ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ପାର୍ଲେ ମେଲୋଡି ଟଫିର ଗୋଟିଏ ପ୍ୟାକେଟ ଉପହାରରେ ଦେଇଥିଲେ। ଯାହାର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ପିଏମ ମୋଦୀ, ମେଲୋନୀଙ୍କୁ ଚକୋଲେଟ ପ୍ୟାକେଟ ଦେଉଛନ୍ତି। ଆଉ ଏହାର ନାଁ ମେଲୋଡୀ ଥିବାରୁ ଜର୍ଣ୍ଣିଆ ମେଲୋନୀ ମଧ୍ୟ ଏହାକୁ ଦେଖି ଖୁବ୍ ଖୁସି ହେଉଛନ୍ତି। ତେବେ ଏଥିପାଇଁ ଭିଡିଓଟି ଖୁବ୍ ଭାଇରାଲ ହୋଇଗଲା। କିନ୍ତୁ ଏହା ସହ ଜଡ଼ିତ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି ସେୟାର ବଜାରରେ।

ଆଉ ଏହି ମଜାଦାର ଘଟଣା ମେଲୋଡୀ ନାଁକୁ ନେଇ। ପ୍ରକୃତରେ ମେଲୋଡୀ ଟଫି ତିଆରି କରୁଥିବା କମ୍ପାନୀ ହେଉଛି ପାର୍ଲେ ପ୍ରଡକ୍ଟସ୍। କିନ୍ତୁ ଏହା ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ନୁହେଁ। ହେଲେ ମୋଦୀ, ମେଲୋନୀଙ୍କୁ ମେଲୋଡୀ ଟଫି ଦେବା ପରେ ନିବେଶକମାନେ ଭୁଲବଶତଃ ରିଅଲ୍ ଇଷ୍ଟେଟ୍ କମ୍ପାନୀ ପାର୍ଲେ ଇଣ୍ଡଷ୍ଟ୍ରିଜର ଶେୟାରକୁ ପାର୍ଲେ ପ୍ରଡକ୍ଟସ୍ ଶେୟାର ଭାବି କିଣିପକାଇଥିଲେ। ଯାହା ଫଳରେ ମଙ୍ଗଳବାର ପାର୍ଲେ ଇଣ୍ଡଷ୍ଟ୍ରିଜର ଷ୍ଟକ୍ ୫% ଅପର ସର୍କିଟରେ ପହଞ୍ଚିଥିଲା। ଆଉ କମ୍ପାନୀର ସେୟାର ମୂଲ୍ୟ ୫ ଟଙ୍କା ୨୫ ପଇସାରେ ପହଞ୍ଚିଥିଲା।

Also Read: ମେଲୋନୀଙ୍କୁ 'ମେଲୋଡି' ଚକୋଲେଟ ଗିଫ୍ଟ ଦେଲେ ପ୍ରଧାନମନ୍ତ୍ରୀ ମୋଦ; ହସି ହସି ଧନ୍ୟବାଦ କହିଲେ ଇଟାଲୀ PM

ବିଶେଷଜ୍ଞଙ୍କ ମତରେ ଅନଲାଇନ ଭିଡିଓଟି ଭାଇରାଲ ହେବା ପରେ, ନିବେଶକମାନେ ଠିକ୍ ଭାବରେ ଯାଞ୍ଚ ନକରି ଏହି ପେନି ଷ୍ଟକ୍ କିଣିପକାଇଥିଲେ। ସୋସିଆଲ ମିଡିଆରେ ମେଲୋଡୀ ବ୍ରାଣ୍ଡକୁ ନେଇ ବ୍ୟାପକ ଚର୍ଚ୍ଚା ଷ୍ଟକ୍ ବଜାରରେ ଏହି ଭୁଲ ଧାରଣା ସୃଷ୍ଟି କରିଥିଲା।

ପାର୍ଲେ ପ୍ରଡକ୍ଟସ ତିଆରି କରୁଛି ମେଲୋଡୀ

ସୂଚନାଥାଉକି, ମେଲୋଡୀ ଟଫି ପାର୍ଲେ ପ୍ରଡକ୍ଟସ୍ ଦ୍ୱାରା ପ୍ରସ୍ତୁତ କରାଯାଏ। ଏହି କମ୍ପାନି ପାର୍ଲେ-ଜି ବିସ୍କୁଟ ଏବଂ ଅନ୍ୟାନ୍ୟ ଅନେକ ମିଠା ସାମଗ୍ରୀ ପାଇଁ ଜଣାଶୁଣା। ହେଲେ ହଠାତ ଭିଡିଓ ଭାଇରାଲ ପରେ ଲୋକେ ପାର୍ଲେ ଇଣ୍ଡଷ୍ଟ୍ରିଜର ସେୟାର କଣିବା ଆରମ୍ଭ କରିଥିଲେ। ଫଳରେ ତାହାର ସେୟାର ବୃଦ୍ଧି ପାଇଛି। ହେଲେ ଏ କମ୍ପାନି ଇନଫ୍ରାଷ୍ଟକଚର, ରିଅଲ୍ ଇଷ୍ଟେଟ୍ ଏବଂ କାଗଜ ବର୍ଜ୍ୟର ପୁନଃଚକ୍ରଣ ବ୍ୟବସାୟରେ କାମ କରେ।

ଧନ୍ୟବାଦ ଦେଲା ପାର୍ଲେ ପ୍ରଡକ୍ଟସ୍

ସେପଟେ ଏହି ଘଟଣାକୁ ନେଇ ପାର୍ଲେ ପ୍ରଡକ୍ଟସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛି। କମ୍ପାନି X ରେ ପୋଷ୍ଟ କରି କହିଛି, ‘‘ପାର୍ଲେ ମେଲୋଡିକୁ ବିଶ୍ୱରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଭାରତର ଏହି ପ୍ରିୟ କ୍ୟାଣ୍ଡିକୁ ବିଦେଶରେ ବାଣ୍ଟିବା ପାର୍ଲେ ପ୍ରଡକ୍ଟସରେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।’’ ତେବେ ପାର୍ଲେ ଇଣ୍ଡଷ୍ଟ୍ରିଜ୍ ଷ୍ଟକ୍ ବଜାର ବୃଦ୍ଧି ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ।

'ମେଲୋଡୀ' ନାଁ ଇଣ୍ଟରନେଟରେ ଖୁବ୍ ଚର୍ଚ୍ଚିତ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋମ ଗସ୍ତ ସମୟରେ ଜର୍ଜିଆ ମେଲୋନୀଙ୍କୁ ଭେଟି ଏକାଠି ରାତ୍ରୀଭୋଜନ କରିଥିଲେ। ଏହା ପରେ ଦୁଇ ନେତା ପ୍ରସିଦ୍ଧ କଲୋସିୟମ୍ ପରିଦର୍ଶନ କରିଥିଲେ। ମେଲୋନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ ମେଲୋଡୀ କ୍ୟାଣ୍ଡିର ଏକ ଫଟୋ ସେୟାର କରିଥିଲେ।

Also Read: ରୋମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏକ୍ସରେ ଫଟୋ ସେୟାର କରି ଜର୍ଜିଆ ମେଲୋନି ଲେଖିଲେ- "ରୋମ୍କୁ ସ୍ୱାଗତ, ମୋର ବନ୍ଧୁ!"

ବଡ଼ କଥା ହେଲା "ମେଲୋଡୀ" ଶବ୍ଦ (ମେଲୋନି ଏବଂ ମୋଦିଙ୍କ ନାମର ମିଶ୍ରଣ)। ଯାହା ଇଣ୍ଟରନେଟରେ ଖୁବ୍ ଚର୍ଚ୍ଚିତ ରହିଛି। ଲୋକେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ ମଧ୍ୟ କରିଥିଲେ। ତେଣୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ ମେଲୋନୀଙ୍କୁ ଏକ "ମେଲୋଡି" କ୍ୟାଣ୍ଡି ଉପହାର ଦେଇଥିଲେ, ତାହା ତୁରନ୍ତ ଭାଇରାଲ ହୋଇଯାଇଥିଲା।