ଖଡ଼ଗପୁର: ଏଣିକି କେବଳ ଇଞ୍ଜିନିୟରିଂ କିମ୍ବା ବୈଷୟିକ ଶିକ୍ଷା ନୁହେଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡ଼ଗପୁର ପଢାଇବ ଡାକ୍ତରୀ ପାଠ। IIT ଖଡ଼ଗପୁରର ମେଡିକାଲ୍ ପୋଷ୍ଟ ଗ୍ରାଜୁଏସନ(PG) ପ୍ରୋଗ୍ରାମକୁ ମଞ୍ଜୁରୀ ଦେଇଛି ନ୍ୟାସନାଲ ମେଡିକାଲ୍ କମିଶନ(MNC)। ଏହା ସହ IIT ଖଡ଼ଗପୁର ଦେଶର ପ୍ରଥମ IIT ଯେଉଁଠି ମେଡିକାଲ୍ ପିଜି ପାଠ୍ୟକ୍ରମ ପଢାଯିବ। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ୬ଟି ବିଭାଗରେ ଏମ୍‌ଡି (MD) ପାଠ୍ୟକ୍ରମ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୬ଟି ବିଭାଗ ପାଇଁ ମୋଟ୍‌ ୧୨ଟି ସିଟ୍‌ ରହିଛି। ଅର୍ଥାତ୍ ପ୍ରତ୍ୟେକ ବିଭାଗରେ ମାତ୍ର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ।

୨୦୨୬ ମାର୍ଚ୍ଚରୁ ପଠାଇଥିଲା ପ୍ରସ୍ତାବ 

IIT ଖଡ଼ଗପୁର ମେଡିକାଲ୍ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ ନ୍ୟାସନାଲ କମିଶନ(NMC)କୁ ପଠାଇଥିଲା। ସେହି ସମୟରୁ ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ଅପେକ୍ଷା କରାଯାଇଥିଲା।ଆଉ ଏବେ ଏନଏମସି IIT ଖଡ଼ଗପୁରର ମେଡିକାଲ୍ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସମ୍ବନ୍ଧିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏବେ IIT ଖଡ଼ଗପୁର ମେଡିକାଲ୍ ପାଠ୍ୟକ୍ରମରେ ନିଜର ପ୍ରଥମ ବ୍ୟାଚ୍ ଆରମ୍ଭ କରି ପାରିବ। 

Also Read: ଆସିଲା CBSE ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ, ଫେବୃଆରୀ ୧୬ରୁ ଆରମ୍ଭ

ଶିକ୍ଷାବର୍ଷ ୨୦୨୬-୨୭ରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଜାତୀୟ ଚିକିତ୍ସା ଆୟୋଗ (NMC)ର ମାନ୍ୟତା ମିଳିଛି। NEET-PG ୨୦୨୬ କାଉନସେଲିଂ ମାଧ୍ୟମରେ ଏହି ପାଠ୍ୟକ୍ରମରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ସମୟରେ ଆଶାୟୀ ଡାକ୍ତରମାନେ ନିଜ ପସନ୍ଦ ଅନୁସାରେ ଏହି ବିଭାଗଗୁଡ଼ିକୁ ବାଛିପାରିବେ। IIT ଖଡ଼ଗପୁର ପକ୍ଷରୁ ଆରମ୍ଭ ହୋଇଥିବା ଏହି ନୂଆ ପାଠ୍ୟକ୍ରମରେ ରହିଛି ୬ଟି ବିଶେଷଜ୍ଞ ବିଭାଗ। ସେଗୁଡ଼ିକ ହେଲା;

MD ଜେନେରାଲ ମେଡିସିନ୍ - ୨ଟି ସିଟ୍

MD ରେଡିଓଲୋଜି - ୨ଟି ସିଟ୍

MD ଫିଜିଓଲୋଜି - ୨ଟି ସିଟ୍

MD ପାଥୋଲୋଜି - ୨ଟି ସିଟ୍

MD କମ୍ୟୁନିଟି ମେଡିସିନ୍ - ୨ଟି ସିଟ୍

MD ବାୟୋକେମିଷ୍ଟ୍ରି - ୨ଟି ସିଟ୍

ଏହିପରି ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୧୨ ଜଣ ଡାକ୍ତର ଏଠାରେ ଉଚ୍ଚତର ଡାକ୍ତରୀ ଶିକ୍ଷା ଗ୍ରହଣ କରିବେ। ଏହା IIT ଖଡ଼ଗପୁରର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ପ୍ରଥମ ବ୍ୟାଚ୍‌ ହେବ।

Also Read: ଖାଲି ପଡ଼ିଛି ୨୦୦୦ରୁ ଅଧିକ ଏମବିବିଏସ୍ ସିଟ୍ : ମପ୍-ଅପ୍ ରାଉଣ୍ଡ ପାଇଁ NMC ନିକଟରେ ଅନୁମତି ମାଗିଲେ ବିଭିନ୍ନ ରାଜ୍ୟ 

ଡାକ୍ତରୀ ଶିକ୍ଷା ସହ ଯୋଡ଼ି ହେବ ଆଧୁନିକ ଜ୍ଞାନକୌଶଳ

ଏହି ପାଠ୍ୟକ୍ରମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏଠାରେ ଡାକ୍ତରୀ ଶିକ୍ଷା ସହିତ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଗବେଷଣାକୁ ଗୁରୁତ୍ୱ ଦିଆଯିବ। କୃତ୍ରିମ ବୁଦ୍ଧିମତ୍ତା (AI), ଇଞ୍ଜିନିୟରିଂ, ବାୟୋମେଡିକାଲ ସାଇନ୍ସ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି ସହ ଜଡ଼ିତ ଗବେଷଣା କରିବାର ସୁଯୋଗ ମଧ୍ୟ ମିଳିବ।
ଏହାଦ୍ୱାରା ଭବିଷ୍ୟତରେ ଏପରି ଡାକ୍ତର ତିଆରି ହୋଇପାରିବେ, ଯେଉଁମାନେ ରୋଗୀଙ୍କ ଚିକିତ୍ସା କରିବା ସହ ଚିକିତ୍ସା କ୍ଷେତ୍ରରେ ନୂଆ ଜ୍ଞାନକୌଶଳର ବିକାଶ ଏବଂ ଗବେଷଣାରେ ମଧ୍ୟ ଯୋଗଦାନ ଦେଇପାରିବେ।

୧୯୫୧ରେ ଆରମ୍ଭ ହୋଇଥିଲା IIT ଖଡ଼ଗପୁର

୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା IIT ଖଡ଼ଗପୁର ହେଉଛି ଦେଶର ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ। ଦୀର୍ଘ ୭୫ ବର୍ଷ ଧରି ଇଞ୍ଜିନିୟରିଂ, ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା ଏହି ଅନୁଷ୍ଠାନ ଏବେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନୂଆ ପାଦ ଦେଇଛି। ଅନୁଷ୍ଠାନର ଡକ୍ଟର ବି.ସି. ରାୟ ମଲ୍ଟି-ସ୍ପେଶାଲିଟି ମେଡିକାଲ ରିସର୍ଚ୍ଚ ସେଣ୍ଟରରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ NMCର ଅନୁମୋଦନ ମିଳିବା ପରେ IIT ବ୍ୟବସ୍ଥାରେ ପ୍ରଥମ ଥର ପାଇଁ MD ଭଳି ସ୍ନାତକୋତ୍ତର ଡାକ୍ତରୀ ଡିଗ୍ରୀ ପଢ଼ିବାର ସୁଯୋଗ ସୃଷ୍ଟି ହୋଇଛି।