ହାୱଡ଼ା: ପଶ୍ଚିମବଙ୍ଗର ହାୱଡ଼ା ଅଞ୍ଚଳରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ବହୁତଳ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡରେ ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଗୋପା ବାନାର୍ଜୀ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ବିଲ୍ଡିଂ ଭିତରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ମୁତାବକ, ହାୱଡ଼ାର ଡୋମଜୁଡ଼ ଥାନା ଅନ୍ତର୍ଗତ ଆନ୍ଦୁଲ ମୌଡ଼ି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଅପରାହ୍ନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକେ ପ୍ରଥମେ ଚତୁର୍ଥ ମହଲାରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଦେଖୁଦେଖୁ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ଏବଂ ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ।

ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଖବର ପାଇ ପ୍ରଥମେ ଦମକଳ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଲ୍ଡିଂର ଉପର ମହଲାରେ ନିଆଁ ଲାଗିଥିବାରୁ ଭିତରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ବାହାରକୁ ଆଣିବା ଲାଗି ଅଗ୍ନିଶମ କର୍ମୀଙ୍କୁ ବେଶ୍ କସରତ କରିବାକୁ ପଡ଼ିଛି।

Also Read: ୮ ମୃତ, ୧୦୫ ଭାରତୀୟଙ୍କ ସହିତ ୪୦୦ ନିଖୋଜ; ପ୍ରକୃତିର ତାଣ୍ଡବ ଆଗରେ ଅସହାୟ ନେପାଳ

ଉଦ୍ଧାରକାରୀ ଦଳର ପ୍ରାଥମିକତା ଏବେ ବିଲ୍ଡିଂ ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ରହିଛି। ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିବାରୁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଲୋକଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି, ଯେପରି ଉଦ୍ଧାର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନହୁଏ। ତେବେ ସର୍ଟ ସର୍କିଟ୍ କିମ୍ବା ଅନ୍ୟ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହେବା ପରେ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।