ଧର୍ମଶାଳା: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି। ହେଲେ ପ୍ରଥମ ଦିନିକିଆରେ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ଟସ୍ ପଡ଼ି ପାରିନି। ଧର୍ମଶାଳା ଷ୍ଟାଡିୟମରେ ଦ୍ବିପ୍ରହର ୧ଟା ୩୦ରୁ ଆରମ୍ଭ ହେବାର ଥିଲା। ହେଲେ ଲଗାତାର ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ଟସ୍ ମଧ୍ୟ ପଡ଼ିପାରି ନାହିଁ। ଉଭୟ ଦଳର ଖେଳାଳି ଷ୍ଟାଡିୟମରେ ଉପସ୍ଥିତ ରହି ବର୍ଷା ଛାଡ଼ିବାକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ମ୍ୟାଚକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି, ଯାହା ଦିନିକିଆ ମ୍ୟାଚକୁ ଟି-୨୦ ରେ ପରିଣତ କରିପାରେ।

ଏତିକି ସମୟ ସୁଦ୍ଧା ମ୍ୟାଚ୍ ନହେଲେ ଓଭର କମିବ !

ଧର୍ମଶାଳାରେ ଏବେ ମଧ୍ୟ ହାଲୁକା ଝିପି ଝିପି ବର୍ଷା ଜାରି ରହିଛି। ତେବେ ଆଶ୍ୱାସନାର କଥା ହେଉଛି ଯେ ବର୍ଷାର ବେଗ ପୂର୍ବ ଅପେକ୍ଷା କିଛିଟା କମିଛି। ମ୍ୟାଚ୍ ବିଳମ୍ବ ହେଉଥିବାରୁ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମ୍ରେ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ, ନିୟମ ଅନୁଯାୟୀ ଏବେ ମ୍ୟାଚ୍ର ଓଭର କଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ୨୦ ଓଭର ବିଶିଷ୍ଟ ମ୍ୟାଚ୍ ପାଇଁ କଟ୍-ଅଫ୍ ସମୟ ସନ୍ଧ୍ୟା ୬:୩୨ ସ୍ଥିର କରାଯାଇଛି।

Also Read: ନ୍ୟୁଜିଲାଣ୍ଡ କ୍ରିକେଟରେ ଏକ ଯୁଗର ଅନ୍ତ, ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ କେନ୍ ୱିଲିୟମସନ୍

ଯଦି ସନ୍ଧ୍ୟା ୬:୩୦ ସୁଦ୍ଧା ଖେଳ ଆରମ୍ଭ ନହୁଏ, ତେବେ ଏହି ଦିନିକିଆ ମ୍ୟାଚକୁ ୨୦-୨୦ ଓଭର ବିଶିଷ୍ଟ ମ୍ୟାଚ୍ ଭାବେ ଖେଳାଯିବ। ଯଦି ବର୍ଷା ଶୀଘ୍ର ଛାଡ଼େ ଏବଂ ମ୍ୟାଚ୍ ସନ୍ଧ୍ୟା ୫ଟାରେ ଆରମ୍ଭ ହୁଏ, ତେବେ ସମୟ ଅନୁସାରେ ଓଭର ସଂଖ୍ୟା କମାଇ ଦିଆଯିବ।

ପିଚ୍ ସହ ପୂରା ପଡ଼ିଆକୁ ଢାଙ୍କିଲେ ଗ୍ରାଉଣ୍ଡଷ୍ଟାଫ୍

ବର୍ତ୍ତମାନ ସୁଦ୍ଧା ପିଚକୁ କଭର୍ସ ଦ୍ୱାରା ଢାଙ୍କି ରଖାଯାଇଛି। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଗ୍ରାଉଣ୍ଡଷ୍ଟାଫ୍ ପୂରା ପଡ଼ିଆକୁ କଭର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଛି। ତେବେ ପ୍ଲସ୍ ପଏଣ୍ଟ ହେଉଛି, ଧର୍ମଶାଳା ମୈଦାନର ଡ୍ରେନେଜ୍ ସିଷ୍ଟମ୍ ବହୁତ ଭଲ, ଯାହାଫଳରେ ବର୍ଷା ରୁକିବା ମାତ୍ରେ ପଡ଼ିଆ ଖୁବ୍ ଶୀଘ୍ର ଶୁଖିଯିବ। ଏବେ କେବଳ ବର୍ଷା ଥମିବାକୁ ସମସ୍ତେ ଚାହିଁ ରହିଛନ୍ତି।