୍ଥାନରେ ବ୍ୟାଟିଂ କରି କ୍ରମାଗତ ଦୁଇଟି ଟେଷ୍ଟରେ ଶତକ ହାସଲ କରିବାରେ ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ଏହାପୂର୍ବରୁ ୨୦୧୮-୧୯ରେ ଚେତେଶ୍ଵର ପୂଜାରା ବିଦେଶ ମାଟିରେ କ୍ରମାଗତ ଦୁଇଟି ଶତକ ମାରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ।

ଆହତ ହେଲେ ୱିକେଟକିପର ରିଷଭ ପନ୍ତ

ପ୍ରଥମ ଦିନର ଶେଷ ସେସନରେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ୱିକେଟକିପର ବ୍ୟାଟର ରିଷଭ ପନ୍ତ ମାତ୍ର ୩ ରନ୍ କରିଥିବା ବେଳେ ଗୁରୁତର ଆହତ ହୋଇଥିଲେ, ଯାହା ଫଳରେ ତାଙ୍କୁ 'ରିଟାୟର୍ଡ ହର୍ଟ' ହୋଇ ପାଭିଲିୟନକୁ ଫେରିବାକୁ ପଡ଼ିଥିଲା। ଦଳର ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ୍ ୫୦ ରନର ଅର୍ଦ୍ଧଶତକୀୟ ପାରି ଖେଳିଥିବା ବେଳେ ରବୀନ୍ଦ୍ର ଜାଡେଜା ୪୩ ରନର ଯୋଗଦାନ ଦେଇଥିଲେ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୫ ଓ୍ଵିକେଟ୍ ହରାଇ ୩୦୦ ରନ କରିଛି। ଶ୍ରୀଲଙ୍କା ପକ୍ଷରୁ ବୋଲିଂରେ ଅସିଥା ଫର୍ଣ୍ଣାଣ୍ଡୋ ସର୍ବାଧିକ ୩ଟି ୱିକେଟ ଅକ୍ତିକାର କରିଥିବା ବେଳେ ଲାହିରୁ କୁମାରା ଓ କେଶରା ନୁୱାନଥା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି।