ଭୁବନେଶ୍ୱର ୨୭।୦୫ :  ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । କିନ୍ତୁ, ଛୁଇଁବା ତ ଦୂର କଥା, କେରଳ ଆଖପାଖରେ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ।

ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳ ପାଖରେ ଅଟକିଛି ମୌସୁମୀ । ତାଜା ପୂର୍ବାନୁମାନ ହେଲା-ଆସନ୍ତା ୨୮ରୁ ଜୁନ୍ ୩/୪ ସୁଦ୍ଧା ମୌସୁମୀ କେରଳ ଉପକୂଳରେ ପହଞ୍ଚିପାରେ । ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୁର୍ବ ଓ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ସହ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗରର ବାକି ଅଞ୍ଚଳକୁ ବ୍ୟାପିଯିବ । କେରଳକୁ ମୌସୁମୀ ସ୍ପର୍ଶ କରିବାର ସ୍ୱାଭାବିକ ସମୟ ଜୁନ୍ ୧ । ଏଥର ୫ ଦିନ ଆଗରୁ ମୌସୁମୀ ପହଞ୍ଚିବା ନେଇ ପୂର୍ବାନୁମାନ ହୋଇଥିଲା । ଏବେ ମୌସୁମୀ ଆଗମନ ବିଳମ୍ବିତ ହେବା ଆକଳନ କରାଯାଉଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ ଏମଜେଓ ସକ୍ରିୟ ନାହିଁ । ଚାପରେ ତାରତମ୍ୟ ରହୁନି । ମୌସୁମୀ ଆଗକୁ ବଢ଼ିବା ଲାଗି ସମୁଦ୍ରରେ ପବନର ଯେଉଁ ମଜଭୁତ ପ୍ରଣାଳୀ ସୃଷ୍ଟି ହେବା କଥା, ତାହା ହୋଇପାରିନାହିଁ । କେରଳରେ ମୌସୁମୀ ପ୍ରବେଶ କରିବା ଲାଗି ଦୃଢ଼ ଲଘୁଚାପ ବଳୟ ଆବଶ୍ୟକ । କିନ୍ତୁ ସେଭଳି ପରିସ୍ଥିତି ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ । ଫଳରେ ମୌସୁମୀ ଗତି ଧିମା ହୋଇଯାଇଛି । ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଯେଉଁ ଆକଳନ କରାଯାଉଥିଲା, ତାହାକୁ ନେଇ ବିଭିନ୍ନ ମଡେଲରେ ଭିନ୍ନ ମତ ଦେଖାଦେଇଛି । ଲଘୁଚାପ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ନୁହେଁ । ଅନ୍ୟପଟେ ୨୮ରୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ କାଳବୈଶାଖୀ ସମ୍ଭାବନା ଅଛି । ଏମିତି ହେଲେ ଗ୍ରୀଷ୍ମ ତାତିରୁ ବଡ଼ ଆଶ୍ୱସ୍ତି ମିଳିପାରେ ୨୯ରୁ। ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶାରେ ୨୮ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ୨୯ରୁ ମିଳିବ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ତାତି ଖସିବ । ବୁଧବାର ବୌଦ୍ଧ, ବଲାଙ୍ଗିର, ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ରେ ଗରମ ସାଙ୍ଗକୁ ଗୁଳୁଗୁଳି ପ୍ରକୋପ ଅସ୍ତବ୍ୟସ୍ତ କରିପାରେ । ଏଭଳି ପାଗ ୨୮ ପର୍ଯ୍ୟନ୍ତ ରହିବ। ଅନ୍ୟପଟେ ବର୍ତ୍ତମାନ ପ୍ରତିଦିନ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ବିଶେଷ କରି ଉପକୂଳ, ଉତ୍ତର ଓଡ଼ିଶା, ଦକ୍ଷିଣର କେତେକ ଜାଗାରେ କାଳବୈଶାଖୀ ତାତିରୁ ମୁକ୍ତି ଦେଇପାରେ ।

Also Read:-Horoscope Today : ମେ'୨୭ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୨୯ରୁ ରାଜ୍ୟରେ ଗରମ ପ୍ରକୋପ କମିବ । ୩୦ରେ ଆହୁରି ଅଧିକ ହ୍ରାସ ପାଇବ ତାତି । ୩୧ରେ ଗରମ ଆହୁରି କମିପାରେ । ୨୯ରେ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏଡା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ନେଇ ବିଭିନ୍ନ ଆକଳନ କରାଯାଉଛି । ମାତ୍ର ଏବେଠାରୁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ନେଇ ସ୍ପଷ୍ଟ ଭାବେ ଆକଳନ କରାଯାଇନାହିଁ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏବେ ସୁଦ୍ଧା ଅଂଶୁଘାତରେ ୨୨ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ୩ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଅଂଶୁଘାତରେ ୫ଟି ମୃତ୍ୟୁ ନେଇ ଆସିଥିବା ଅଭିଯୋଗକୁ ସରକାର ତଦନ୍ତ ପରେ ଖାରିଜ କରିଛନ୍ତି । ବାକି ମାମଲାଗୁଡ଼ିକର ଅନୁଧ୍ୟାନ ଚାଲିଛି । ରାଜ୍ୟର ୨୦ଟି ସ୍ଥାନରେ ମଙ୍ଗଳବାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ଥିଲା । ବଡ଼ କଥା ହେଲା, କୌଣସି ସ୍ଥାନରେ ତାତି ୪୫ ଡିଗ୍ରୀ ପାର୍ କରିନଥିଲା, କିମ୍ବା ଛୁଇଁନଥିଲା । ଟିଟିଲାଗଡ଼ ସର୍ବାଧିକ ୪୪.୫, ସମ୍ବଲପୁର ୪୪.୪, ଭବାନୀପାଟଣା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଛୁଇଁଥିବାବେଳେ ବୌଦ୍ଧ ୪୩.୮, ଝାରସୁଗୁଡ଼ା ୪୩.୪, ବଲାଙ୍ଗିର ୪୩.୨ ଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ଥିଲା । କିନ୍ତୁ, ଆର୍ଦ୍ରତା ପରିମାଣ ଏତେ ଭରି ରହିଥିଲା ଯେ ଦିନ ୨ଟାବେଳେ ୫୭ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଥିଲା । ଛଟପଟ ହୋଇଥିଲେ ଭୁବନେଶ୍ୱରବାସୀ । କେବଳ ଉପକୂଳ ନୁହେଁ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ାରେ ବି ୫୦ରୁ ୫୪ ଡିଗ୍ରୀ ସେଲସିୟସ୍ ଭଳି ଗରମ ଅନୁଭୂତ ହୋଇଥିଲା । ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୨୮ରୁ ୩୦ ଡିଗ୍ରୀ ରହୁଛି । ରାତିରେ ବି ତ୍ରାହି ମିଳୁନି ।