ବଲାଙ୍ଗିର: ଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିଲା। ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା। ମୁଣ୍ଡକୁ ପୂଜାପାଠ କରୁଥିବା ଘର ଭିତରେ ପୋତିଦେଇ ଗଣ୍ଡିକୁ ପୋଖରୀରେ ଫିଙ୍ଗି ଦେଇଥିଲା। ୫ଦିନ ପରେ ମୁଣ୍ଡବିହୀନ ଗଳିତ ଶବ ପାଣିରେ ଭାସିବା ପରେ ଘଟଣା ସାମ୍ନାକୁ ଆସିଛି। ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ।

ମୃତକ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫)। ହତ୍ୟା ଅଭିଯୁକ୍ତ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୁଲିସ୍ ଅଟକ ରଖୁଛି। ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟ ପୋଖରୀରେ ଗୁରୁବାର ଏକ ଗଳିତ ମୃତଦେହ ଭାସୁଥିବା ପିଲାମାନେ ଦେଖିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ଦେଓଗାଁ ପୁଲିସ୍।

ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ଅନ୍ୟପଟେ ଟେବଡ଼ ଟେବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ୫ ଦିନ ନିଖୋଜ ଥିବାରୁ ପୁଲିସ୍ ତାଙ୍କ ଘରକୁ ଖବର ପଠାଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ।

ପଚରାଉଚରା ବେଳେ ସନ୍ତୋଷ କିଛିଦିନ ହେଲା ଶତ୍ରୁଘ୍ନ ସହ ବୁଲାବୁଲି କରୁଥିବା ଜଣାପଡ଼ିଥିଲା। ଏସ୍ଡିପିଓ ସରୋଜ ଉପାଧ୍ୟାୟ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।

ସନ୍ତୋଷଙ୍କୁ ହତ୍ୟା କରିଥିବା ଶତ୍ରୁଘ୍ନ ମାନି ନେଇଥିଲା। ହେଲେ ପୁଲିସ୍କୁ ଭୁଆଁ ବୁଲାଇବାକୁ ମୃତଦେହ ଓ କଟାମୁଣ୍ଡ ପୋଖରୀରେ ଫିଙ୍ଗି ଦେଇଥିବା କହିଥିଲା। ଅଗ୍ନିଶମ କର୍ମଚାରୀ ଗଭୀର ପାଣିରେ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ହେଁ ମୁଣ୍ଡ ପାଇ ନ ଥିଲେ। ଘନଘନ ଜେରାରୁ ଅଭିଯୁକ୍ତ ସତ ଓଗାଳିଥିଲା। ସେ ରହୁଥିବା ଘର ଭିତରେ କଟାମୁଣ୍ଡ ପୋତି ଦେଇଥିବା କହିଥିଲା।

also read- ଭାଉଜର ନଗ୍ନ ଫଟୋ ଭାଇରାଲ କରିଦେଲା ଦିଅର ! ରାତିରେ ବାନ୍ଧିଲା ପୋଲିସ

ପୁଲିସ୍ ଉକ୍ତ ସ୍ଥାନ ଖୋଳି କଟାମୁଣ୍ଡ ଜବତ କରିଥିଲା। କଟାମୁଣ୍ଡ ପୋତାଯାଇଥିବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଢ଼ାଯାଇଥିବା ଦେଖିବାକୁ ମିଳିଛି। ପାର୍ଶ୍ଵରେ ଥିବା ଏକ କାଠଖୁଣ୍ଟରେ ଧାର ଧାର ରକ୍ତର ଛିଟା ପଡ଼ିଥିଲା। ଅଭିଯୁକ୍ତ ଶତ୍ରୁଘ୍ନକୁ ପଚାରିବାରୁ ସେ ସନ୍ତୋଷଙ୍କୁ ବଳି ଦେଇଥିବା ସ୍ୱୀକାର କରିବା ସହ ସମସ୍ତ ଘଟଣା ବଖାଣିଥିଲା।