ହାଇଦ୍ରାବାଦ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଇ-ଚାଲାଣ (e-challan) କଟିବା ଏକ ସାଧାରଣ କଥା। କିନ୍ତୁ ଏହି ଚାଲାଣ କିପରି ଜଣେ ବ୍ୟକ୍ତିଙ୍କୁ ତାଙ୍କର ଚୋରି ହୋଇଯାଇଥିବା ଗାଡ଼ି ଫେରିପାଇବାରେ ଏବଂ ଚୋରକୁ ଧରିବାରେ ସାହାଯ୍ୟ କଲା, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପ୍ରମାଣିତ କରିଛି ଯେ ହେଲମେଟ୍ ପିନ୍ଧିବା କେବଳ ସୁରକ୍ଷା ପାଇଁ ନୁହେଁ, ବରଂ ଚୋରମାନଙ୍କ ପାଇଁ ନିଜ ପରିଚୟ ଲୁଚାଇବାକୁ ମଧ୍ୟ 'ଜରୁରୀ' ଅଟେ

କ'ଣ ଥିଲା ପୂରା ଘଟଣା?

ହାଇଦ୍ରାବାଦର ଫୈଜଲ ରହମାନ ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟି ପ୍ରାୟ ୩ ମାସ ତଳେ ଚୋରି ହୋଇଯାଇଥିଲା। ସେ ଏନେଇ ସ୍ଥାନୀୟ ହବିବ୍ ନଗର ପୋଲିସ ଷ୍ଟେସନରେ ଏଫଆଇଆର୍ (FIR) ମଧ୍ୟ ରୁଜୁ କରିଥିଲେ। କିନ୍ତୁ ପ୍ରଥମେ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ଏବଂ ଗାଡ଼ିର କୌଣସି ପତ୍ତା ମିଳିନଥିଲା। ଗାଡ଼ିଟି ଆଉ ମିଳିବନି ବୋଲି ସେ ଏକପ୍ରକାର ଆଶା ଛାଡ଼ିଦେଇଥିଲେ।

କିନ୍ତୁ ନିକଟରେ ତାଙ୍କ ଫୋନ୍କୁ ଟ୍ରାଫିକ୍ ପୋଲିସ ପକ୍ଷରୁ ଏକ ଇ-ଚାଲାଣ ମେସେଜ୍ ଆସିଲା। ନିଜର ହଜିଯାଇଥିବା ଗାଡ଼ି ନାମରେ ଚାଲାଣ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଲା, ଉକ୍ତ ଚାଲାଣରେ ଥିବା ଫଟୋରେ ସ୍କୁଟି ଚଲାଉଥିବା ବ୍ୟକ୍ତି (ଚୋର) ର ଚେହେରା ସ୍ପଷ୍ଟ ଭାବେ ଦେଖାଯାଉଥିଲା। ବିନା ହେଲମେଟରେ ସେ ବିନ୍ଦାସ ହୋଇ ସ୍କୁଟି ଚଲାଉଥିଲା, ଯାହା ଟ୍ରାଫିକ୍ କ୍ୟାମେରାରେ କଏଦ ହୋଇଯାଇଥିଲା।

Also Read: Extramarital Dating: ଭାରତରେ ଏକ୍ସଟ୍ରା ମାରିଟାଲ୍ ଡେଟିଂ ଆପ୍‌ରେ ବଢୁଛନ୍ତି ମହିଳା, ଜାଣନ୍ତୁ କାହିଁକି ବିପଦରେ ଆଧୁନିକ ବିବାହ

ସୋସିଆଲ୍ ମିଡିଆରେ ଭାଇରାଲ୍

ଫୈଜଲ ଉକ୍ତ ଚାଲାଣର ଫଟୋ ଏବଂ ପୋଲିସରେ ଦେଇଥିବା ଏଫଆଇଆରର କପିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ସେୟାର କରି ହାଇଦ୍ରାବାଦ ଟ୍ରାଫିକ୍ ପୋଲିସ ଓ ସିଟି ପୋଲିସକୁ ଟ୍ୟାଗ୍ କରିଥିଲେ। ସେ ଲେଖିଥିଲେ, "ମୋ ଗାଡ଼ି ୩ ମାସ ତଳେ ଚୋରି ହୋଇଯାଇଥିଲା... କିନ୍ତୁ ଆଜି ମୋତେ ସେହି ଗାଡ଼ିର ଏକ ଟ୍ରାଫିକ୍ ଚାଲାଣ ମିଳିଛି, ଯେଉଁଥିରେ ଚୋରର ଚେହେରା ସ୍ପଷ୍ଟ ବାରି ହୋଇପଡ଼ୁଛି। ଦୟାକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।"

ଏହି ପୋଷ୍ଟଟି ଖୁବ୍ କମ୍ ସମୟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ୍ ହୋଇଗଲା। ଲୋକେ ମଜାଳିଆ କମେଣ୍ଟ କରି ଲେଖିଲେ, "ସେଥିପାଇଁ କୁହାଯାଏ ହେଲମେଟ୍ ପିନ୍ଧିବା ନିହାତି ଜରୁରୀ।" ଯଦି ଚୋର ଜଣକ ହେଲମେଟ୍ ପିନ୍ଧିଥାନ୍ତା, ତେବେ ହୁଏତ ସେ କ୍ୟାମେରାରୁ ବର୍ତ୍ତି ଯାଇଥାନ୍ତା। ଅନ୍ୟ କିଛି ୟୁଜର୍ସ ପୋଲିସ ବିଭାଗ ଏବଂ ଟ୍ରାଫିକ୍ ସିଷ୍ଟମ୍ ମଧ୍ୟରେ ଥିବା ସମନ୍ୱୟର ଅଭାବ (ଚୋରି ଗାଡ଼ିର ଅପଡେଟ୍ ଟ୍ରାଫିକ୍ ଡାଟାବେସ୍ ସହ ଲିଙ୍କ୍ ନହେବା) କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Also Read: ମେସେଜ୍ ପଢ଼ୁଛି ହ୍ୱାଟ୍ସଆପ୍; କୋର୍ଟରେ ପହଞ୍ଚିଲା ମାମଲା,ଟେଲିଗ୍ରାମ ସିଇଓ କହିଲେ,ଇତିହାସରେ ସବୁଠାରୁ ବଡ଼ ଧୋକା

ଆକ୍ସନ ମୋଡରେ ପୋଲିସ୍

ଚୋରର ଫଟୋ ଓ ଲୋକେସନ୍ ସାମ୍ନାକୁ ଆସିଯିବା ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ହେବା ପରେ ପୋଲିସ୍ ତୁରନ୍ତ ଆକ୍ସନକୁ ଆସିଥିଲା। ହବିବ୍ ନଗର ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ବ୍ୟକ୍ତିକୁ ଟ୍ରାକ୍ କରି ଗତ ଏପ୍ରିଲ୍ ୯ ତାରିଖରେ ଧରିବାରେ ସଫଳ ହୋଇଛି ଏବଂ ସେହି ଚୋରି ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ଶେଷରେ ଏକ ଟ୍ରାଫିକ୍ କ୍ୟାମେରା ହିଁ ଚୋରକୁ ଧରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କଲା।