ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ସବୁଠାରୁ ସମ୍ମାନିତ ଓ ସଫଳ ବ୍ୟାଟରଙ୍କ ମଧ୍ୟରୁ ଜଣେ କେନ୍ ୱିଲିୟମସନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୧୬ ବର୍ଷ ଯାଏଁ ନ୍ୟୁଜିଲାଣ୍ଡ କ୍ରିକେଟର ଚେହେରା ରହିଥିବା ଏହି କିମ୍ୱଦନ୍ତୀ କ୍ରିକେଟଙ୍କ ସନ୍ନ୍ୟାସ ଘୋଷଣା ଖେଳ ପ୍ରେମୀଙ୍କୁ ଝଟକା ଦେଇଛି । ତାଙ୍କର ଏହି ନିଷ୍ପତ୍ତି ସହ ନ୍ୟୁଜିଲାଣ୍ଡ କ୍ରିକେଟର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ହୋଇଛି ।

ନ୍ୟୁଜିଲାଣ୍ଡର ସବୁ ଫର୍ମାଟରେ ସବୁଠାରୁ ସଫଳ ରନ୍ ସଂଗ୍ରହକାରୀ ଏବଂ ସମ୍ଭବତଃ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର କେନ୍ ୱିଲିୟମସନ । ସେ ନିଜ ଦେଶ ପାଇଁ ୩୭୮ଟି ମ୍ୟାଚ୍ ଖେଳିଛନ୍ତି ଏବଂ ଅଗଣିତ ବ୍ୟାଟିଂ ରେକର୍ଡର ଅଧିକାରୀ । ୩୫ ବର୍ଷୀୟ ଖେଳାଳି ଆନ୍ତର୍ଜାତିକ କ୍ରିକେଟରେ ୧୯,୩୪୬ ରନ୍ ସହ ନିଜ କ୍ୟାରିୟର୍ ଶେଷ କରିଛନ୍ତି । ତାଙ୍କ କ୍ୟାରିୟରରେ ୪୮ଟି ଶତକ ଏବଂ ୬ଟି ଦ୍ୱିଶତକ ସାମିଲ ଅଛି । 

ୱିଲିୟମସନ ୪୦ ଟେଷ୍ଟ, ୯୧ ଦିନିକିଆ ଏବଂ ୭୫ ଟି-୨୦ରେ ନ୍ୟୁଜିଲାଣ୍ଡର ନେତୃତ୍ୱ ନେଇଥିଲେ । ତାଙ୍କ କ୍ୟାପ୍ଟେନ୍ସିରେ ଦଳ ଦୁଇଟି ଆଇସିସି ବିଶ୍ୱକପ୍ ଫାଇନାଲ୍, ତିନୋଟି ସେମିଫାଇନାଲରେ ପ୍ରବେଶ କରିଥିଲେ । ୨୦୨୧ ମସିହାରେ ଉଦଘାଟନୀ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମଧ୍ୟ ଜିତିଥିଲେ ।

ୱିଲିୟମସନ, ନଭେମ୍ବର ୨୦୧୦ରେ ଅହମ୍ମଦାବାଦରେ ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁରେ ହିଁ ଏକ ଶତକ ମାରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୧୦ ଟେଷ୍ଟରେ ୩୮ଟି ଅର୍ଦ୍ଧଶତକ ଏବଂ ୩୩ଟି ଶତକ ସହ ୫୪.୦୬ ହାରରେ ୯,୫୧୫ ରନ୍ କରିଥିଲେ । ସେହିପରି ଦିନିକିଆରେ ୧୭୫ଟି ମ୍ୟାଚ୍‌ରେ ୪୭ଟି ଅର୍ଦ୍ଧଶତକ ଏବଂ ୧୫ଟି ଶତକ ସହ ୪୮.୬୯ ହାରରେ ୭,୨୫୬ ରନ୍ କରିଥିଲେ ।