ନୂଆଦିଲ୍ଲୀ: ଚୀନ୍‌ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସହଭାଗିତା ବୃଦ୍ଧି ପାଇବାରେ ଲାଗିଛି । ଦୁଇ ଦେଶର ସଂପର୍କ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେଉଛି । ଏହି ଦୁଇ ଦେଶର ସଂପର୍କ ଭାରତ ପାଇଁ Two-Front ସୁରକ୍ଷା ଆହ୍ବାନ ସୃଷ୍ଟି କରିଛି ।   ଆମେରିକାର ଏକ ପ୍ରମୁଖ କଂଗ୍ରେସନାଲ କମିଶନ ଏନେଇ ଜରୁରୀ ଚେତାବନୀ ଜାରି କରିବା ସହ, ସହାୟତା ଲାଗି ଓ୍ବାଶିଂଟନର ହସ୍ତକ୍ଷେପ ପାଇ ପରାମର୍ଶ ଦେଇଛି । ୟୁଏସ୍-ଚାଇନା ଇକୋନୋମିକ୍ ଆଣ୍ଡ ସିକ୍ୟୁରିଟି ରିଭ୍ୟୁ କମିଶନ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଏବେ ଭାରତ ଲାଗି ଚିନ୍ତା ବଢ଼ାଇଛି । 

ୟୁଏସ୍‌ସିସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ‘ଚାଇନାଜ୍ ଅଦର ଫ୍ରଣ୍ଟ: ଇଣ୍ଡିଆ ଆଣ୍ଡ ଦ ଫ୍ୟୁଚର ଅଫ୍ ୟୁଏସ୍ ଷ୍ଟ୍ରାଟେଜି ଇନ୍ ଦ ଇଣ୍ଡୋ-ପାସିଫିକ୍’ ଶୀର୍ଷକ ଅଧ୍ୟାୟରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଚୀନ୍‌ ପକ୍ଷରୁ ପାକିସ୍ତାନକୁ ଦିଆଯାଉଥିବା ସାମରିକ ସହାୟତା ଭାରତର ସୁରକ୍ଷା ପ୍ରତି ବିପଦ ବଢ଼ାଇଛି ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଗତ ୨୦୨୫ ମେ ମାସରେ ଘଟିଥିବା ଭାରତ-ପାକିସ୍ତାନ ସଂଘର୍ଷର ଉଦାହରଣ ଦେଇ କମିଶନ କହିଛି ଯେ, ଜମ୍ମୁକାଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ସେହି ସଙ୍କଟ ସମୟରେ ଚୀନ୍ ସିଧାସଳଖ ଯୁଦ୍ଧରେ ସାମିଲ ନ ହୋଇ ମଧ୍ୟ କିଭଳି ପାକିସ୍ତାନକୁ ସାମରିକ ଓ କୂଟନୈତିକ ସ୍ତରରେ ସାହାଯ୍ୟ କରିପାରିବ, ତାହା ସ୍ପଷ୍ଟ ହୋଇଯାଇଥିଲା। 

ଭବିଷ୍ୟତରେ ପାକିସ୍ତାନ ସହ କୌଣସି ସଂଘର୍ଷ ହେଲେ ଚୀନର ଏହି ପରୋକ୍ଷ ହସ୍ତକ୍ଷେପ ଭାରତର ରଣନୈତିକ ଯୋଜନାକୁ ଜଟିଳ କରିପାରେ। ବେଜିଂ ଭାରତର ଅଭ୍ୟୁଦୟକୁ ନିଜ ପାଇଁ ଏକ ବଡ଼ ରଣନୈତିକ ଆହ୍ୱାନ ଭାବରେ ଦେଖୁଛି । ଭାରତକୁ ନିୟନ୍ତ୍ରଣରେ ରଖିବା ପାଇଁ ସାମରିକ, ଅର୍ଥନୈତିକ ଓ ସାମୁଦ୍ରିକ ଚାପ ପ୍ରୟୋଗ କରୁଛି। ତେବେ ଭାରତ ପାଖରେ ଚୀନର ଶକ୍ତି ସନ୍ତୁଳନକୁ ବଦଳାଇବାର ସମସ୍ତ କ୍ଷମତା ରହିଛି । ତେବେ ୱାଶିଂଟନ ପାଇଁ ଭାରତ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ? ସେ ବିଷୟରେ ମଧ୍ୟ ପ୍ୟାନେଲ୍ ବିସ୍ତୃତ ଭାବେ ଦର୍ଶାଇଛି। 

ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ସର୍ବବୃହତ୍ତମ ଗଣତନ୍ତ୍ର । ଏହା ସହ ଭାରତ ଏକ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର । ଚୀନ୍ ସହ ଭାରତର ପ୍ରାୟ ୨,୧୦୦ ମାଇଲ ଦୀର୍ଘ ସୀମା ରହିଛି । ଭାରତ ମହାସାଗରର ଯେଉଁ ପ୍ରମୁଖ ସାମୁଦ୍ରିକ ପଥ ଦେଇ ଚୀନର ଅଧିକାଂଶ ବାଣିଜ୍ୟ ଓ ଶକ୍ତି ପରିବହନ ହୋଇଥାଏ, ଭାରତ ଠିକ୍ ସେହି ସ୍ଥାନରେ ଅବସ୍ଥିତ। ଏସିଆରେ ଶକ୍ତି ସନ୍ତୁଳନର କେନ୍ଦ୍ର ଭାରତକୁ ବିପଦରେ ମୁକାବିଲ କରିବା ଲାଗି ଓ୍ବାଶିଂଟନ ରଣନୀତି ପ୍ରସ୍ତୁତ କରିବା ଲାଗି ୟୁଏସ୍‌ସିସି ପରାମର୍ଶ ଦେଇଛି ।  ବେଜିଂର ଆଞ୍ଚଳିକ ଚାପର ମୁକାବିଲା ଏବଂ ରଣନୈତିକ ସମନ୍ୱୟକୁ ବିସ୍ତାର କରିବା ପାଇଁ, ଆମେରିକା ସରକାର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ କାମ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁପାରିଶ କରିଛି କମିଶନ ।