ଜଳେଶ୍ବର ୨୬।୯: ପୁଣି ଜଳକା ନଦୀରେ ବନ୍ୟା । ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ନଦୀରେ ଷଷ୍ଠ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ୬.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬.୭୮ ମିଟର ଉପରେ ପ୍ରବାହିତ ହେଉଛି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଫଳରେ ଦୀର୍ଘ ୪ ଦିନ ହେବ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୁରୁଡ଼ା, ଚିତ୍ରଡା ଓ ରାସଗୋବିନ୍ଦପୁର ବ୍ଲକର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଜଳକା ନଦୀର ଷଷ୍ଠ ଥର ବନ୍ୟା ଦେଖାଦେଇଛି । ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୭ଟି ପଞ୍ଚାୟତ କୁଡ଼ିଆ, ବାହାର୍ଦା, ମଥାନି, ଚକୁରି, ଦୁଧହଂସା, ରାଉତପଡା ଓ ସଦର ବ୍ଲକର ଶ୍ରୀରାମପୁର, ରସଲପୁର, ଆଙ୍କ ଆଦି ୩ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସମୟରେ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଲହଡି ମାରୁଛି । ବସ୍ତା ମଥାନି ଚଟାଣ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଯାହା ଫଳରେ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି । ପାଞ୍ଚ ପାଞ୍ଚୋଟି ବନ୍ୟା ଚାଷ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଥିବା ବେଳେ ବର୍ତ୍ତମାନ ସମୟରେ ୬ଷ୍ଠ ଥର ବନ୍ୟା ଆସିବାରୁ ଚାଷୀର ମେରୁଦଣ୍ଡ ପୁଣି ଥରେ ଦୋହଲାଇ ଦେଇଛି । ଧାର କରଜ କରି ଚାଷ କରିଥିଲା ବେଳେ କେମିତି ଧାର କରଜ ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ରହିଛନ୍ତି ଚାଷୀ ।

Also Read:- ବନ୍ୟାଜଳରେ ବୁଡ଼ିଲା ରାସ୍ତା, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ପ୍ରଭାବିତ

ଅନ୍ୟପଟେ ବରୁଣ ଗଡିଆ ପଞ୍ଚାୟତର ମୁଣ୍ଡି ମାରି ଗାଁରେ ପାଣି ପଶିଥିଲା ବେଳେ ୨୦ରୁ ଅଧିକ ଘରେ ପାଣି ପଶିଛି । ଲୋକମାନେ ଦୟନୀୟ ଅବସ୍ଥାରେ ଜୀବନ କଟୁଛନ୍ତି । କିଏ ଉଚ୍ଚ ସ୍ଥ।ନରେ ରହିଛି ତ ଆଉ କିଏ ରାସ୍ତା ଉପରେ ପାଲ ପକାଇ ରହିଛନ୍ତି । ଅନେକ ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Watch Video: