ନ୍ୟୁଚଣ୍ଡିଗଡ଼: ମୁଲ୍ଲାନପୁରରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଡ୍ରାଇଭ ସିଟରେ ଭାରତ। ଆଫଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୮/୫୬୪ରେ ଇନିଂସ ଘୋଷଣା କରିଛି। ଜବାବତେ ଆଫଗାନିସ୍ତାନ ଦ୍ଵିତୀୟ ଦିନର ଖେଳା ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୧୧୩ ରନ କରିଛି। ରହମତ ଶାହ ୪୩ ରନ ରନ କରି କ୍ରିଜରେ ଅଛନ୍ତି। ଏ ପର୍ଯ୍ୟନ୍ତ ଦଳ ଭାରତଠୁ ୪୫୧ ରନ ପଛରେ ରହିଛି। ଆଫଗାନିସ୍ତାନ ସଂପ୍ରତି ଫଲୋଅନ ଏଡ଼ାଇବାକୁ ଚେଷ୍ଟା କରୁଛ।

ଦ୍ଵିତୀୟ ଦିନରେ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଇନିଂସକୁ ଆଗକୁ ବଢାଇଥିଲେ। ଶତକ ହାସଲ କରି କ୍ରିଜରେ ଥିବା ଗିଲ୍ ଆଜି ପ୍ରଥମ ବ୍ୟାଟର ଭାବେ ୧୨୬ ରନର ଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଋଷଭ ପନ୍ତ ୮୧ ରନ କରି ପାଭିଲିୟନ ଫେରିଥିଲେ। ଧ୍ରୁବ ଜୁରେଲ ୧୯ ରନ କରିଥିବା ବେଳେ ମାନବ ସୁଥାର ୨୮ ରନ ଓ ମହମ୍ମଦ ସିରାଜ ଦ୍ରୁତ ୨୨ ରନ କରିଥିଲେ। ଓ୍ଵାଶିଂଟନ ସୁନ୍ଦର ୫୨ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୮ ଓ୍ଵିକେଟ୍ ହରାଇ ୫୬୪ ରନରେ ପାଳି ସମାପ୍ତି ଘୋଷଣା କରିଥିଲା।

Also Read: ଟି-୨୦ ଦଳରୁ କାହିଁକି ବାଦ୍ ପଡ଼ିଲେ ଶୁଭମନ ଗିଲ୍ ? ସାମ୍ନାକୁ ଆସିଲା BCCIର ମାଷ୍ଟରପ୍ଲାନ୍

ଏହା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଆଫଗାନିସ୍ତାନ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ନିରାଶ ଜନକ ପ୍ରଦର୍ଶନ କରିଛି। ଅବଦୁଲ ମଲିକ ୧୬ ରନ, ସେଦ୍ଦିକୁଲ୍ଲା ଅଟଲ ୧୭ ରନ ଓ ରେହମୁଲ୍ଲା ଗୁରବାଜ ୧୨ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରେହମତ ଶାହ କ୍ରିଜରେ ଜମି ରହି ଗୋଟିଏ ପଟୁ ଇନିଂସ ସମ୍ଭାଳିଛନ୍ତି। ହସମୁଲ୍ଲା ଶାହିଦି ୨୦ ରନ କରିଥିବା ବେଳେ ଅଫସର ଜଜାଇ ୩ ରନ କରି ଆଉଟ୍ ହେବା ସହ ଅମ୍ପାୟର ଦ୍ଵିତୀୟ ଦିନର ପାଳି ସମାପ୍ତି ଘୋଷଣା କରିଥିଲେ। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଆଫଗାନିସ୍ତାନ ୫ ଓ୍ଵିକେଟ୍ ହରାଇ ୧୧୩ ରନ କରିଛି।

ବୋଲିଂରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ମାନବ ସୁଥାର ୨୧ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଏବଂ ପ୍ରସିଦ୍ଧ କୃଷ୍ଣା ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ କେଏଲ ରାହୁଲଙ୍କ ୧୦୦ ରନ, ଶୁଭମନ ଗିଲଙ୍କ ୧୨୬ ରନ, ଋଷଭ ପନ୍ତଙ୍କ ୮୧ ରନ ଓ ଓ୍ଵାଶିଂଟନ ସୁନ୍ଦରଙ୍କ ୫୨ ରନ ବଳରେ ୮ ଓ୍ଵିକେଟ୍ ହରାଇ ୫୬୪ ରନରେ ପାଳି ସମାପ୍ତି ଘୋଷଣା କରିଥିଲା।