ନୂଆଦିଲ୍ଲୀ, ୨୪।୧୧ : ରାଜଧାନୀ ଦିଲ୍ଲୀର ଲୁଟୟେନ୍ସ ଅଞ୍ଚଳରେ ତିବ୍ଦତ ଧର୍ମଗୁରୁ ଦଲାଇ ଲାମାଙ୍କୁ ଏକ ଘର ସରକାରଙ୍କ ପକ୍ଷରୁ ଦିଆଯାଇଛି । ଏବେ ଏହାର ସୁରକ୍ଷା ବ୍ୟବସ୍ଥାକୁ ସରକାର ବୃଦ୍ଧି କରିଛନ୍ତି । ଘରର ଚାରି ପାଖରେ କଣ୍ଟା ତାର ଲଗାଯିବା ସହ ମେଟାଲ ପ୍ୟାନେଲ୍ ମଧ୍ୟ ଲଗାଯାଇଛି । ଏହା ବ୍ୟତୀତ ପ୍ରବେଶ ଦ୍ୱାରକୁ ଆହୁରି ସୁରକ୍ଷିତ କରାଯାଇଛି । ଏଠାରେ ଏକ ସରୁକ୍ଷା କ୍ୟାବିନ୍ ମଧ୍ୟ ନିର୍ମାଣ କରାଯାଇଛି ।

ଲୁଟୟେନ୍ସ ଅଞ୍ଚଳର ପଣ୍ଡିବ ରବିଶଙ୍କର ଶୁକ୍ଳା ଲେନ୍ ରେ ଥିବା ୨୦ ନମ୍ବର ଘରକୁ ଦଲାଇ ଲାମାଙ୍କ କାର୍ଯ୍ୟାଳୟ ଗାଡେନ୍ ଫୋଡରାଙ୍ଗ୍ କୁ ଆବଣ୍ଟିତ କରାଯାଇଛି । ହେଲେ ଏଠାରେ କୌଣସି ନେମ୍ ପ୍ଲେଟ୍ ନାହିଁ । ଅନ୍ୟ ଦିଗରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ଏହି ବଙ୍ଗଳା ବା କୋଠାର ସୁରକ୍ଷା ପାଇଁ ୩୫ ଲକ୍ଷ ଟଙ୍କାର ଟେଣ୍ଡର ଜାରି କରିଛି । କାରଣ ଅଧିକ ବୟସ ପାଇଁ ହୋଟେଲରେ ରହିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା କଷ୍ଟକର ହୋଇ ପଡୁଛି । ଏହି ସବୁ ସମସ୍ୟାକୁ ଧ୍ୟାନରେ ରଖି ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ଓ ଦଲାଇ ଲାମାଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି ।

Also Read :- ଧରାପଡ଼ିଗଲା ୱାଣ୍ଟେଡ୍ ଉଜୈଦ, ଫିଦାୟିନ୍ ଆକ୍ରମଣ ଷଡ଼ଯନ୍ତ୍ର ମାମଲାରେ ପୋଲିସକୁ ବଡ଼ ସଫଳତା

ଅନ୍ୟ ଦିଗରେ ତୀନ-ଆମେରିକାର ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ କହିଛନ୍ତି ଯେ, ଚୀନ୍ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଏହାକୁ ଡ୍ରାଗନ୍ ଅନ୍ତର୍ଜାତୀୟ ବିବାଦ ଭାବେ ବଦଳାଇପାରେ । ଦଲାଇଲାମାଙ୍କ ଇଚ୍ଛାକୁ ପ୍ରଭାବିତ କରିବାକୁ ଚୀନ୍ ଚାପ ପକାଉଛି । ଏହାସହ ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବ ତାହା ବାଛିବା କାମ ଗାଡେନ୍ ଫୋଡରାଙ୍ଗ୍ ଟ୍ରଷ୍ଟର । ଏହା ହିଁ ଏକମାତ୍ର ବୈଧ ସଂସ୍ଥା ଭାବେ ଉତ୍ତରାଧିକାରୀ ବାଛିବା ଦାୟିତ୍ୱ ନେବ ।

ସେହିପରି ଆୟୋଗ ଭାରତ ସରକାରଙ୍କ ସହ ଲଗାତାର ଭାବେ ଆଲୋଚନା କରୁଛି । ଆମେରିକାର ବୈଦେଶିକ ସଚିବ ମଧ୍ୟ ଭାରତ ସମକକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ରହିଛନ୍ତି । ଏହାସହ କିପରି ଚୀନ୍ ଦ୍ୱାରା ବଚ୍ଛା ଯାଇଥିବା ଉତ୍ତରାଧିକାରୀଙ୍କୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବନି ସେ ଦିଗରେ ଅନ୍ୟ ସହଯୋଗୀ ଦେଶ ପ୍ରୟାସ କରିବାକୁ ଆୟୋଗ ଅନୁରୋଧ କରିଛି ।