ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଦର୍ଶନ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯିବା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ଢେଙ୍କାନାଳ ଅଞ୍ଚଳର ଯାଦବ ରାୟ।

ସୂଚନା ଅନୁଯାୟୀ, ଯାଦବ ରାୟ ଗୁରୁବାର ପତ୍ନୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ଶ୍ରୀମନ୍ଦିର ଭିତରେ ଦର୍ଶନ କରୁଥିବା ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଅଚାନକ ତଳେ ପଡ଼ିଯାଇଥିଲେ। ଏହା ଦେଖି ତାଙ୍କ ପତ୍ନୀ ଏବଂ ଅନ୍ୟ ଶ୍ରଦ୍ଧାଳୁ ତୁରନ୍ତ ମନ୍ଦିରରେ ମୁତୟନ ଥିବା ପୋଲିସ ଓ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ଯାଦବଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read: ଗିଡ଼ିପାବାଲି ଭୂସ୍ଖଳନରେ ଶେଷ ହେଲା ପୂରା ପରିବାର, ଆହୁରି ୬ ଏବେ ବି ନିଖୋଜ

ଯାଦବଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଅନୁମାନ ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ। ଶ୍ରୀମନ୍ଦିରରେ ଭିଡ଼, ଗୁଳୁଗୁଳି ଏବଂ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଯାଦବଙ୍କ ଏଭଳି ଅକାଳ ବିୟୋଗକୁ ନେଇ ପୁରୀ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।