ବଲାଙ୍ଗୀର: ଗୁଣିଗାରେଡ଼ି ପାଇଁ ସାଙ୍ଗକୁ ବଳି ଦେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚିତ। ବଲାଙ୍ଗୀର ଦେଓଗାଁ ଥାନା ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ଯେପରି ନିଜ ବନ୍ଧୁ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି ତାହା ସମସ୍ତଙ୍କୁ ଚକିତ କରିଛି। ଗୁରୁବାର ସନ୍ତୋଷଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଘଟଣା ପଛରେ ଗୁଣିଗାରେଡ଼ି ଥିବା ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜି। ଏସପି କହିଛନ୍ତି ଏହା ଥିଲା ଏକ ନରବଳି।

ସୂଚନାଥାଉକି, ଗୁରୁବାର ବଗଡ଼ା ଗାଁ ପୋଖରୀରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ଅନ୍ୟପଟେ ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ୫ ଦିନ ନିଖୋଜ ଥିବାରୁ ପୋଲିସ୍ ତାଙ୍କ ଘରକୁ ଖବର ପଠାଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ସନ୍ତୋଷଙ୍କର ବୋଲି ଚିହ୍ନଟ କରିଥିଲେ।

Also Read: ଲୋମଟାଙ୍କୁରା ହତ୍ୟା ! ଗୁଣିଗାରେଡ଼ି ପାଇଁ ସାଙ୍ଗକୁ ବଳି, ଘରେ ପୋତିଥିଲା କଟାମୁଣ୍ଡ

ଏହାପରେ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସର ତଦନ୍ତକୁ ଜୋରଦାର କରିଥିଲା। ସେପଟେ ଗୁଣିଗାରେଡ଼ି ପାଇଁ ହତ୍ୟା କରାଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ସନ୍ତୋଷଙ୍କୁ ବଳି ଦିଆଯାଇଥିଲା କି ନାହିଁ, ତାକୁ ନେଇ ମଧ୍ୟ ଉଠିଥିଲା ବଡ଼ ପ୍ରଶ୍ନ। ଏହିକ୍ରମରେ ପୋଲିସ ପଚରାଉଚରା ବେଳେ ସନ୍ତୋଷ କିଛିଦିନ ହେଲା ଶତ୍ରୁଘ୍ନ ସହ ବୁଲାବୁଲି କରୁଥିବା ଜାଣିବାକୁ ପାଇଥିଲା। ଆଉ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।

ଶତ୍ରୁଘ୍ନଙ୍କ ଘରୁ ସନ୍ତୋଷଙ୍କ ମୁଣ୍ଡ ମିଳିଥିବା ବେଳେ ସେ ତା’ର ସ୍ତ୍ରୀ ଓ ଛୁଆକୁ ଫେରିପାଇବା ପାଇଁ ନରବଳି ଦେଇ ପୂଜା ଅର୍ଚ୍ଚନା କରୁଥିଲା ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଏସପି ଅଭିଳାଷ ଜି।