ଦିଗପହଣ୍ଡି ୨୭।୩: ଗଞ୍ଜାମ ଜିଲ୍ଲାରେ କାଳବୈଖାଖୀର ତାଣ୍ଡବ । ଦିଗପହଣ୍ଡିରେ ୩ ଘଣ୍ଟା ଧରି କାଳବୈଶାଖୀ ରଚିଲା ତାଣ୍ଡବ । ଚଳନ୍ତା ବାଇକ୍ ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ । ଅଳ୍ପକେ ବର୍ତ୍ତିଗଲେ ବାଇକ୍ ଚାଳକ ।

ଗଞ୍ଜାମ ଜିଲ୍ଲାରେ କାଳବୈଖାଖୀ ତାଣ୍ଡବ ରଚିଛି । କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ଦିଗପହଣ୍ଡି, ଚିକିଟି, ସାନଖେମୁଣ୍ଡି, ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ସହ କୁଆପଥର ମାଡ଼ ବି ହୋଇଥିଲା । ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ହସ୍ତସନ୍ତ ହୋଇଥିଲେ । ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ITI ଛକ ନିକଟରେ ଚଳନ୍ତା ବାଇକ୍ ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ । ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବାଇକ୍ ଉପରେ ହଠାତ୍ ପଡିଗଲା ବିରାଟ ଗଛ । ସ୍ଥାନୀୟ ଲୋକେ ବାଇକ୍ ଚାଳକ ଓ ବାଇକ୍‌କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ବାଇକ୍ ଚାଳକ ସୁରକ୍ଷିତ ଥିବାବେଳେ ବାଇକ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

Also Read:- Weather Update: ୪୦ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା, ୭ ଦିନ ଯାଏଁ ବଜ୍ରପାତ ସହ କୁଆପଥର ବର୍ଷା !

ସେପଟେ ୭ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଝଡ଼ବର୍ଷା ବେଳେ ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ ପବନ । ଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ମାଲକାନଗିରି ଭଳି ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୩୦ରୁ ୫୦ କି.ମି. ଝଟ୍‌କା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ