ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଇତିହାସ ରଚିଛନ୍ତି । ସିଙ୍ଗାପୁର ଓପନ ୨୦୨୬ର ପୁରୁଷ ଡବଲ୍ସ ଟାଇଟଲ୍ ଜିତି ନିଜର ଦୁଇ ବର୍ଷର ଟ୍ରଫି ମରୁଡ଼ିର ଅନ୍ତ କରିଛନ୍ତି । ରବିବାର ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ରେ ଭାରତୀୟ ଯୋଡ଼ି ବିଶ୍ୱର ୩ ନମ୍ବର ଇଣ୍ଡୋନେସୀୟ ଯୋଡ଼ି ଫଜର ଅଲଫିଆନ ଏବଂ ମୁହମ୍ମଦ ଶୋହିବୁଲ୍ ଫିକ୍ରିଙ୍କୁ ହରାଇଛନ୍ତି । ୧୮-୨୧, ୨୧-୧୭, ୨୧-୧୬ରେ ପରାସ୍ତ କରିଛନ୍ତି । ପ୍ରାୟ ୭୩ ମିନିଟ୍ ଧରି ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପ୍ରଥମ ଗେମ୍ ହାରିବା ପରେ ସାତ୍ତ୍ୱିକ-ଚିରାଗ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମ୍ ଜିତି ନେଇଥିଲେ । ବିଶ୍ୱ ରାଙ୍କିଙ୍ଗର ଚତୁର୍ଥ ସ୍ଥାନରେ ଥିବା ଏହି ଭାରତୀୟ ଯୋଡ଼ିଙ୍କ ୨୦୨୪ ଥାଇଲ୍ୟାଣ୍ଡ ଓପନ ପରେ ଏହା ହେଉଛି ପ୍ରଥମ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ।

ମ୍ୟାଚ୍ ଆରମ୍ଭରେ ସାତ୍ତ୍ୱିକ ଏବଂ ଚିରାଗ ଦମଦାର ପ୍ରଦର୍ଶନ କରି ପ୍ରଥମ ଗେମ୍‌ରେ ୫-୨ରେ ଅଗ୍ରଣୀ ହାସଲ କରିଥିଲେ । ହେଲେ ଇଣ୍ଡୋନେସୀୟ ଯୋଡ଼ି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଗେମକୁ ୨୧-୧୮ରେ ନିଜ ନାଁରେ କରିନେଇଥିଲେ । ଗୋଟିଏ ଗେମ୍ ପଛରେ ପଡ଼ିବା ପରେ ଭାରତୀୟ ଯୋଡ଼ି ଧୈର୍ଯ୍ୟ ହରାଇ ନ ଥିଲେ । ଦ୍ୱିତୀୟ ଗେମରେ ସ୍କୋର ୮-୮ ଥିବା ସମୟରେ ସାତ୍ତ୍ୱିକ-ଚିରାଗ ନିଜର ଆକ୍ରମଣାତ୍ମକ ଶୈଳୀ ଆପଣେଇ କ୍ରମାଗତ ୬ଟି ପଏଣ୍ଟ ହାସଲ କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଦ୍ୱିତୀୟ ଗେମକୁ ୨୧-୧୭ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ନିର୍ଣ୍ଣାୟକ ଗେମ୍‌ରେ ଭାରତୀୟ ଖେଳାଳି ଆରମ୍ଭରୁ ୧୧-୫ର ବଡ଼ ଅଗ୍ରଣୀ ନେଇଥିଲେ । ମଝିରେ ଇଣ୍ଡୋନେସୀୟ ଯୋଡ଼ି ସ୍କୋରକୁ ୧୧-୧୨ ପର୍ଯ୍ୟନ୍ତ ଆଣି ସଂଘର୍ଷ ବଢ଼ାଇଥିଲେ ମଧ୍ୟ ସାତ୍ତ୍ୱିକ-ଚିରାଗ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଶେଷରେ ୨୧-୧୬ରେ ଗେମ୍ ସହ ମ୍ୟାଚ୍ ଜିତି ନେଇଥିଲେ ।

ଏହି ଐତିହାସିକ ବିଜୟ ସହ ସାତ୍ତ୍ୱିକ ଏବଂ ଚିରାଗ ପ୍ରଥମ ଭାରତୀୟ ଡବଲ୍ସ ଦଳ ଭାବେ ସିଙ୍ଗାପୁର ଓପନ ଟାଇଟଲ୍ ଜିତିବାର ଗୌରବ ହାସଲ କରିଛନ୍ତି । ଏହାପୂର୍ବରୁ କେବଳ ସାଇନା ନେହୱାଲ, ପି.ଭି.ସିନ୍ଧୁ ଏବଂ ବି.ସାଈ ପ୍ରଣୀତ ଏହି ସମ୍ମାନଜନକ ଟ୍ରଫି ଜିତିଥିଲେ । କିନ୍ତୁ ସେସବୁ ସିଙ୍ଗଲ୍ସ ବର୍ଗରେ ଆସିଥିଲା । ଏହି ବିଜୟ ସାତ୍ତ୍ୱିକ ଏବଂ ଚିରାଗଙ୍କର ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍‌ ଦୀର୍ଘ ଦୁଇ ବର୍ଷର ଟ୍ରଫି ମରୁଡ଼ିର ଅନ୍ତ କରିଛି । ଏହା ସେମାନଙ୍କ କ୍ୟାରିୟରର ୧୦ମ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ଏବଂ ତୃତୀୟ ବିଗ୍ ସୁପର ୭୫୦ କ୍ରାଉନ୍ ଅଟେ ।