କଣ୍ଟାବାଞ୍ଜି: ନିର୍ମାଣାଧୀନ କୋଠାରେ ବଡ଼ ଅଘଟଣ। ମୁଣ୍ଡ ଉପରେ ଲୁହା ଛଡ଼ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାରେ ଥିବା ଏକ ନିର୍ମାଣାଧୀନ ମ୍ୟାରେଜ୍ ପ୍ୟାଲେସରେ ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶ୍ରମିକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁରୋବାହାଲ ଗାଁର ଭାବ ଗ୍ରାହୀ ପୁଟେଲ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାରେ ଏକ ନୂତନ ମ୍ୟାରେଜ୍ ପ୍ୟାଲେସର ନିର୍ମାଣ କାମ ଚାଲିଥିଲା। ଏହି ସମୟରେ ଚାରି ମହଲା ଉପରୁ ଏକ ଲୁହା ଛଡ଼ ଖସି ଭାବ ଗ୍ରାହୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ନିର୍ମାଣ କାର୍ଯ୍ୟ ସମୟରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଶ୍ରମିକମାନେ କାମ କରୁଥିବା ସମୟରେ ସୁରକ୍ଷା ବେଲ୍ଟ ଏବଂ ହେଲମେଟ୍ ଭଳି ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଠିକା ମାଲିକଙ୍କ ପକ୍ଷରୁ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏହି ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ରଖାଯାଇଛି। ବିଳମ୍ବ ହେବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ଏପଟେ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇ ଶୋକରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ପୋଲିସ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।