ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଏମି ପୁରସ୍କାର ମନୋନୀତ ପାକିସ୍ତାନୀ ସାମ୍ବାଦିକ ୱଜାହତ୍ ସାବିଦ୍ ଖାନ୍ ପ୍ରଥମେ ଦାବି କରିଥିଲେ ଯେ, ସେନା ମୁଖ୍ୟାଳୟର ତିନିଜଣ ବରିଷ୍ଠ ସୈନ୍ୟ ଅଧିକାରୀ ଇମ୍ରାନ୍ଙ୍କ ଜେଲ୍ରେ ମୃତ୍ୟୁ ଘଟିଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।ତେବେ ପରଦିନ ନିଜ ୟୁଟ୍ୟୁବ୍ ଭିଡିଓରେ ୱଜାହତ୍ ନିଜ ମନ୍ତବ୍ୟରୁ ଓହରି ଯାଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ, ଅଧିକାରୀମାନଙ୍କର ଏହି ମନ୍ତବ୍ୟ କେବଳ ତାଙ୍କର ନିଜସ୍ୱ ଅନୁମାନ ବା ଆଶଙ୍କା ଥିଲା, ଏହା କୌଣସି ପ୍ରମାଣିତ ଖବର ନୁହେଁ।

ଇମ୍ରାନଙ୍କ ପରିବାର ଓ ତାଙ୍କ ଦଳ 'ପାକିସ୍ତାନ ତେହରିକ-ଏ-ଇନସାଫ' (PTI) ଅଭିଯୋଗ କରିଛି ଯେ, ଜେଲ୍ରେ ଇମ୍ରାନଙ୍କୁ ଭେଟିବାକୁ ଦିଆଯାଉନାହିଁ କିମ୍ବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଉନାହିଁ। ଖାଇବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ତଥା ପିଟିଆଇ ନେତା ସୋହେଲ ଆଫ୍ରିଦି ଚେତାବନୀ ଦେଇଛନ୍ତି ଯେ, ୨୦ ଲକ୍ଷରୁ ଅଧିକ ଲୋକ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ନେତୃତ୍ୱାଧୀନ ଶାସନତନ୍ତ୍ର ବିରୋଧରେ ସେପ୍ଟେମ୍ବର ୨୭ ରେ ଇସଲାମାବାଦ ଆଡ଼କୁ ଏକ ବିଶାଳ ରାଲି ପାଇଁ ଘୋଷଣା କରାଯାଇଛି।

ପାକିସ୍ତାନ ସରକାରଙ୍କ ଉପରେ କେବଳ ଭିତରୁ ନୁହେଁ, ବରଂ ବାହାରୁ ମଧ୍ୟ ଚାପ ବଢ଼ିବାରେ ଲାଗିଛି। ଆମେରିକାର ୧୩ ଜଣ ସାଂସଦ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଚିଠି ଲେଖି ଇମ୍ରାନ୍ ଖାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କ ଜେଲ୍ ଦଣ୍ଡାଦେଶ ସମ୍ପର୍କରେ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବାକୁ ନିବେଦନ କରିଛନ୍ତି।

ଇମ୍ରାନ୍ ଖାନ୍ ଜେଲ୍ରେ କାହିଁକି ଅଛନ୍ତି ?

୫ ଅଗଷ୍ଟ ୨୦୨୩ରୁ ଇମ୍ରାନ୍ ଜେଲ୍ରେ ଅଛନ୍ତି। ୧୯୦ ନିୟୁତ ପାଉଣ୍ଡର ଅଲ୍-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୨୦୨୫ ଜାନୁଆରୀରେ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଛି। ଏହା ବ୍ୟତୀତ, ୯ ମେ ୨୦୨୩ରେ ସେନା ଘାଟିଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ଏକାଧିକ ମାମଲାର ମଧ୍ୟ ସେ ସାମ୍ନା କରୁଛନ୍ତି। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ପଛରେ ପାକିସ୍ତାନର ସରକାର ଏବଂ ସେନାବାହିନୀ ମଧ୍ୟରେ ଚାଲିଥିବା ପୁରୁଣା କ୍ଷମତା ଲଢ଼େଇ ରହିଛି।