ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦେଶରେ ମୌସୁମୀକୁ ନେଇ ତାଙ୍କର ତାଜା ଆକଳନ ଜାରି କରିଛନ୍ତି। ପାଣିପାଗ ବିଭାଗଙ୍କ ଅନୁସାରେ ଦେଶରେ ଏବେ ୪୦% ବର୍ଷାର ଯେଉଁ ଅଭାବ ଲାଗି ରହିଛି ତାହା ଆଗାମୀ ୭ରୁ ୧୦ ଦିନରେ ହେବାକୁ ଥିବା ବର୍ଷାରେ କିଛି ମାତ୍ରାରେ ପୂରଣ ହେବ। ହେଲେ ବି ମୋଟ ଉପରେ ସମ୍ପୂର୍ଣ୍ଣ ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱଭାବିକରୁ ବି କମ୍ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛନ୍ତି।

ପାଣିପାଗ ବିଭାଗଙ୍କ ଅନୁସାରେ ଗୋଟିଏ ପଟେ ବର୍ଷା କମ୍ ହେବାର ଆଶଙ୍କା କରାଯାଉଥିବା ବେଳେ ଜୁଲାଇ ମାସରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। କାରଣ କେତେକ ଅଞ୍ଚଳରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବାର ଅନୁମାନ କରାଯାଉଛି। ଆଇଏମଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଲଦ୍ଦାଖ ଓ ରାଜସ୍ଥାନର ଆଉ କିଛି ଅଂଶକୁ ସମ୍ପୂର୍ଣ୍ଣ କଭର କରିବ।

ଏଥିରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି, ଏଣୁ ଜୁଲାଇର ପ୍ରଥମ ୧୦ ଦିନରେ ଓଡ଼ିଶା, ପଶ୍ଚିମବଙ୍ଗରୁ ଆରମ୍ଭ କରି ଗୁଜରାଟ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଅର୍ଥାତ ମଧ୍ୟ ଭାରତରେ ଭଲ ବର୍ଷା ହେବ। ଜୁଲାଇ ମାସକୁ ଚାଷ ଓ ଖରିଫ ଫସଲ (ଧାନ ଓ ମକ୍କା ଆଦି) ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ପାଣିପାଗ ବିଭାଗ ଅନୁସାରେ ଆଗାମୀ ୭-୧୦ ଦିନ ବର୍ଷା ଯୋଗୁ ଚାଷୀଙ୍କୁ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ବେଶ୍ ସହଯୋଗ କରିବ। ଖାସ କରି ମଧ୍ୟ ଭାରତର ସେହି ସବୁ ଅଞ୍ଚଳ ଯେଉଁଠିକାର କୃଷି ସମ୍ପୂର୍ଣ୍ଣ ମୌସୁମୀ ନିର୍ଭରରେ ଥାଏ।

ଏହା ସହିତ ପାଣିପାଗ ବିଭାଗ ଏକ ଚିନ୍ତାଜନକ ତଥ୍ୟ ମଧ୍ୟ ଜାରି କରିଛନ୍ତି। ଗତ ଜୁନ ମାସରେ ସାରା ଦେଶରେ ୯୯.୫ ମିଲିମିଟର ବର୍ଷା ହୋଇଛି। ଯାହା ୧୯୦୧ ମସିହା ପରେ ଜୁନ ମାସରେ ସବୁଠୁ କମ୍ ବର୍ଷା। ଏହା ପୂର୍ବରୁ ସବୁଠୁ ଶୁଷ୍କ ଜୁନ ୨୦୦୯ (୮୭.୬ ମିମି) , ୨୦୧୪ (୯୨.୮ ମିମି) ବର୍ଷା ହୋଇଥିଲା। ଏଣୁ ଆଇଏମଡି ଅନୁମାନ କରୁଛନ୍ତି ଯେ ଅଗଷ୍ଟ ଶେଷ ନଚେତ ସେପ୍ଟେମ୍ବର ପ୍ରାରମ୍ଭରେ ସାମୁଦ୍ରିକ ପ୍ରଣାଳୀ (ଆଇଓଡି) ମଜଭୁତ ହୋଇପାରେ। ଯଦି ଏପରି ହୁଏ ତେବେ ମୌସୁମୀ ଶେଷ ସପ୍ତାହମାନଙ୍କରେ ଭଲ ବର୍ଷା ଦେଖିବାକୁ ମିଳିପାରିବ। ହେଲେବି ଏହି ବର୍ଷା ଜୁନ ଓ ଜୁଲାଇର ବର୍ଷା ଅଭାବକୁ ପୂରଣ କରିପାରିବନି।