ନୂଆଦିଲ୍ଲୀ: ଇନ୍ଧନ କ୍ଷେତ୍ର ଓ ପରିବେଶ ସୁଧାର ଦିଗରେ ଭାରତର ‘ଇଥାନଲ ବ୍ଲେଣ୍ଡେଡ ପେଟ୍ରୋଲ’ (ଇବିପି) କାର୍ଯ୍ୟକ୍ରମ ଏବେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି। ରବିବାର ସରକାରଙ୍କ ଦ୍ୱାରା ଜାରି ଏକ ରିପୋର୍ଟରେ ଏହି କାର୍ଯ୍ୟକ୍ରମ ନା କେବଳ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ରକ୍ଷା କରିଛି ବରଂ ପ୍ରଦୂଷଣ ହ୍ରାସ ସହ ଚାଷୀଙ୍କ ଆମଦାନୀ ବୃଦ୍ଧିରେ ଐତିହାସିକ ଭୂମିକା ନିର୍ବାହ କରିଛି।

ଜାରି ରିପୋର୍ଟରେ ସରକାରୀ ତଥ୍ୟ ମୁତାବକ ୨୦୧୪-୧୫ରୁ ମେ ୨୦୨୬ ପର୍ଯ୍ୟନ୍ତ ପେଟ୍ରୋଲରେ ଇଥାନାଲ ମିଶ୍ରଣର ଅଭିଯାନ ଦ୍ୱାରା ଦେଶର ୧.୯୦ଲକ୍ଷ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି। ଏହି ସମୟରେ ଭାରତ ୩୧୦ଲକ୍ଷ ମେଟ୍ରିକ ଟନ ବିଦେଶୀ ଅଶୋଧିତ ତୈଳ ସ୍ଥାନରେ ସ୍ୱଦେଶୀ ଇଥାନଲ ଉପଯୋଗ କରିଛି। ରିପୋର୍ଟରେ ଏହା ବି କୁହାଯାଇଛି ଯେ ଭାରତ ନିଜ ଆବଶ୍ୟକତାର ପାଖାପାଖି ୮୮.୫% ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରିଥାଏ।

ଏଥିରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ହେଉଥିବା ପଡଉଠ ଓ ସଂକଟରୁ ବର୍ତ୍ତିବା ପାଇଁ ଇଥାନଲ ବ୍ଲେଣ୍ଡିଂ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ମଧ୍ୟରୁ ଗୋଟିଏ ପାଲଟିଛି। ଏହା ଛଡା ଏହି ଯୋଜନାର ସିଧା ଲାଭ ଭାରତୀୟ ଚାଷୀଙ୍କୁ ମିଳିଛି। ଆଖୁ, ମକ୍କା ଓ ଖୁଦରୁ ତିଆରି ହେଉଥିବା ଇଥାନଲ କାରଣରୁ ଚାଷୀଙ୍କୁ ୧.୬ଲକ୍ଷ କୋଟିରୁ ଅଧିକ ଅତିରିକ୍ତ ଆୟ ମିଳିଛି। ଏହା ଛଡା ପରିବେଶ ଦୃଷ୍ଟିରୁ ମଧ୍ୟ ଏହା ଏକ ବଡ଼ ସଫଳତା ଅଟେ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାରଣରୁ ଦେଶରେ ୯୩୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କାର୍ବନ ଉତ୍ସର୍ଜନ କମ୍ ହୋଇଛି, ଯାହା ଭାରତର କ୍ଲିନ ଏନର୍ଜୀ ସଂକଳ୍ପକୁ ପୁରା କରୁଛି।