ନୂଆଦିଲ୍ଲୀ: ୨୦୦୮ ମସିହା। ବିଶ୍ୱ କ୍ରିକେଟ୍ ଇତିହାସରେ ପ୍ରଥମ। ଭାରତରେ ଆରମ୍ଭ ହୋଇଥିଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍। ଗୋଟିଏ ମଞ୍ଚରେ ସ୍ପୋର୍ଟର୍ସ, ବିଜନେସ୍ ଆଉ ଏଣ୍ଟରଟେନମେଣ୍ଟ। ଖେଳାଳିମାନଙ୍କ ପାଇଁ ବିପୁଳ ରୋଜଗାରର ନୂଆ ଯୁଗ। ଆଜି IPL ବିଶ୍ୱର ଦ୍ୱିତୀୟ ସର୍ବବୃହତ କ୍ରୀଡା ଲିଗ୍ ଭାବରେ ଠିଆ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଯେଉଁ ଘରୋଇ ଟୁର୍ଣ୍ଣାମେଣ୍ଟ ଆଜି ସାରା ବିଶ୍ୱରେ ପରିଚିତ, ପ୍ରତିଟି ଭାରତୀୟଙ୍କ ଇମୋସନ୍, ଏହାର ପରିକଳ୍ପନା ଓ ବାସ୍ତବତା ପଛରେ ରହିଛି ବିଜନେସମ୍ୟାନ ଲଳିତ ମୋଦିଙ୍କ ହାତ।

ଆମେରିକାରେ ପାଠପଢ଼ା ସମୟରେ ଲଳିତ ମୋଦି କ୍ରିକେଟ୍‌ର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସେହି ସମୟରେ ଭାରତୀୟ କ୍ରୀଡା ଜଗତ ପାଇଁ ନୂଆ ସମ୍ଭାବନା ଥିଲା। ସେ ଦେଖିଥିଲେ ଯୁରୋପରେ ଫୁଟବଲ ଲିଗ ବହୁତ ଲୋକପ୍ରିୟ। ଯେଉଁଠି ଇଂଲିସ୍ ପ୍ରିମିୟର ଲିଗରେ ସିଟି ବେସଡ୍ ଅନୁସାରେ ଟିମ୍ ଅଛନ୍ତି। ଟପ୍ ଇଣ୍ଟନ୍ୟାସନାଲ ପ୍ଲେୟାର ବି ଅଛନ୍ତି। ମ୍ୟାଚକୁ ଟିଭି ସିଧା ପ୍ରସାରଣ କରାଯାଉଛି। ପ୍ରତିଟି ମ୍ୟାଚରେ ଟଙ୍କା ବର୍ଷା। ୟୁରୋପରେ ଫୁଟବଲ ଯେପରି ଲୋକପ୍ରିୟ ଭାରତରେ କ୍ରିକେଟ ସହ ରହିଛି ଭାରତୀୟଙ୍କ ଇମୋସନ। ସେଥିପାଇଁ ୟୁରୋପର ଫୁଟବଲ ଲିଗ୍ ଷ୍ଟାଇଲରେ IPLର ଭିଜନ ଦେଖିଥିଲେ ଲଳିତ ମୋଦି।

କ୍ରିକେଟରେ ଏମିତି ଗୋଟିଏ ଫର୍ମାଟ ହେବ, ପ୍ରତିଟି ଟିମ୍ ଦେଶର ପ୍ରମୁଖ ସହରକୁ ରିପ୍ରେଜେଣ୍ଟେଟିଭ କରିବେ। ଭାରତୀୟ ଓ ବିଦେଶୀ ଖେଳାଳି ସାଥୀ ହୋଇ ଗୋଟିଏ ଟିମ୍ରେ ଖେଳିବେ। ମ୍ୟାଚର ସିଧା ପ୍ରସାରଣ ଦର୍ଶକ ଦେଖିବେ। ପ୍ରତି ଟିମର ଜଣେ ମାଲିକାନା ବା ପ୍ରାଇଭେଟ୍ ଓନରଙ୍କ ଅଧୀନରେ ରହିବ। ଏହି ଭିଜନକୁ ନେଇ IPLର ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ଲଳିତ ମୋଦି।

ଆଜକୁ ୩୧ ବର୍ଷ ପୂର୍ବେ ଅର୍ଥାତ ୧୯୯୫ରେ ପ୍ରଥମ ଥର ପାଇଁ BCCI ଆଗରେ ପ୍ରସ୍ତାବ ରଖିଥିଲେ ଲଳିତ ମୋଦି। ମୋଦିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା ବିସିସିଆଇ। ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ଆଇଏସ ବିନ୍ଦ୍ରା,ସମ୍ପାଦକ ଜଗମୋହନ ଡାଲମିଆଁ ଏହାକୁ ବିରୋଧ କରିଥିଲେ। BCCI ଭାବୁଥିଲା ଯେ ଏଭଳି ପ୍ରସ୍ତାବ କ୍ରିକେଟର ଅସଲ ଭାବମୂର୍ତ୍ତିକୁ ନଷ୍ଟ କରିଦେବ। କେବଳ ମନୋରଞ୍ଜନ, ଗ୍ଲାମର ଏବଂ ଟଙ୍କାର ଖେଳ ହୋଇରହିବ। ଖେଳାଳି ମଧ୍ୟରେ ବିଶ୍ୱସନୀୟତା ରହିବନି। ଟଙ୍କା ଓ କ୍ରିକେଟ୍ ପ୍ରତି ନିୟନ୍ତ୍ରଣ ବିସିସିଆଇ ହାତରୁ ଖସିଯାଇପାରେ।

ପ୍ରସ୍ତାବ ପ୍ରତ୍ୟାଖାନ ହେବା ପରେବି ଲଳିତ ମୋଦୀ ପଛଘୁଞ୍ଚା ଦେଇନଥିଲେ। ସେ ଜାଣିଲେ କେବଳ ପାଓ୍ୱାରଫୁଲ୍ ଆଇଡିଆ କାଗଜରେ ସୀମିତ ରହେ କିନ୍ତୁ ପାଓ୍ୱାରଫୁଲ ପୋଷ୍ଟ ହିଁ ତାହାକୁ କାର୍ଯ୍ୟକାରୀ କରାଇପାରେ। IPL ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାକୁ ହେଲେ BCCI ମେମ୍ବର ହେବା ଦରକାର। ଯଦି ଜଣେ ରାଜ୍ୟର କ୍ରିକେଟ ଆସୋସିଏସନର ମୁଖ୍ୟ ହୁଏ, ସେ ଅଟୋମେଟିକ୍ ବିସିସିଆଇ ମେମ୍ବର ହୋଇପାରିବ। ଏଇଠୁ ହିଁ ଲଳିତ ମୋଦିଙ୍କ ଜୀବନରେ ଆସିଥିଲା ବଡ଼ ଟ୍ୱିଷ୍ଟ।

ସମୟ ସହିତ ଲଳିତ ମୋଦି ଭାରତୀୟ କ୍ରିକେଟ୍ ଭିତରେ ତାଙ୍କର ପ୍ରଭାବକୁ ସୁଦୃଢ଼ କରିବା ଆରମ୍ଭ କଲେ। ସେ ପ୍ରଥମେ ହିମାଚଳ କ୍ରିକେଟ୍ ଆସୋସିଏସନ୍ ସହିତ ଜଡିତ ହେଲେ। ତା’ପରେ ପଞ୍ଜାବ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଜଡିତ ହେଲେ। କେବଳ ଜଡିତ ହେଲେ ଜଣେ ବିସିସିଆଇ ମେମ୍ବର ହୋଇପାରିବନି। କିନ୍ତୁ ଏହା ପରେ ଲଳିତ ମୋଦି ନିଶାନା କରିଥିଲେ ରାଜସ୍ଥାନ କ୍ରିକେଟ ଆସୋସିଏସନକୁ। ୨୦୦୩ରେ ବସୁନ୍ଧରା ରାଜେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବସୁନ୍ଧରା ଓ ଲଳିତଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ସମ୍ପର୍କ ଥିଲା। ଯେଉଁ ସୁଯୋଗକୁ ହାତଛତା କରିନଥିଲେ ଲଳିତ ମୋଦି। ୨୦୦୫ ମସିହାରେ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ (RCA) ର ସଭାପତି ନିର୍ବାଚିତ ହୋଇଥିଲା। ଏହା ପରେ ସେ ବିସିସିଆଇର ସଦସ୍ୟ ହୋଇଯାଇଥିଲେ। କିନ୍ତୁ କେବଳ ସଦସ୍ୟ ହୋଇଗଲେ IPL ହୋଇଯିବ, ତାହା ନୁହେଁ। ବିସିସିଆଇର ବଡ଼ ପୋଜିସନ ଦରକାର।

୨୦୦୫ ମସିହା। ବିସିଆଇ ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ହେବାର ଥିଲା। ଗୋଟିଏ ପଟେ ଜଗମୋହନ ଡାଲମିଆଁ ଅନ୍ୟପଟେ ଶରଦ ପାଓ୍ୱାର। ଶରଦ ପାଓ୍ୱାରଙ୍କ ପଲ୍ଲା କମ ଥିଲା। ପ୍ରତିପକ୍ଷ ଶକ୍ତିଶାଳୀ ଥିଲେ। ଠିକ୍ ସେହି ସମୟରେ ଶରଦ ପାଓ୍ୱାରଙ୍କ ସହ ହାତ ମିଳାଇଥିଲେ ଲଳିତ ମୋଦି। ଆଉ ଶେଷରେ ଜିତିଥିଲେ ଶରଦ ପାଓ୍ୱାର। ଶରଦ ପାଓ୍ୱାର ବିସିଆଇ ଅଧ୍ୟକ୍ଷ ହେଲେ, ଲଳିତ ମୋଦି ଉପାଧ୍ୟକ୍ଷ ଭାବରେ BCCI ରେ ଏଣ୍ଟ୍ରି କରିଥିଲେ।

ଆଉ ଏବେ ଆଇପିଏଲକୁ ଲଞ୍ଚ କରିବା ପାଇଁ ଲଳିତଙ୍କୁ କେହି ଅଟକାଇ ପାରିବେନି। ତଥାପି ଥିଲା କିନ୍ତୁ। କ୍ରିକେଟ୍ କେବଳ ନିର୍ଦ୍ଦିଷ୍ଟ ବର୍ଗର ସହିତ ସୀମିତ ଥିଲା। ଛୋଟ ପିଲାଠୁ ବୟସ୍କ ଯାଏଁ IPLକୁ କେମିତି ଆପଣାଇବେ, ଏହା ଲଳିତ ମୋଦିଙ୍କ ପାଇଁ ଚାଲେଞ୍ଜ ଥିଲା।

୨୦୦୭ ମସିହାରେ ଲଳିତ ମୋଦି ପ୍ରଫେସନାଲ କ୍ରିକେଟ ଲିଗ୍ ଆରମ୍ଭ କରିଥିଲେ। ଏଥିପାଇଁ ସେ ଜୁଲାଇ ୨୦୦୭ରେ IMG ୱାର୍ଲ୍ଡର ଉପାଧ୍ୟକ୍ଷ ଆଣ୍ଡ୍ରୁ ୱାଇଲ୍ଡବ୍ଲଡ୍ଙ୍କୁ ଭେଟିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ୱିମ୍ବଲଡନ୍ ଫାଇନାଲ୍ ଦିନ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ମୋଦୀଙ୍କ ପରିକଳ୍ପନା କିପରି ବାସ୍ତବତାରେ ପରିଣତ ହେବ, ତାହାକୁ ବୁଝାଇଥିଲେ ୱାଇଲ୍ଡବ୍ଲଡ୍।

ସେପ୍ଟେମ୍ବର ୧୦, ୨୦୦୭। କଲମ୍ବିଆ ବିଜନେସ୍ ସ୍କୁଲର ରିପୋର୍ଟ ଅନୁଯାୟୀ, ବିସିସିଆଇ ସଭାପତି ଶରଦ ପାୱାର ଲଳିତ ମୋଦିଙ୍କୁ IPL ପାଇଁ ଖେଳାଳିଙ୍କ ନିଯୁକ୍ତିକୁ ସହଜ କରିବା ପାଇଁ ୨୫ ନିୟୁତ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ। ମୋଦିଙ୍କୁ ଏହି ପାଣ୍ଠି ବିଭିନ୍ନ ସର୍ତ୍ତରେ ଯୋଗାଇ ଦିଆଯାଇଥିଲା। ସେ ମୁମ୍ବାଇରେ ଥିବା ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରୁ ଲିଗ୍ ପରିଚାଳନା କରିବେ। ଏହା ବ୍ୟତୀତ, ସେ IPL ପରିଚାଳନା ପାଇଁ କୌଣସି ଦରମା ପାଇବେ ନାହିଁ। ପ୍ରତିବଦଳରେ, ସେ ପାଞ୍ଚ ବର୍ଷ ପାଇଁ ଲିଗ୍ରେ ସାମିଲ ହେବାରୁ ନିବୃତ୍ତ ରହିବେ।

ସେପ୍ଟେମ୍ବର ୧୨, ୨୦୦୭। ପ୍ରଥମ ଟି-୨୦ ବିଶ୍ୱକପ୍ ମଧ୍ୟଭାଗରେ ସେ ଆନୁଷ୍ଠାନିକ ଭାବରେ ଦିଲ୍ଲୀରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଷ୍ଟିଫେନ୍ ଫ୍ଲେମିଂଙ୍କ ଭଳି ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ବିଶ୍ୱକପ୍ ସମୟରେ, ସେ ଖେଳାଳିମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। IPL ରୁ ସେମାନେ କିପରି ଆର୍ଥିକ ପୁରସ୍କାର ଏବଂ ଅନ୍ୟାନ୍ୟ ଲାଭ ବିଷୟରେ ସେମାନଙ୍କୁ ସୂଚନା ଦେଇଥିଲେ।

ସେପଟେ ପ୍ରଥମ ଟି ୨୦ ବିଶ୍ୱକପରେ ଯୁବରାଜ ସିଂହଙ୍କ ୬ ବଲରେ ୬ ଛକା ଓ ପାକିସ୍ତାନ ବିପକ୍ଷରେ ଟାଇଟଲ ଜିତିବା ପରେ ପ୍ରତିଟି ଭାରତୀୟଙ୍କ ଇମୋସନ ସହ ଯୋଡି ହୋଇଗଲା କ୍ରିକେଟ୍। ଯାହା ଲଳିତ ମୋଦିଙ୍କ ପାଇଁ ବ୍ୟାପକ ସୁଯୋଗ ଆଣିଦେଇଥିଲା। ପରବର୍ତ୍ତୀ ସମୟରେ, ସେ ବିଶ୍ୱବ୍ୟାପୀ କ୍ରିକେଟ୍ ବୋର୍ଡ ସହିତ ଯୋଗାଯୋଗ କରି IPL ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କର ଖେଳାଳିମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ଇଂଲଣ୍ଡକୁ ଛାଡି, ପ୍ରତ୍ୟେକ ବୋର୍ଡ ଲଳିତ ମୋଦିଙ୍କ ବାର୍ତ୍ତାରେ ସମ୍ମତି ପ୍ରଦାନ କରିଥିଲେ।

ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଆଠଟି ସହର ଚୟନ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଜୟପୁର ଏବଂ ମୋହାଲି। ଫ୍ରାଞ୍ଚାଇଜ୍ ପାଇଁ ନିଲାମ ୨୦୦୮ ଜାନୁଆରୀ ୨୪ରେ ଆରମ୍ଭ ହୋଇଥିଲା। ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କଠାରୁ ଆରମ୍ଭ କରି ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ବିଡରମାନେ ସଫଳତାର ସହ ଫ୍ରାଞ୍ଚାଇଜ୍ ହାସଲ କରିଥିଲେ।

ପ୍ରଥମ ଖେଳାଳି ନିଲାମ ଫେବୃଆରୀ ୨୦, ୨୦୦୮ରେ ହୋଇଥିଲା। ଧୋନି ସିଜିନର ସବୁଠାରୁ ମହଙ୍ଗା ଖେଳାଳି ଭାବରେ ଉଭା ହୋଇଥିଲେ। ଚେନ୍ନାଇ ତାଙ୍କୁ 1.5 ମିଲିୟନ ଡଲାର ବା ୧୪ କୋଟି ଟଙ୍କାରେ କିଣିଥିଲେ। ସଚିନ୍ ତେନ୍ଦୁଲକରଙ୍କୁ ମୁମ୍ବାଇ ପାଇଁ 'ଆଇକନ୍ ପ୍ଲେୟାର', ବୀରେନ୍ଦ୍ର ସେହୱାଗ ଦିଲ୍ଲୀ ପାଇଁ, ସୌରଭ ଗାଙ୍ଗୁଲି କୋଲକାତା ପାଇଁ, ଭିଭିଏସ ଲକ୍ଷ୍ମଣ ହାଇଦ୍ରାବାଦ ପାଇଁ, ରାହୁଲ ଦ୍ରାବିଡ ପାଇଁ ଏବଂ ଯୁବରାଜ ସିଂହ ମୋହାଲି ପାଇଁ ମନୋନୀତ ହୋଇଥିଲେ। ନିଲାମ ସମୟରେ ଏହି ଖେଳାଳିମାନଙ୍କୁ ନିଲାମ ପାଇଁ ନିଲାମ ଦିଆଯାଇ ନଥିଲା; ବରଂ, ସେମାନଙ୍କୁ ସେମାନଙ୍କ ଦଳର ସର୍ବାଧିକ ଦରମା ପାଇଥିବା ଖେଳାଳିଙ୍କ ତୁଳନାରେ ୧୫ ପ୍ରତିଶତ ଅଧିକ ରାଶି ଦିଆଯାଇଥିଲା। IPL ଟୁର୍ଣ୍ଣାମେଣ୍ଟ ପାଇଁ ଏପ୍ରିଲ-ମେ ମାସକୁ ବାଛିଥିଲେ ଲଳିତ ମୋଦି। କାରଣ ଏହି ସମୟରେ ପିଲାମାନଙ୍କ ପରୀକ୍ଷା ସରିଯାଇଥାଏ। ପିଲା ଓ ଅଭିଭାବକମାନେ ସହଜରେ IPLକୁ ଉପଭୋଗ କରିପାରିବେ।

୨୦୧୦ ମସିହାରେ IPL ଶେଷ ହେବା ପରେ ମୋଦୀଙ୍କ ବିପକ୍ଷରେ ଆର୍ଥିକ ଅନିୟମିତତାର ଅଭିଯୋଗ ପରେ ତାଙ୍କୁ BCCIରୁ ନିଲମ୍ବିତ କରାଯାଇଥିଲା । ଗଭର୍ଣ୍ଣିଂ କାଉନସିଲକୁ ବାଇପାସ୍ କରିବା, ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରିବା, ବିଡ୍ ରିଗିଂ କରିବା , ତାଙ୍କ ବନ୍ଧୁମାନଙ୍କୁ ଚୁକ୍ତିନାମା ପ୍ରଦାନ କରିବା, ପ୍ରସାରଣ ଚୁକ୍ତିରେ କିକ୍ ବ୍ୟାକ୍ ଗ୍ରହଣ କରିବା, ତାଙ୍କ ପରିବାରର ସଦସ୍ୟମାନଙ୍କୁ ଫ୍ରାଞ୍ଚାଇଜ ବିକ୍ରି କରିବା, ବେଟିଂ ଏବଂ ମନି ଲଣ୍ଡରିଂ ଅଭିଯୋଗ ପରେ BCCI ତାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲା। ୨୦୧୩ରେ କମିଟି ଏହି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ପରେ ଲଳିତ ମୋଦିଙ୍କୁ ଆଜୀବନ ନିଷିଦ୍ଧ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା ପାଇଁ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏହା ପୂର୍ବରୁ ସେ ଲଣ୍ଡନ ପଳାୟନ ଯାଇଥିଲେ। ତାଙ୍କୁ ପଳାତକ ଭାବରେ ଆଖ୍ୟା ଦିଆଯାଇଥିଲା। ମୋଦି ଏହି ଅଭିଯୋଗ ଅସ୍ୱୀକାର କରିବା ସହ ରାଜନୈତିକ ଆକ୍ରୋଶରୁ ଏହି ଆକ୍ସନ ନିଆଯାଇଥିବା କହିଆସୁଛନ୍ତି।

ସେ ଯାହା ହେଉନା କାହିଁକି, ଭାରତରେ IPLର ପରିକଳ୍ପନାର ବାସ୍ତବତା ରୂପ ଦେବା ଲଳିତ ମୋଦିଙ୍କ ପାଇଁ ସମ୍ଭବ। ବାଦ ବିବାଦ ଭିତରେ ୨୦୦୮ ମସିହାରେ ଏକ ଛୋଟ ଏକ୍ସପେରିମେଣ୍ଟରୁ ଆରମ୍ଭ ହୋଇଥିବା ଆଇପିଏଲ୍ ଆଜି ବିଶ୍ୱବ୍ୟାପୀ କ୍ରିକେଟ୍ କ୍ରେଜ ପାଲଟିଛି। ଏହା କେବଳ ମନୋରଞ୍ଜନ ପାଇଁ ନାହିଁ, ବରଂ ଭାରତର ସୁଦୂର ଗାଁ ଗଣ୍ଡାରୁ ପ୍ରତିଭାମାନଙ୍କୁ ଖୋଜି ଆଣି ବିଶ୍ୱସ୍ତରର ସୁପରଷ୍ଟାର୍ ବନାଇଛି। ଆଇପିଏଲ୍ର ଏହି ରୋମାଞ୍ଚକର ଯାତ୍ରା ସବୁ ଭାରତୀୟଙ୍କ ପାଇଁ ମନୋରଂଜନ ଓ ଯୁବ ପ୍ରତିଭାଙ୍କ ପାଇଁ ପ୍ଲାଟଫର୍ମ ହୋଇପାରିଛି।