ମହାରାଜଗଞ୍ଜ: ଉତ୍ତରପ୍ରଦେଶ ମହାରାଜଗଞ୍ଜ ପାରିବାରିକ ନ୍ୟାୟାଳୟ ପରିସରରେ ଭରଣପୋଷଣ ମାମଲାର ଶୁଣାଣିକୁ ଆସିଥିବା ଜନୈକା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ସାଥୀମାନେ ଆକ୍ରମଣ କରିଛନ୍ତି । ଯେତେବେଳେ ମହିଳାଙ୍କ ପିତା ଓ ଭଉଣୀ ଏହାର ପ୍ରତିବାଦ କଲେ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଛି । ପ୍ରିୟା ତ୍ରିପାଠୀ ନାମ୍ନୀ ମହିଳା ଏନେଇ କୋତୱାଲୀ ପୋଲିସରେ ଅଭିଯୋଗ ରୁଜୁ କରିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ମହିଳା ତାଙ୍କ ସ୍ୱାମୀ ମନିଷ କୁମାର ମିଶ୍ର ଓ ଅନ୍ୟ ଦୁଇଜଣ ପ୍ରିନ୍ସ ମିଶ୍ର ଓ ସତୀଶ ମିଶ୍ରଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁସାରେ ପୁରନ୍ଦପୁର ଥାନା ସମରଧୀରା ଛକର ବାସିନ୍ଦା ପ୍ରିୟାଙ୍କ ବିବାହ ବୃଜମନଗଞ୍ଜ ଥାନା କୋଇଲାଡାଡ ନିବାସୀ ମନିଷ କୁମାର ମିଶ୍ରଙ୍କ ସହିତ ହୋଇଥିଲା। ଏହା ପୂର୍ବରୁ ପ୍ରିୟା ତାଙ୍କ ସ୍ୱାମୀ ଓ ଶ୍ୱଶୂରାଳୟ ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ରୁଜୁ କରିଥିଲେ। ଏହା ସହିତ ସେ ପାରିବାରିକ କୋର୍ଟରେ ଭରଣପୋଷଣ ମାମଲା ମଧ୍ୟ ରୁଜୁ କରିଛନ୍ତି। ପ୍ରିୟା ବନାମ ମନିଷ କୁମାର ମିଶ୍ର କେସ୍ ନମ୍ବର ୬୪୧/୨୦୨୫ରେ ଏବେ କୋର୍ଟରେ ମୋକଦ୍ଦମା ଚାଲିଛି। ଏଥିରେ କଥିତ ଆକ୍ରମଣ ସେପ୍ଟେମ୍ବର ୨୪ ତାରିଖରେ ହୋଇଛି, ଯେଉଁ ଦିନ କୋର୍ଟରେ ଭରଣପୋଷଣ ମାମଲାର ଶୁଣାଣି ହେବାର ଥିଲା ଓ ଏଥିରେ ପ୍ରିୟାଙ୍କ ପିତା ଲକ୍ଷ୍ମୀକାନ୍ତ ତ୍ରିପାଠୀ ବୟାନ ରେକର୍ଡ କରିଥାନ୍ତେ।

ପ୍ରିୟା ଅଭିଯୋଗ କରିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ସେ ଓ ତାଙ୍କ ଭଉଣୀ ପ୍ରିୟଙ୍କା ବାପାଙ୍କୁ ନେଇ କୋର୍ଟ ରୁମ ବାହାରକୁ ବାହାରିଲେ ଓ କୋର୍ଟ ରୁମ ଭୂତଳ ହଲକୁ ଗଲେ ମନିଷ, ପ୍ରିନ୍ସ ଓ ସତୀଶ ସେମାନଙ୍କ ପଛେ ପଛେ ଆସି ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ମନିଷ ତାଙ୍କ ପତ୍ନୀଙ୍କୁ ତଳେ ପକାଇ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଭଉଣୀ ଓ ପିତା ଏଥିରେ ପ୍ରିୟାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଛି। ତେବେ ପାଟିତୁଣ୍ଡ ଶୁଣି କୋର୍ଟ ପରିସରରେ ମୁତୟନ ପୋଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଦୁଇ ମହିଳା ଓ ତାଙ୍କ ପିତାଙ୍କୁ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିଛନ୍ତି।

ତେବେ ଅଭିଯୁକ୍ତମାନେ ଯିବା ପୂର୍ବରୁ ଯଦି କୋର୍ଟରେ ମାମଲା ଜାରି ରହେ ତେବେ ପ୍ରିୟାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଯାଇଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଭାଇରାଲ ହୋଇଯାଇଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଏବେ ଅଭିଯୁକ୍ତଙ୍କ ସନ୍ଧାନରେ ଲାଗି ପଡିଛି।