ନୂଆଦିଲ୍ଲୀ :ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଭାରତ ଓ ନାମିବ୍ୟା ମଧ୍ୟରେ ଟି-୨୦ ବିଶ୍ୱକପ ଲଢ଼େଇ ଚାଲିଛି। ଉଭୟ ଦଳର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଦ୍ଵିତୀୟ ମ୍ୟାଚ୍। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟାକୁ ପରାଜୟ ମିଳିଥିଲା। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରିବା ପରେ ନାମିବ୍ୟା ନିମନ୍ତ୍ରଣକ୍ରମେ ପ୍ରଥମେ ବ୍ୟାଟିଂ କରିଛି। ଯଦିଓ ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଛନ୍ତି, ତେବେ ଭାରତର ଖେଳ ଆଜି ପୂରା ଅନଭିଜ୍ଞ ପରି ମନେ ହେଉଛି।

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ କରିଛି। ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନ୍ କରିଥିଲେ। ମ୍ୟାଚ୍ ଜିତିବାକୁ ହେଲେ ନାମିବ୍ୟାକୁ ୨୧୦ ରନ୍ କରିବାକୁ ପଡ଼ିବ।

ଆଜି ଆରମ୍ଭରୁ ଖରାପ ଖେଳ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍। ଏଥର ବି ଫେଲ୍ ମାରିଥିଲେ ଓପନର ସଞ୍ଜୁ ସାମସନ। ସଞ୍ଜୁ ୮ ବଲରୁ ୨୨(ତିନି ୬ ଗୋଟିଏ ୪) ରନ୍ କରି ବେନ୍ ଶିକୋଙ୍ଗୋଙ୍କ ଶିକାର ହୋଇଥିଲେ। ଏହାପରେ, ଇଶାନ କିଶାନ ଏବଂ ତିଲକ ବର୍ମା ଦ୍ୱିତୀୟ ୱିକେଟ୍ ପାଇଁ ୭୯ ରନର ପାର୍ଟନର୍ସିପ୍ କରିଥିଲେ। ଇଶାନ ମାତ୍ର ୨୦ ବଲରେ ପାଞ୍ଚଟି ଚୌକା ଏବଂ ଚାରିଟି ଛକା ମାରି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ଷଷ୍ଠ ଓଭରରେ ଜେଜେ ସ୍ମିଟଙ୍କ ବଲ୍‌ରେ ଇଶାନ କିଶାନ ଲଗାତାର ଚାରିଟି ଛକା ମାରି ୨୮ ରନ କରିଥିଲେ। ସେ ମୋଟ ୨୪ ବଲରୁ ୬୧ ରନ କରିଥିଲେ, ଯେଉଁଥିରେ ୬ ଚୌକା ଏବଂ ୫ ଛକା ସାମିଲ ଥିଲା। ଇଶାନ ଧମାକାଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା କିନ୍ତୁ ନିରାଶ କରିଥିଲେ। ସୂର୍ଯ୍ୟ ୧୨ ରନ କରି ଷ୍ଟମ୍ପିଂ ହୋଇଥିବା ବେଳେ ତିଲକ ୨୫ ରନ କରି ଆଉଟ ହୋଇଥିଲେ। ତିଲକ ଆଉଟ ହେବା ସମୟରେ ଭାରତର ସ୍କୋର ୧୨୪/୪ ଥିଲା।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ପଞ୍ଚମ ୱିକେଟ ପାଇଁ ୮୧ ରନ ଯୋଡି ଭାରତକୁ ଏକ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୨୮ ବଲରୁ ୫୨ ରନ କରିଥିଲେ, ଯେଉଁଥିରେ ୪ ଛକା ଏବଂ ୪ ଚୌକା ସାମିଲ ଥିଲା। ହାର୍ଦ୍ଦିକ ୨୭ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଶିବମ ଦୁବେ ୨୩ ରନ କରି ରନ୍ ଆଉଟ୍ ହୋଇଥିଲେ। ଉଭୟ ବ୍ୟାଟର ୧୯ ତମ ଓଭରରେ ଆଉଟ ହୋଇଥିଲେ। ଗେରହାର୍ଡ ଇରାସମସ୍ ମଧ୍ୟ ସେହି ଓଭରରେ ଅକ୍ଷର ପଟେଲଙ୍କୁ ୦ ରନରେ ଆଉଟ କରିଥିଲେ।

ଏହାପରେ ଯେମିତି ୱିକେଟର ଲମ୍ବା ଲାଇନ ଲାଗିଯାଇଥିଲା। ଭାରତୀୟ ଦଳ ଶେଷ ଓଭରରେ ରିଙ୍କୁ ସିଂହ (୧ ରନ୍) ଏବଂ ଅର୍ଶଦୀପ ସିଂହ (୨ ରନ୍)ଙ୍କ ୱିକେଟ୍ ହରାଇଥିଲା। ଶେଷ ଦୁଇ ଓଭରରେ ମାତ୍ର ୧୦ ରନ୍ କରି ପାଞ୍ଚଟି ୱିକେଟ୍ ହରାଇଥିଲା ଭାରତ। ନାମିବ୍ୟା ଅଧିନାୟକ ଗେରହାର୍ଡ ଇରାସମସ୍ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ୱିକେଟ୍ ନେଇଥିଲେ। ବର୍ଣ୍ଣାର୍ଡ ସ୍କଲଜ୍, ବେନ୍ ଶିକୋଙ୍ଗୋ ଏବଂ ଜେଜେ ସ୍ମିଟ ପ୍ରତ୍ୟେକେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ବଡ଼ କଥା ହେଲା ସ୍ପିନରଙ୍କ ବିରୁଦ୍ଧରେ ଭାରତୀୟ ବ୍ୟାଟରରଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି। ଏପରି ସ୍ଥଳେ ପାକିସ୍ତାନ ପାଖରେ କିନ୍ତୁ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ସ୍ପିନର ରହିଛନ୍ତି। ଆସନ୍ତା ୧୫ ତାରିଖରେ ଭାରତ ପାକିସ୍ତାନ ମ୍ୟାଚ୍ ଥିବା ବେଳେ ବ୍ୟାଟିଂ ଲାଇନ ପାଇଁ ସତର୍କ ହେବାର ଆବଶ୍ୟକତା ରହିଛି। 

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ସେମାନଙ୍କର ପ୍ଲେଇଂ ୧୧ରେ ଦୁଇଟି ପରିବର୍ତ୍ତନ କରିଛି। ଓପନର ଅଭିଷେକ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ନଥିଲେ, ଏବଂ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଇନିଂସ ଓପନ କରିବାର ସୁଯୋଗ ଦିଆଯାଇଥିଲା। ଡାହାଣହାତୀ ପେସର ମହମ୍ମଦ ସିରାଜଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ସ୍ଥାନ ମିଳିଛି।