ଆନନ୍ଦପୁର ୩୦।୩: ଧର୍ମପୀଠର ସୁରକ୍ଷା ଦାବି କଲେ ଆଦିବାସୀ । ୬ ଦଫା ଦାବି ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଶହ ଶହ ଆଦିବାସୀ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଏକାଧିକ ଆଦିବାସୀଙ୍କ ଧର୍ମପୀଠକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ । ଏନେଇ ସୋସୋ ଥାନାରେ  ଆଦିବାସୀ ସଙ୍ଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ହେଲେ ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସଫଳ ହୋଇନାହିଁ । ଏହି ଘଟଣାରେ SIT ଗଠନ କରି ଘଟଣାର ତଦନ୍ତ କରିବା,  ଧର୍ମସ୍ଥଳର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ  ଆଗାମୀ ୨୦୨୬-୨୭ ଜନଗଣନା ପୂର୍ବରୁ ଅନୁସୂଚିତ ଜନଜାତି ପାଇଁ ସ୍ବତନ୍ତ୍ର "ଧର୍ମ କଲମ" ବ୍ୟବସ୍ଥା କରିବା ଭଳି ପ୍ରମୁଖ ଦାବି ରହିଛି ।

୬ ଦଫା ସମ୍ବଳିତ ଏହି ଦାବି ପୂରଣ ନେଇ ସୋମବାର ଶହ ଶହ ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ମାନେ ଆନନ୍ଦପୁର ମନି ଷ୍ଟାଡିୟମ ଠାରୁ ରାଲି ବାହାରିଥିଲା । ଆଦିବାସୀ ମାନେ ବିକ୍ଷୋଭ ପ୍ରଦର୍ଶନ କରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।