ନୂଆଦିଲ୍ଲୀ: ଭାରତରେ ଫିଫା ଓ୍ବାର୍ଲ୍ଡ କପ୍ ୨୦୨୬ର ପ୍ରସାରଣ କିଏ କରିବ ? ସେନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ଦୂର ହୋଇଛି। କାରଣ ଭାରତରେ ଫୁଟବଲ ବିଶ୍ବକପର ପ୍ରସାରଣ ପାଇଁ ମିଳିଯାଇଛି ବ୍ରଡକାଷ୍ଟର। ଜୁନ୍ ୧୧ରୁ ଆରମ୍ଭ ହେଉଥିବା ଫୁଟବଲ ମହାକୁମ୍ଭର ପ୍ରସାରଣ କରିବ ଜି ଏଣ୍ଟରଟେନମେଣ୍ଟର ନୂଆ ସ୍ପୋର୍ଟସ ଚ୍ୟାନେଲ Unite8 Sports ( ୟୁନାଇଟ୮ ସ୍ପୋର୍ଟସ) । କମ୍ପାନି ମ୍ୟାଚ୍ ଟେଲିକାଷ୍ଟ ପାଇଁ ରାଇଟସ କିଣିନେଇଛି।

Zee5ରେ ଲାଇଭ ଷ୍ଟ୍ରିମିଂ

ପ୍ରକୃତରେ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ଅର୍ଥାତ୍ ZEEL ଫିଫା ଓ୍ବାର୍ଲ୍ଡ କପ୍ ରାଇଟସ କିଣିଛି। ନୂଆ ଲଞ୍ଚ ହୋଇଥିବା Unite8 Sports ଟିଭି ଚ୍ୟାନେଲରେ ଫୁଟବଲ ବିଶ୍ବ କପ୍ ମ୍ୟାଚର ପ୍ରସାରଣ ହେବ। ସେହିଭଳି ୪୮ ଟିମ୍ ଥିବା ଏହି ବିଶାଳ ଟୁର୍ଣ୍ଣାମେଣ୍ଟର ଲାଇଭ ଷ୍ଟ୍ରିମିଂ ଆପଣଙ୍କୁ Zee5ରେ ଦେଖିବାକୁ ମିଳିବ। ଜୁନ ୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ, ଆମେରିକା, ମେକ୍ସିକୋ ଏବଂ କାନାଡା ମିଶି ଏହାକୁ ଆୟୋଜନ କରୁଛନ୍ତି।

Also Read: ସଫଳ ଆଇଡିଆରୁ ବିବାଦ, ଶେଷରେ ପଳାତକ ! ଆଇପିଏଲ୍ ଆରମ୍ଭ କରିଥିବା ବ୍ୟକ୍ତିଙ୍କ କଳା ରହସ୍ୟ !

୨୦୩୪ ପର୍ଯ୍ୟନ୍ତ ଡିଲ୍

କମ୍ପାନି ଏହା ମଧ୍ୟ ଘୋଷଣା କରିଛି ଯେ, ସେ ଭାରତୀୟ ବଜାରରେ ୨୦୨୬ ହିଁ ନୁହେଁ ବରଂ ୨୦୩୦ ଫିଫା ବିଶ୍ବ କପ୍, ୨୦୨୭ ଫିଫା ମହିଳା ବିଶ୍ବକପ୍ ଏବଂ ୨୦୩୪ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ ଫିଫା ଇଭେଣ୍ଟର ମଧ୍ୟ ପ୍ରସାରଣ କରିବ। ଏଥିରେ ଡକ୍ୟୁମେଣ୍ଟାରୀ କଣ୍ଟେଣ୍ଟ ମଧ୍ୟ ରହିଛି। ଫିଫା ବିଶ୍ବ କପ୍ (ପୁରୁଷ ଏବଂ ମହିଳା) ବ୍ୟତୀତ ‘ଜେଡ୍’ U-୧୭ ବିଶ୍ବ କପ୍, ମହିଳା U- 17 ବିଶ୍ବ କପ୍, U- 20 ବିଶ୍ବ କପ୍, ମହିଳା U- 20 ବିଶ୍ବ କପ୍, ଫୁଟସଲ ବିଶ୍ବ କପ୍, ଫୁଟସଲ ମହିଳା ବିଶ୍ବ କପ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ମଧ୍ୟ ‘ଜି’ର ନୂଆ ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରଣ ହେବ। ZEELର ସିଇଓ ପୁନୀତ ଗୋୟଙ୍କା କହିଛନ୍ତି ‘‘ଆମେ ଦୁନିଆର ସବୁଠୁ ବଡ଼ ସ୍ପୋର୍ଟସ ଇଭେଣ୍ଟ ମଧ୍ୟରୁ ଗୋଟିଏକୁ ଭାରତୀୟ ଦର୍ଶକଙ୍କ ପାଇଁ ଆଣିବା ପାଇଁ ଉତ୍ସାହିତ।’’

କ’ଣ ଥିଲା ଅସୁବିଧା ?

ସୂଚନାଥାଉକି, ଫିଫା ବିଶ୍ବ କପ୍ର ସମୟ କାରଣରୁ ଭାରତରେ ବ୍ରଡକାଷ୍ଟରକୁ ନେଇ ଅଡ଼ୁଆ ଲାଗିରହିଥିଲା। କାରଣ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ହେଉଥିବାରୁ ଏହା ଏକ ସମସ୍ୟା ହୋଇ ରହିଥିଲା। ଏହି କାରଣରୁ ଜିଓହଟଷ୍ଟାର ଏବଂ ସୋନୀ ସ୍ପୋର୍ଟସ ଭଳି ବଡ଼ କମ୍ପାନି ମଧ୍ୟ ରାଇଟ୍ସ କିଣିବାକୁ ପଛରୁ ହଟିଯାଇଥିଲେ।

Also Read: ଇତିହାସ ରଚିଲା ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ି: ପ୍ରଥମ ଭାରତୀୟ ଡବଲ୍ସ ଦଳ ଭାବେ ଜିତିଲେ ସିଙ୍ଗାପୁର ଓପନ ଟାଇଟଲ୍

ଆହୁରି ମଧ୍ୟ ୨୦୨୬ ଏବଂ ୨୦୩୦ ବିଶ୍ବ କପ୍ ପାଇଁ ଫିଫା ୧୦୦ ମିଲିୟନ ଡଲାର ଦାବି କରିଥିଲା। ଫଳରେ ରାଇଟ୍ସ କିଣିବା ଆହୁରି ମୁସ୍କିଲ ହୋଇପଡ଼ିଥିଲା। ଅବଶ୍ୟ ପରେ ଏହି ଦାବିକୁ ୬୦ ମିଲିୟନ କରାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଓହଟଷ୍ଟା ୨୦ ମିଲିୟନ ଡଲାର ଅଫର କରିଥିଲା।

୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂ ସେକ୍ଟରରେ ‘ଜି’ର ପ୍ରତ୍ୟାବର୍ତ୍ତନ

‘ଜି’ ନେଟଓ୍ବର୍କ ଏହାର କିଛି ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ସ ବନ୍ଦ କରି ଖେଳ ପ୍ରେମୀଙ୍କ ପାଇଁ ଚାରି ନୂଆ ଚ୍ୟାନେଲ ଲଞ୍ଚ କରିଛି। ଏଥିରେ ହିନ୍ଦୀ ଦର୍ଶକଙ୍କ ପାଇଁ ‘ୟୁନାଇଟ ୮ ସ୍ପୋର୍ଟ୍ସ ୧’ ଏବଂ ‘ୟୁନାଇଟ ୮ ସ୍ପୋର୍ଟସ ୧ HD’ ଏବଂ ଇଂରାଜୀରେ ‘ୟୁନାଇଟ୮ ସ୍ପୋର୍ଟସ ୨’ ଏବଂ ‘ୟୁନାଇଟ୮ ସ୍ପୋର୍ଟସ ୨ HD’ ରହିଛି। ତେବେ ଫିଫା ଓ୍ବାର୍ଲ୍ଡ କପ୍ ପ୍ରସାରଣ ସହ ‘ଜି’ ପ୍ରାୟ ୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂ ସେକ୍ଟରରେ ‘ଜି’ର ପ୍ରତ୍ୟାବର୍ତ୍ତନ କରିଛି।