କାଠମାଣ୍ଡୁ: ନେପାଳରେ ଜଳ ପ୍ରଳୟ । ପ୍ରକୃତିର ତାଣ୍ଡବରେ ଅସହାସ ହିମାଳୟ ଦେଶ । ନେପାଳର ନୁୱାକୋଟ ଏବଂ ଧାଡିଂ ଜିଲ୍ଲା ଦେଇ ଭୋଟେକୋଶି ନଦୀରେ ହଠାତ୍ ବନ୍ୟା ଆସିବାରୁ ବର୍ତ୍ତମାନ ସୁଦ୍ଧା ଆଠ ଜଣଙ୍କର ମୃତ୍ୟୁ ହୋଇଛି । ୧୦୫ ଜଣ ଭାରତୀୟଙ୍କ ସମେତ ଅନେକ ନିଖୋଜ ଅଛନ୍ତି । ନେପାଳୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୀମାର ତିବ୍ଦତୀୟ ପାର୍ଶ୍ୱରୁ ବନ୍ୟା ଜଳ ଆସି ବ୍ୟାପକ କ୍ଷୟକ୍ଷତି କରିଛି ଏବଂ ନେପାଳର ଅନେକ ଗାଁ ଭାସି ଯାଇଛି ।

ନେପାଳ-ଚୀନ୍ ସୀମାସ୍ଥିତ ରସୁୱା ଜିଲ୍ଲାରେ ବୁଧବାର ଆସିଥିବା ଭୀଷଣ ବନ୍ୟା ଏବଂ ଭୂସ୍କଳନ ଅଞ୍ଚଳରେ ତାଣ୍ଡବ ରଚିଛି । ଏହି ବିପର୍ଯ୍ୟୟ କାରଣରୁ ଘରଦ୍ୱାର, ରାସ୍ତାଘାଟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । କୈଳାସ ମାନସରୋବର ଯାତ୍ରାରେ ବାହାରିଥିବା ପ୍ରାୟ ୪୦୦ ଶ୍ରଦ୍ଧାଳୁ ରସୁୱାଗଢ଼ି ଅଞ୍ଚଳରେ ଫସି ରହିଛନ୍ତି ଏବଂ ସେମାନଙ୍କ ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

କାଠମାଣ୍ଡୁ ସ୍ଥିତ ଟଚ୍ କୈଳାସ ଟ୍ରାଭେଲ୍ସ ଆଣ୍ଡ ଟୁର୍ସର ଏମଡି ବାସୁ କୁମାର ଅଧିକାରୀ ଜଣାଇଛନ୍ତି ଯେ, ବୁଧବାର ୯୩ ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ୩୯୦ ଜଣ ଶ୍ରଦ୍ଧାଳୁ ଚୀନ୍ ସୀମା ପାର୍ କରିବାର ଥିଲା । ତେବେ ଅପରାହ୍ନ ୩ଟା ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକଙ୍କ ସହ ସମ୍ପର୍କ ହୋଇପାରିଥିବା ବେଳେ ଅଧିକାଂଶ ଯାତ୍ରୀଙ୍କ ବିଷୟରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ।

 

ଟ୍ରେକିଂ ଏଜେନ୍ସିଜ୍ ଆସୋସିଏସନ୍ ଅଫ୍ ନେପାଳର ଅଧ୍ୟକ୍ଷ ସାଗର ପାଣ୍ଡେ ସୂଚନା ଦେଇଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ଫସିଥିବା ତୀର୍ଥଯାତ୍ରୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କ ସ୍ଥିତିର ସଠିକ୍ ଆକଳନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ନେପାଳ ସେନା କହିଛି ଯେ, ପାଣି ହଠାତ୍ ବୃଦ୍ଧି ପାଇବା ଯୋଗୁଁ ରସୁୱା ଜିଲ୍ଲାର ତିମୁରେ ଏବଂ ନିକଟବର୍ତ୍ତୀ ସ୍ୟାଫ୍ରୁବେସି ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଗାଡ଼ିମୋଟର, ଜିନିଷପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତି ଭାସିଯାଇଛି । ରସୁୱା ଜିଲ୍ଲା କାଠମାଣ୍ଡୁର ଉତ୍ତର-ପୂର୍ବରେ ଅବସ୍ଥିତ ଏବଂ ତିବ୍ଦତ ସୀମାରୁ ପ୍ରାୟ ୧୨୫ କିଲୋମିଟର ଦୂର ।

ନେପାଳର ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ ଅନୁସାରେ, ରସୁୱା, ନୁୱାକୋଟ୍, ଧାଦିଂ, ଚିତୱାନ୍ ଏବଂ ଗୋରଖାର ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛି । ରସୁୱାର ସହାୟକ ମୁଖ୍ୟ ଜିଲ୍ଲା ଅଧିକାରୀ ଧ୍ରୁବ ପ୍ରସାଦ ଅଧିକାରୀ କହିଛନ୍ତି ଯେ, ବନ୍ୟାର ଜଳସ୍ତର ଅସ୍ୱାଭାବିକ ଭାବେ ଅଧିକ ଥିଲା ଏବଂ ଉଭୟ ଜନବସତି ପ୍ରବଳ କ୍ଷତିଗ୍ରସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୀଷଣ ବନ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର ଏବଂ ରିଲିଫ୍ ଅଭିଯାନକୁ ଜୋରଦାର କରିବା ପାଇଁ ରସୁୱା ଏବଂ ଆଖପାଖ ଅଞ୍ଚଳରେ ନେପାଳ ସେନା, ସଶସ୍ତ୍ର ପୋଲିସ ବଳ ଏବଂ ନେପାଳ ପୋଲିସର ଯବାନମାନଙ୍କୁ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ବନ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଆଲୋଚନା କରିବା ଏବଂ ତାହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଉଛି ।

ନେପାଳ ସେନା ତ୍ରିଶୂଳୀ ନଦୀ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଏବଂ ଉଦ୍ଧାର ଅଭିଯାନ ଚଳାଇବା ପାଇଁ ଦୁଇଟି ହେଲିକାପ୍ଟର ପଠାଇଛି । ସେନା ଏକ ବିବୃତିରେ ଜଣାଇଛି ଯେ, ଜରୁରିକାଳୀନ ଚିକିତ୍ସା ଉଦ୍ଧାର ଦଳ ସହ ସଜ୍ଜିତ ଏକ MI-17 ହେଲିକାପ୍ଟରକୁ ତ୍ରିଶୂଳୀସ୍ଥିତ ଜିଲ୍ଲା ହସ୍ପିଟାଲ୍ ଆଡ଼କୁ ପଠାଯାଇଛି । ତେବେ ନେପାଳ ସେନା କହିଛି ଯେ ଭୀଷଣ ବନ୍ୟା ଯୋଗୁଁ ହୋଇଥିବା ମୋଟ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଏବଂ କ୍ଷତି ସମ୍ପର୍କିତ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିଛି ।